କମଳାକାନ୍ତ ପତି

ବହୁ କଷ୍ଟରେ ହାତକୁ ଆସିଥିବା ରାଜ୍ୟ ମଧ୍ୟପ୍ରଦେଶ ପୁନର୍ବାର ହାତଛଡ଼ା ହୋଇ ନ ଯାଉ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂହ ଚୌହାନ କ୍ଷମତା ବଜାୟ ରଖନ୍ତୁତାହା ଏବେ ଶାସକ ବିଜେପିର ଅନ୍ୟତମ ପ୍ରାଥମିକତା ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଉପନିର୍ବାଚନ ପରିପ୍ରେକ୍ଷୀରେ ଖେଳିଛନ୍ତି ସ୍ମାରକୀ ମୁଦ୍ରା କାର୍ଡ

ବିଜୟା ରାଜେଙ୍କ ସ୍ମାରକୀ ମୁଦ୍ରା କାହିଁକି?

ପରଲୋକଗତ ଗ୍ୱାଲିୟର ରାଜମାତା ତଥା ବରିଷ୍ଠ ବିଜେପି ନେତ୍ରୀ ବିଜୟା ରାଜେ ସିନ୍ଧିଆଙ୍କ ସ୍ମୃତିରେ ତାଙ୍କର ନାମାଙ୍କିତ ୧୦୦ ଟଙ୍କିଆ ବିଶେଷ ସ୍ମାରକୀ ମୁଦ୍ରା ଗତ ସୋମବାର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜୟା ରାଜେ ତାଙ୍କ ଜୀବନକାଳରେ ଜନସଂଘ ଓ ବିଜେପିର ଜଣେ ଆଗଧାଡ଼ିର ନେତ୍ରୀ ଥିଲେ। ହଠାତ୍ ମୋଦୀ ଏହି ସ୍ଵର୍ଗତ ନେତ୍ରୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ କାହିଁକି ସ୍ମରଣ କଲେ ଏବଂ ତାଙ୍କ ଫଟୋ ଚିତ୍ରିତ ଏକ ବିଶେଷ ସରକାରୀ ମୁଦ୍ରା ଉନ୍ମୋଚନ କଲେ, ତାହାକୁ ନେଇ କେବଳ ମଧ୍ୟପ୍ରଦେଶରେ ନୁହେଁ, ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମନରେ ପ୍ରଶ୍ନ।

ବିରୋଧୀଙ୍କ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ପରିପ୍ରେକ୍ଷୀରେ ମୋଦୀ ଏହି ସ୍ମାରକୀ ମୁଦ୍ରା ଉନ୍ମୋଚନ କରି ଭୋଟରଙ୍କୁ ଆକର୍ଷିତ କରିବାର ଉଦ୍ୟମ କରିଛନ୍ତି। ବାସ୍ତବରେ ଯଦି ବିଜୟା ରାଜେଙ୍କ ପ୍ରତି ମୋଦୀଙ୍କର ସମ୍ମାନ ରହିଥିଲା, ତେବେ ଏତେ ଦିନ ଧରି ତାହା ପ୍ରଦର୍ଶନ କରୁ ନଥିଲେ କାହିଁକି? ନାତି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ତ୍ୟାଗ କରି ବିଜେପିରେ ସାମିଲ ହୋଇଯିବା ପରେ ମୋଦୀଙ୍କର ବିଜୟା ରାଜେଙ୍କ କଥା ମନେପଡ଼ିଲା କି?

ମନ୍କୀ ବାତ୍ରେ ସୂଚନା ଦେଇଥିଲେ ମୋଦୀ

ଗତ ମାସ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ମାସିକିଆ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍’’ରେ କହିଥିଲେ ଯେ, କିଛି ଦିନ ମଧ୍ୟରେ କେତେଜଣ ବରେଣ୍ୟ ବ୍ୟକ୍ତିତ୍ଵଙ୍କୁ ସେମାନଙ୍କର ଜୟନ୍ତୀରେ ସ୍ମରଣ କରିବ ଦେଶ। ମୋହନ ଦାସ କରମଚାନ୍ଦ ଗାନ୍ଧୀ, ଲାଲ ବାହାଦୁର୍ ଶାସ୍ତ୍ରୀଙ୍କଠାରୁ ଆରମ୍ଭ କରି ସେହି ତାଲିକାରେ ଗ୍ଵାଲିୟର ରାଜମାତା ବିଜୟା ରାଜେଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ପ୍ରଶ୍ନ ଉଠିଥିଲା ଗାନ୍ଧୀ, ଶାସ୍ତ୍ରୀଙ୍କ ଭଳି ବରେଣ୍ୟ ବ୍ୟକ୍ତିତ୍ଵଙ୍କ ସହ ଗୋଟିଏ ବନ୍ଧନୀରେ କ’ଣ ସ୍ଥାନ ପାଇପାରିବେ ବିଜୟା ରାଜେ? ଦେଶ ପ୍ରତି ତାଙ୍କର ଅବଦାନ କ’ଣ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଭଳି ରହିଥିଲା?

ସୋମବାର ବିଜୟା ରାଜେ ସ୍ମାରକୀ ମୁଦ୍ରା ଉନ୍ମୋଚନ ହେବା ପରେ ସେହି ପ୍ରଶ୍ନ ଆହୁରି ଶାଣିତ ହୋଇଛି। ବିରୋଧୀଙ୍କ ସିଧାସଳଖ ଅଭିଯୋଗ- ଉପନିର୍ବାଚନ ଜିତିବା ପାଇଁ ମୋଦୀଙ୍କର ଏହି ସ୍ମାରକୀ ମୁଦ୍ରା ରାଜନୀତି। ମଧ୍ୟପ୍ରଦେଶରେ ଏତେଗୁଡ଼ିଏ ଆସନରେ ଉପନିର୍ବାଚନ ନଥିଲେ କ’ଣ ବିଜୟା ମନେ ପଡ଼ିଥାଆନ୍ତେ କି ବୋଲି ପ୍ରଶ୍ନବାଣ ଛାଡ଼ିଛନ୍ତି ବିରୋଧୀ।

ଅସମ୍ଭବ ନୁହେଁ, ତଥାପି ଆଶଙ୍କା

ଆସନ୍ତା ନଭେମ୍ବର ୩ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ୨୮ଟି ଆସନରେ ହେବ ଉପନିର୍ବାଚନ। ୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏହି ସଂଖ୍ୟକ ଆସନ ଖାଲି ପଡ଼ିଥିବାରୁ ଶିବରାଜ ସିଂହ ଚୌହାନଙ୍କ ସରକାର ୧୧୧ ସଦସ୍ୟଙ୍କୁ ନେଇ ତିଷ୍ଠି ରହିପାରିଛି। ତନ୍ମଧ୍ୟରୁ ୧୦୭ ଜଣ ବିଜେପି ସଦସ୍ୟ ଏବଂ ଅନ୍ୟ ୪ ଜଣ ସ୍ଵାଧୀନ। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଶିବରାଜଙ୍କୁ ଲୋଡ଼ା ଆହୁରି ୫ ସଦସ୍ୟ। ଯଦି ସ୍ଵାଧୀନ ସଦସ୍ୟଙ୍କୁ ବାଦ୍ ଦିଆଯାଏ, ତେବେ ୯ ଜଣ ସଦସ୍ୟଙ୍କର ଆବଶ୍ୟକତା ରହିଛି। ୨୮ ଆସନରେ ଉପନିର୍ବାଚନ ହେଉଥିବାରୁ ବିଜେପିର ୯ ଜଣ ସଦସ୍ୟ ବିଜୟୀ ହେବା କିଛି ଅସମ୍ଭବ ନୁହେଁ। ତଥାପି ଶାସକ ବିଜେପି ମନରେ ସନ୍ଦେହ ବସା ବାନ୍ଧିଛି। ଖୋଦ୍ ପ୍ରଧାନମନ୍ତ୍ରୀ ସେଥିପାଇଁ ସ୍ଵତନ୍ତ୍ର ମୁଦ୍ରା ପ୍ରଚଳନ କାର୍ଡ ଖେଳିବାକୁ ଆଗେଇ ଆସିଛନ୍ତି।

କାହିଁକି ଆଶଙ୍କାରେ ବିଜେପି?

୨୦୧୮ ନଭେମ୍ବର ମାସରେ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ତିନି ମିଆଦର ପୁରୁଣା ବିଜେପି ଶାସନର ପରିସମାପ୍ତି ଘଟାଇ କ୍ଷମତା ଦଖଲ କରିଥିଲା। ଯଦିଓ ନିର୍ବାଚନରେ ବିଜେପି କଡ଼ା ଟକ୍କର ଦେଇଥିଲା, ମାତ୍ର କଂଗ୍ରେସ ନେତା କମଳନାଥଙ୍କ ସଫଳ ଗୋଟି ଚାଳନା କାରଣରୁ ସଂଖ୍ୟା ଗରିଷ୍ଠତା ନ ପାଇ ମଧ୍ୟ ସ୍ଵାଧୀନ ଓ ଅନ୍ୟ ଦଳର ସଦସ୍ୟଙ୍କ ସହଯୋଗରେ କଂଗ୍ରେସ ସରକାର ଗଢ଼ିଥିଲା। ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଳନାଥଙ୍କ ମଧ୍ୟରେ  ଅନ୍ତର୍ଦ୍ଵନ୍ଦ୍ଵ ଯୋଗୁ ୨୦୨୦ ମାର୍ଚ୍ଚ ଶେଷ ବେଳକୁ ସରକାରର ପତନ ଘଟିଥିଲା। ଶିବରାଜ ସିଂହ ଚୌହାନ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଜ୍ୟୋତିରାଦିତ୍ୟଙ୍କ ବିଦ୍ରୋହକୁ ସମର୍ଥନ କରି କଂଗ୍ରେସର ୨୫ ଜଣ ବିଧାୟକ ଇସ୍ତଫା ଦେବା ଫଳରେ କମଳନାଥ ସରକାରର ପତନ ଘଟିଥିଲା। ଜ୍ୟୋତିରାଦିତ୍ୟ କଂଗ୍ରେସ ତ୍ୟାଗ କରି ବିଜେପିରେ ଯୋଗଦେଇ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। କଂଗ୍ରେସ ବିଧାୟକଙ୍କ ଇସ୍ତଫା କାରଣରୁ ଖାଲି ହୋଇଥିବା ୨୫ ଆସନ ଏବଂ ୩ ସଦସ୍ୟଙ୍କ ମୃତ୍ୟୁ କାରଣରୁ ଶୂନ୍ୟ ପଡ଼ିଥିବା ଆସନରେ ଭୋଟ୍ ହେବାକୁ ଯାଉଛି। କାଳେ ଶୂନ୍ୟ ପଡ଼ିଥିବା ଆସନଗୁଡ଼ିକ (କଂଗ୍ରେସ ସଦସ୍ୟଙ୍କ) କଂଗ୍ରେସ ସପକ୍ଷରେ ଚାଲିଯିବ ତେଣୁ ବିଜେପିର ଆଶଙ୍କା ବଢ଼ିଛି।

ପ୍ରକୃତ ଲଢ଼େଇ ଶିବରାଜ ବନାମ କମଳନାଥ

ଗତ ମାର୍ଚ୍ଚ ମାସରେ ବିଜେପି ଯେଉଁଭଳି ରାଜନୈତିକ ଖେଳ ଖେଳି ପଛଦ୍ଵାର ଦେଇ ମଧ୍ୟପ୍ରଦେଶ ଶାସନ କ୍ଷମତା ଅକ୍ତିଆର କରିଛି, ତାହା ଅଭିଜ୍ଞ ତଥା ପ୍ରବୀଣ ରାଜନେତା କମଳନାଥଙ୍କୁ ପ୍ରଚଣ୍ଡ ଧକ୍କା ଦେଇଛି। ତେଣୁ ସେ ଶିବରାଜଙ୍କ ଉପରେ ପ୍ରଚଣ୍ଡ କ୍ଷୁବ୍ଧ। ସୁତରାଂ ନଭେମ୍ବର ୩ରେ ହେବାକୁ ଯାଉଥିବା ଉପନିର୍ବାଚନ ଲଢ଼େଇ ପ୍ରକୃତରେ ଶିବରାଜ୍- ବନାମ କମଳନାଥ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା। ଇତିମଧ୍ୟରେ କମଳନାଥ ଚେତାବନୀ ଦେଇ କହିଛନ୍ତି ଯେ, ଉପନିର୍ବାଚନରେ ଆସନ ଦଖଲ ମାଧ୍ୟମରେ ମଧ୍ୟପ୍ରଦେଶରେ ସରକାର ଗଠନ ପରେ ସାଧାରଣ ଜନତାଙ୍କ ସହ କଂଗ୍ରେସ ଦୀପାବଳୀ ଉତ୍ସବ ପାଳନ କରିବ। କମଳନାଥଙ୍କର ଏଭଳି ଚେତାବନୀ ପଛରେ କାରଣ ମଧ୍ୟ ରହିଛି।

କଂଗ୍ରେସର ଯେଉଁ ବିଧାୟକମାନେ ଇସ୍ତଫା ଦେଇ ବିଜେପିରେ ସାମଲ୍ ହୋଇଛନ୍ତି, ସେମାନଙ୍କୁ ଶିବରାଜ ସେହି ସବୁ ଆସନରୁ ବିଜେପି ପ୍ରାର୍ଥୀ କରିବେ। କଂଗ୍ରେସରୁ ପ୍ରାର୍ଥୀ ହୋଇ ଜିତିଥିବା ଏହି ନେତାମାନେ ବିଜେପି ପକ୍ଷରୁ ଭୋଟ୍ ଭିକ୍ଷା କରି ଭୋଟରଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇପାରନ୍ତି ବୋଲି କମଳନାଥଙ୍କ ଆଶା। ତେଣୁ ସେ ବିଜେପିକୁ ଏଭଳି ଚେତାବନୀ ଦେଇଛନ୍ତି। ଦେଖିବାକୁ ଗଲେ ସେଭଳି ସମ୍ଭାବନା କ୍ଷୀଣ। ତା ସତ୍ତ୍ଵେ ସାମାନ୍ୟ ମାତ୍ର ରିସ୍କ ନ ନେଇ ଆଗୁଆ ରାଜମାତାଙ୍କ ନାମ ଜପିଛନ୍ତି ମୋଦି।

ଆରଏସଏସ୍ ସର୍ଭେକୁ ନେଇ ଛାନିଆ

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର ବେଶ୍ କିଛିଦିନ ପୂର୍ବରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ୍‌)ର ଏକ ସର୍ଭେ ରିପୋର୍ଟ ସୋସିଆଲ୍ ମିଡିଆ ଜରିଆରେ ସାମ୍ନାକୁ ଆସିଥିଲା। ଏହି ସର୍ଭେରେ ଦର୍ଶାଯାଇଥିଲା ଯେ, ଏହି ରାଜ୍ୟର ଯେଉଁ ୨୮ଟି ଆସନରେ ଉପନିର୍ବାଚନ ହେବ, ସେଥିରେ କଂଗ୍ରେସ ସର୍ବାଧିକ ୨୨ଟି ଆସନ ଲାଭ କରିବ। ଏହାକୁ ବିଜେପି ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ବୋଲି କହିଥିଲେ ମଧ୍ୟ ଦଳୀୟ ନେତାଙ୍କ ମନରୁ ଆଶଙ୍କା ଦୂର ହେଉନାହିଁ।

ଅବଶ୍ୟ ଏହି ସର୍ଭେର ଆକଳନ ଯଦି ସତ୍ୟ ହୁଏ, ତଥାପି କଂଗ୍ରେସ (୮୮ ସଦସ୍ୟ)କୁ ସରକାର ଗଢ଼ିବାକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ। ଏହିପରି ଘଟିଲେ କଂଗ୍ରେସର ଆସନ ସଂଖ୍ୟା ୧୧୦ରେ ପହଞ୍ଚିବ। ସରକାର ଗଢ଼ିବାକୁ ଆହୁରି ୬ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ପଡ଼ିବ। ଏହା ସତ୍ତ୍ଵେ କମଳନାଥ ଆଶା ଛାଡୁନାହାନ୍ତି କି ବିଜେପି ମନରୁ ଆଶଙ୍କା ଦୂର ହେଉନାହିଁ। କହିବା ବାହୁଲ୍ୟ ଯେ, ଯେଉଁ ଆସନଗୁଡ଼ିକରେ ଉପନିର୍ବାଚନ ହେବାକୁ ଯାଉଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଜ୍ୟୋତିରାଦିତ୍ୟଙ୍କ ତାଲୁକ ମଧ୍ୟରେ ଆସୁଛି। ସୁତରାଂ ଉପନିର୍ବାଚନ ଫଳାଫଳ ଜ୍ୟୋତିରାଦିତ୍ୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment