ସନ୍ନ୍ୟାସୀ କୁମାର ବେହେରା

ପ୍ରତି ବର୍ଷ ଅକ୍ଟୋବର ୧୫କୁ ଆନ୍ତର୍ଜାତିକ ଧଳାବାଡ଼ି ଦିବସ (ଇଣ୍ଟରନ୍ୟାସନାଲ ହ୍ୱାଇଟ୍ କ୍ୟାନ୍ ଡେ) ଭାବେ ପାଳନ କରୁଛି ବିଶ୍ୱ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସ୍ୱାଧୀନ ଭାବେ ଜୀବନଯାପନ କରିବାର ସୁଯୋଗ ଦେବା ନେଇ ଜନ ସମୁଦାୟକୁ ସଚେତନ କରିବା।

ଚଳିତ ବର୍ଷ କରୋନା ମହାମାରୀ ପରିପ୍ରେକ୍ଷୀରେ ନୀତି ନିର୍ଦ୍ଧାରକମାନେ ସାଧାରଣ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ଏଭଳି ରୂପାୟନ କରିବା ଉଚିତ୍, ଯାହା ସମ୍ପୂର୍ଣ୍ଣ ଦୃଷ୍ଟିହୀନ, ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନ ଓ ଦୃଷ୍ଟିବାନ ବ୍ୟକ୍ତିଙ୍କୁ ସମାନ ଭାବେ ସହାୟକ ହୋଇପାରିବ।

ଉଦାହରଣ ସ୍ୱରୂପ ସର୍ବସାଧାରଣ ଗୃହର ଚଟାଣଗୁଡ଼ିକୁ ଟେକଟାଇଲ୍ ବ୍ୟବହାର କରି ଏପରି ଭାବେ ନିର୍ମାଣ କରାଯିବା ଜରୁରୀ, ଯେପରି ଜଣେ ଦୃଷ୍ଟିହୀନ ବ୍ୟକ୍ତି ସେହି ଟେକଟାଇଲ୍ ଉପରେ ନିଜର ଧଳାବାଡ଼ି ଚାଳନା କରି ଅବାଧରେ ନିଜର ଗନ୍ତବ୍ୟ ପଥ ନିରୂପଣ କରିପାରୁଥିବ। ସର୍ବସାଧାରଣ ସ୍ଥାନରେ ଧାଡ଼ି ବାନ୍ଧି ରାଶନ ବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଦୃଷ୍ଟିବାଧିତ ଲୋକେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖିପାରିବେ, ତାହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି କରିବାକୁ ହେବ।

ସାର୍ବଜନୀନ ନିର୍ମାଣ କାର୍ଯ୍ୟରେ ନୀତି ନିର୍ଦ୍ଧାରଣ କରିବା ସମୟରେ ଭିନ୍ନକ୍ଷମଙ୍କ ଅଧିକାର ସମ୍ବଳିତ ମିଳିତ ଜାତିସଂଘର ସନନ୍ଦରେ ଲିପିବଦ୍ଧ ହୋଇଥିବା ଧାରା ୯ ଓ ୧୯ର ବିଧି ବ୍ୟବସ୍ଥା ତଥା ଚିରନ୍ତନ ବିକାଶ ପାଇଁ ଉଲ୍ଲେଖ ଥିବା ୧୧ଟି ଲକ୍ଷ୍ୟ ସମ୍ବନ୍ଧରେ ଆମକୁ ବିଚାର କରିବାକୁ ହେବ। ଭିନ୍ନକ୍ଷମଙ୍କ ଅଧିକାର ସମ୍ବଳିତ ମିଳିତ ଜାତିସଂଘର ଚୁକ୍ତିପତ୍ରର ଧାରା ୯ରେ ଉଲ୍ଲେଖ ଅଛି ଯେ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପଯୁକ୍ତ ପରିବେଶ, ପରିବହନ ଓ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ବ୍ୟବହାର କଲାବେଳେ ଯେପରି କୌଣସି ବାଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଅନୁକୂଳ ବ୍ୟବସ୍ଥା କରାଯିବା ଜରୁରୀ।

ଏହି ଚୁକ୍ତିପତ୍ରର ଧାରା ୧୯ରେ ଉଲ୍ଲେଖ ଅଛି ଯେ ଭିନ୍ନକ୍ଷମ ବ୍ୟକ୍ତିମାନେ ସ୍ୱାଧୀନ ଭାବେ ବଞ୍ଚିପାରିବେ ଏବଂ ଗୋଷ୍ଠୀଗତ ଜୀବନରେ ସାମିଲ୍ ହୋଇପାରିବେ, ସରକାର ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବେ। ସେହିପରି ଚିରନ୍ତନ ବିକାଶର ୧୧ତମ ଲକ୍ଷ୍ୟରେ ଏହା ଉଲ୍ଲେଖ ଅଛି ଯେ ଉଭୟ ନଗର ଓ ଅନ୍ୟ ସମସ୍ତ ଜନବସତିରେ ଉପଲବ୍ଧ ବ୍ୟବସ୍ଥାକୁ ଭିନ୍ନକ୍ଷମ ବ୍ୟକ୍ତି ଯେପରି ସହଜରେ ପାଇପାରିବେ, ସେଥିପାଇଁ ବିଶେଷ ପ୍ରଯତ୍ନ କରିବାକୁ ହେବ।

ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳନ ଅବସରରେ ଆମକୁ ଦୃଷ୍ଟି ହେବାକୁ ହେବ ଯେପରି ଉଭୟ ଦୃଷ୍ଟିହୀନ ଓ ସ୍ୱଳ୍ପ ଦୃଷ୍ଟିସମ୍ପନ୍ନ ବ୍ୟକ୍ତିମାନେ ଯେପରି ରାସ୍ତାରେ ଏବଂ ସମସ୍ତ ସାର୍ବଜନୀନ ପରିବେଶରେ ନିରାପଦରେ ଯାତାୟତ କରିପାରିବେ। ସେହିପରି ସେମାନଙ୍କ ଦ୍ୱାରା ବ୍ୟବହୃତ ଧଳାବାଡ଼ିଗୁଡ଼ିକ ଯେପରି ସାନିଟାଇଜ୍ ବା ବିଶୋଧିତ ହୋଇଥିବ, କୋଭିଡ୍-୧୯ ପାଇଁ ନୀତି ନିର୍ଦ୍ଧାରଣ କରୁଥିବା ସମୁଚିତ ସଂସ୍ଥାମାନେ ସେଥିପାଇଁ ବିହିତ ପଦକ୍ଷେପ ନେବା ଜରୁରୀ।

(ଲେଖକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମୁଖ୍ୟାଳୟ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଓଡ଼ିଶା)

Comment