କମଳାକାନ୍ତ ପତି

ଅନେକ କ୍ଷେତ୍ରରେ ଆଗୁଆ ପ୍ରସ୍ତୁତି ନେବାରେ ବିଫଳ କିମ୍ବା ତରବରିଆ ନିଷ୍ପତ୍ତି ପାଇଁ ସମାଲୋଚିତ ମୋଦୀ ସରକାରଙ୍କ ମୁଣ୍ଡରେ ଏବେ ଆଉ ଏକ ବିରାଟ ଚିନ୍ତା। ଅତିବେଶୀରେ ଆଗାମୀ ଛଅ ମାସ ମଧ୍ୟରେ ତ ଆସିଯିବ କରୋନା ଟିକା। ହେଲେ ଏତେ ପରିମାଣର ଟିକା ସଂରକ୍ଷଣ ଏବଂ ନିରପେକ୍ଷ ବଣ୍ଟନ ହେବ କିପରି? ଏଥିପାଇଁ ସମାଲୋଚନାରୁ ବର୍ତ୍ତିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆରମ୍ଭ କଲେଣି ଆଗୁଆ ପ୍ରସ୍ତୁତି।

ପ୍ରସ୍ତୁତି ପଦକ୍ଷେପର ନେତୃତ୍ଵ ନେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ

ଅକ୍ଟୋବର ମାସ ଆରମ୍ଭରୁ ସାମାନ୍ୟ ହ୍ରାସ ପାଇଛି କରୋନାର ପ୍ରକୋପ। ସଂକ୍ରମିତଙ୍କ ସଂଖ୍ୟା କମୁଛି, ଆରୋଗ୍ୟଙ୍କ ସଂଖ୍ୟା ବଢୁଛି। ମୃତ୍ୟୁସଂଖ୍ୟା ମଧ୍ୟ ଅପେକ୍ଷାକୃତ ଭାବେ ହ୍ରାସ ପାଇଚାଲିଛି। ଅର୍ଥାତ୍ ଅକ୍ଟୋବର ସାଧାରଣ ଜନତା, କରୋନା ଯୋଦ୍ଧା, ସର୍ବୋପରି କେନ୍ଦ୍ର ସରକାର ତଥା ରାଜ୍ୟ ସରକାରମାନଙ୍କ ପାଇଁ ସାମାନ୍ୟ ଆଶ୍ଵସ୍ତ ଆଣିଛି। ଆଉ ଏକ ଆଶ୍ଵାସନାର କଥା ହେଉଛି, ଦେଶରେ କରୋନା ପ୍ରତିଷେଧକ ଟିକା ଆବିଷ୍କାର ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ସଂସ୍ଥାଗୁଡ଼ିକ ଖୁବ୍ ଶୀଘ୍ର ଏହି ଟିକାର ବଜାର ପ୍ରବେଶ କରାଇବା ନେଇ ଆଶାର କିରଣ ଦେଖାଇଲେଣି।

ଆଉ ଅତିବେଶୀରେ ୬ ମାସ ମଧ୍ୟରେ ବଜାରକୁ ଆସିଯିବ ପ୍ରତିଷେଧକ। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ପ୍ରାୟତଃ ଶେଷ। ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ବଜାରକୁ ଆସିଯିବ ଟିକା। ଏଭଳି ଏକ ଆଶ୍ଵାସନାକାରୀ ଖବର ମଧ୍ୟରେ ଅନ୍ୟ କାରଣକୁ ନେଇ ଚିନ୍ତାରେ ପଡ଼ିଲେଣି କେନ୍ଦ୍ର ସରକାର। ପୂର୍ବରୁ ଅନେକ କ୍ଷେତ୍ରରେ ତରବରିଆ ନିଷ୍ପତ୍ତି ନେଇ କିମ୍ବା ବିଳମ୍ବିତ ନିଷ୍ପତ୍ତି ପାଇଁ ସମାଲୋଚନାର ଶିକାର ହୋଇ ଆସୁଥିବା ମୋଦୀ ସରକାର ଟିକା ବିତରଣକୁ ନେଇ ଯେପରି କୌଣସି ବିଭ୍ରାଟ ନ ଘଟେ ସେଥିପ୍ରତି ଆଗୁଆ ସଚେତନ ହେଲେଣି।

ତେଣୁ ଟିକା ପୂର୍ଣ୍ଣରୂପରେ ପରୀକ୍ଷିତ ହୋଇ ବଜାରକୁ ଆସିବା ପୂର୍ବରୁ ଭିତ୍ତିଭୂମି ନେଇ ସରକାରଙ୍କୁ ଚିନ୍ତା ଘାରିଲାଣି। ଚିନ୍ତା ପଶିଲାଣି, ଟିକାକୁ ଚାତକ ଭଳି ଅନାଇ ରହିଥିବା ଦେଶବାସୀଙ୍କ ନିକଟରେ କିପରି ଉପଯୁକ୍ତ ସମୟରେ ପହଞ୍ଚାଇ ଦିଆଯିବ ପ୍ରତିଷେଧକ। ଏତେ ସଂଖ୍ୟକ ଟିକାକୁ କିଭଳି କରାଯିବ ସଂରକ୍ଷିତ। ତେଣୁ ପ୍ରଧାନମନ୍ତ୍ରୀ ନିଜେ ଏଥିପାଇଁ ଆଗୁଆ ପ୍ରସ୍ତୁତିର ପଦକ୍ଷେପ ନେଉଛନ୍ତି।

ନିର୍ବାଚନ, ବିପର୍ଯ୍ୟୟ ପରିଚାଳନା ଭଳି ପ୍ରସ୍ତୁତି

ପ୍ରଧାନମନ୍ତ୍ରୀ ମୋଦୀ ଗତ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ଲାଲକିଲା ଉପରୁ ଭାଷଣ ଦେଇ କହିଥିଲେ, ଦେଶବାସୀଙ୍କୁ କରୋନା ପ୍ରତିଷେଧକ ଟିକା ବଣ୍ଟନ ପାଇଁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଘୋଷଣାର ୨ ମାସ ପରେ ଗତ ଗୁରୁବାରଠାରୁ ତିନିଦିନିଆ ଉଚ୍ଚସ୍ତରୀୟ ବୈଠକରେ କରୋନା ପ୍ରତିଷେଧକ ସଂରକ୍ଷଣ, ପରିବହନ ଏବଂ ବଣ୍ଟନ ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଯାଇଛି। ପ୍ରଧାନମନ୍ତ୍ରୀ ନିଜେ ଏହି କରୋନା ସମୀକ୍ଷା ବୈଠକରେ ଉପସ୍ଥିତ ରହି କରୋନା ଟିକା ବଣ୍ଟନ ଯେଉଁଭଳି ସଫଳ ନିର୍ବାଚନ ଓ ବିପର୍ଯ୍ୟୟ ପରିଚାଳନା ଢାଞ୍ଚାରେ ହେବ ଏବଂ ଆଗୁଆ ପ୍ରସ୍ତୁତି ନିଆଯିବ, ତାହା ସୁନିଶ୍ଚିତ କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୀତି ଆୟୋଗର ଅଧିକାରୀମାନଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକ୍ରିୟାରେ କେନ୍ଦ୍ରସ୍ତରଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରଶାସନକୁ ଦାୟିତ୍ଵ ପ୍ରଦାନ କରାଯିବ। ବୈଷୟିକ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଟିକା ପ୍ରଦାନ ଯେଭଳି ନିରପେକ୍ଷ ହୁଏ, ସହରାଞ୍ଚଳଠାରୁ ଆରମ୍ଭ କରି ପଲ୍ଲୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଯେପରି ପ୍ରତିଷେଧକ ଟିକା ଲାଭର ସୁବିଧା ପାଇପାରନ୍ତି, ତାହା ସୁନିଶ୍ଚିତ କରାଯିବ।

ସରକାରଙ୍କ ସାମ୍ନାରେ କଠିନ ଚ୍ୟାଲେଞ୍ଜ

ଆଉ କିଛି ମାସର ସମୟ, ସେହି ମଧ୍ୟରେ କରୋନା ପ୍ରତିଷେଧକ ମିଳିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସେହି ପ୍ରତିଷେଧକ ଟିକାକୁ କିପରି ନିର୍ଦ୍ଦିଷ୍ଟ ତାପମାତ୍ରାରେ ମହଜୁଦ୍ ରଖାଯିବ ତାହା ଏକ କଠିନ ଚ୍ୟାଲେଞ୍ଜ। କାରଣ ଏହି ଟିକାକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ରଖା ନ ଗଲେ ତାହା ଅକାମୀ ହୋଇଯିବ। ଏକାଧିକ ରୋଗର ଟିକା ୨ରୁ ୮ ଡିଗ୍ରୀ ସେଲସିୟସ୍ କିମ୍ବା ଶୂନ୍ୟ ଡିଗ୍ରୀ ସେଲସିୟସରୁ ୧୫-୧୮ ଡିଗ୍ରୀ ମାଇନସ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ପଡ଼ିଥାଏ।

ଏପରିକି କେତେକ ପ୍ରତିଷେଧକ ଟିକା ମାଇନସ୍ ୬୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବାକୁ ପଡ଼େ। ପୋଲିଓ ଭଳି ଟିକାକରଣ ପାଇଁ ଏହି ଟିକାର ସଂରକ୍ଷଣ ସକାଶେ ୨୭ ହଜାର ଶୀତଳ ଗୃହ ଆବଶ୍ୟକ ପଡ଼ିଥାଏ। ପ୍ରାୟ ୨୫ ଲକ୍ଷ ସ୍ଵାସ୍ଥ୍ୟକର୍ମୀ ଓ ୫୦ ହଜାରରୁ ଅଧିକ ଶୀତଳଗୃହ କର୍ମୀ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଥାଆନ୍ତି। କିନ୍ତୁ କରୋନା ପ୍ରତିଷେଧକ ଯଦି ଶୂନ୍ୟରୁ ମାଇନସ୍ ୬୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସଂରକ୍ଷିତ ରଖିବାକୁ ପଡ଼େ, ସେ କ୍ଷେତ୍ରରେ ବେସରକାରୀ ସଂସ୍ଥାର ସାହାଯ୍ୟ ବିନା ଟିକାକରଣ ଅସମ୍ଭବ ହୋଇଯିବ।

କେବଳ ଶୀତଳ ଘରେ ମହଜୁଦ୍ ନୁହେଁ, ଏହାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ସକାଶେ ସଡ଼କ କିମ୍ବା ଆକାଶପଥରେ ସରବରାହ ମଧ୍ୟ ବିରାଟ ଚ୍ୟାଲେଞ୍ଜ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ନୀତି ଆୟୋଗର  ସଦସ୍ୟ (ସ୍ଵାସ୍ଥ୍ୟ) ବିନୋଦ ପଲ୍, ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା କେ. ବିଜୟ ରାଘବନ୍ ଏବଂ ସଂଶ୍ଳିଷ୍ଟ କର୍ମକର୍ତ୍ତାଙ୍କ ସହ ସୁବିସ୍ତୃତ ଆଲୋଚନା କରିଛନ୍ତି।

ଖର୍ଚ୍ଚ ହେବ ବିପୁଳ ଅର୍ଥ

କରୋନା କାରଣରୁ ଆର୍ଥିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିଲା। ସରକାରଙ୍କ ଅର୍ଥ ଭଣ୍ଡାର ପ୍ରାୟତଃ ଶୂନ୍ୟ। ଯାହା ବିଭିନ୍ନ ଅର୍ଥନୈତିକ ସମୀକ୍ଷାରୁ ସାମ୍ନାକୁ ଆସୁଛି। ରାଜସ୍ଵ ସଂଗ୍ରହ ଯଥେଷ୍ଟ ହ୍ରାସ ପାଇ ସାରିଛି। ଏଭଳି ସମୟରେ କରୋନା ପ୍ରତିଷେଧକ ସଂରକ୍ଷଣ, ସରବରାହ, ଟିକାକରଣରେ ଯେଉଁ ବିପୁଳ ଅର୍ଥର ଆବଶ୍ୟକତା ପଡ଼ିବ, ତାହା ସରକାରଙ୍କ ତହବିଲରେ ଅଛି ତ?

ଏଭଳି ପ୍ରଶ୍ନ ଉଠାଇଲାଣି ତଥ୍ୟାଭିଜ୍ଞ ଏବଂ ଅର୍ଥନୈତିକ ମହଲ। ଭାରତରେ ପ୍ରତିଷେଧକ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ଅନ୍ୟତମ ସଂସ୍ଥା ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କୁହନ୍ତି – ପ୍ରତିଷେଧକ ଟିକା କିଣି ତାହା ସମସ୍ତଙ୍କ ନିକଟରେ ପହଞ୍ଚାଇବା ସକାଶେ ଆଗାମୀ ଏକ ବର୍ଷରେ ଆବଶ୍ୟକ ହେବ ପ୍ରାୟ ୮୦ ହଜାର କୋଟି ଟଙ୍କା। ଏତେ ଟଙ୍କା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଖର୍ଚ୍ଚ କରପାରିବ କି? ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଗରୁ କହିଛନ୍ତି ଯେ, ଟିକା ଆସିବାର ପ୍ରଥମ ୬ ମାସରେ ୨୦ରୁ ୨୫ କୋଟି ଲୋକଙ୍କୁ ପ୍ରତିଷେଧକ ଦିଆଯାଇପାରିବ। ସେହି ହିସାବ ଦେଖିଲେ ୧୩୦ କୋଟିରୁ ଊର୍ଦ୍ଧ୍ୱ ସଂଖ୍ୟା ବିଶିଷ୍ଟ ଦେଶରେ କରୋନା ପ୍ରତିଷେଧକ ଯୋଗାଣ ପାଇଁ କେତେ ବର୍ଷ ଲାଗିବ? ସରକାର ସମସ୍ତଙ୍କୁ ଏହା ଏକ ନିର୍ଦ୍ଦିଷ୍ଟ ସମୟରେ ଉପଲବ୍ଧ କରାଇବେ କିପରି?

ପାନରୁ ଚୁନ ଖସିଲେ ବିରୋଧର ଅଙ୍ଗୁଳି

କରୋନା କାଳରେ ଅବ୍ୟବସ୍ଥାର ସ୍ଵର କେତେ ଶାଣିତ ହୁଏ, ତାହା ଗତ ୮ ମାସ ମଧ୍ୟରେ ଅଙ୍ଗେ ନିଭାଇଛନ୍ତି ମୋଦୀ ସରକାର। ଅଚାନକ ଲକଡାଉନ୍ ଘୋଷଣା, ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା, ସେମାନଙ୍କୁ ଫେରାଇବା ସକାଶେ ସୁପ୍ରିମକୋର୍ଟଙ୍କ ନାଲି ଆଖି। କୋଭିଡ୍ ପରିଚାଳନାରେ ଆଭ୍ୟନ୍ତରୀଣ ଶୃଙ୍ଖଳା ସର୍ବୋପରି ଏହି ଅତିମାରୀ ବେଳେ ନାନାଦି ବିଭ୍ରାଟ ଯୋଗୁ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରୁଛନ୍ତି ବିରୋଧୀ। ଭାରତର କୋଭିଡ୍ ପରିଚାଳନା ଜାତିସଂଘ, ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ, ଏପରିକି ଅନେକ ବିଦେଶୀ ରାଷ୍ଟ୍ର ଦ୍ଵାରା ପ୍ରଶଂସିତ ହୋଇଥିଲେ ମଧ୍ୟ ଦେଶ ଭିତରେ ମୋଦୀ ସରକାରଙ୍କଠାରୁ କିଛିଟା ଆସ୍ଥା ହ୍ରାସ ପାଇଛି।

ଏପରି ସମୟରେ ଯଦି ପ୍ରତିଷେଧକ ବିତରଣରେ ବିଭ୍ରାଟ ଘଟେ, ତେବେ ସରକାର ଅଧିକ ସମାଲୋଚିତ ହେବେ। ପାନରୁ ଚୁନ ଖସିଗଲେ ବିରୋଧୀ ଆଙ୍ଗୁଳି ଉଠାଇବାର ସୁଯୋଗ ପାଇବେ। ଏସବୁ ଚିନ୍ତା କରି ସରକାର ତୀବ୍ର ଅଶ୍ଵସ୍ତିରେ ପଡ଼ିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଆଗକୁ ଆସୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି କଥା ଚିନ୍ତା କରି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍‌ବିଗ୍ନ। ଏହି ବିଷୟଟି ଏତେ ସ୍ପର୍ଶକାତର ଯେ, ପ୍ରତିଷେଧକ ବଣ୍ଟନରେ ବୈଷମ୍ୟର ଅଭିଯୋଗ ଉଠିପାରେ। ବଡ଼ ଧରଣର ସଂଘର୍ଷକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ। କାରଣ ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଚରିତ୍ରର ଲୋକ ଅଛନ୍ତି। କୌଣସି ବିଶେଷ ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମୟରେ ଟିକା ନ ପହଞ୍ଚିଲେ, ତାହାକୁ ନେଇ ବିରୋଧୀ ନାନା ଅର୍ଥ କରିବେ। ଏହି ଭାବନା ଏବେ ସରକାରଙ୍କୁ ଘାରିଛି।

ପାର୍ବଣ ଋତୁକୁ ଡର

କରୋନା ସଂକ୍ରମଣ ହ୍ରାସ, ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି, ଖୁବ୍ ଶୀଘ୍ର ପ୍ରତିଷେଧକ ବଜାରକୁ ଆସିବାର  ସମ୍ଭାବନା ଉଜ୍ଜ୍ୱଳ ଦେଖାଯିବା ଘଟଣା ସରକାରଙ୍କୁ ଆଶ୍ଵସ୍ତ କରୁଥିବା ବେଳେ ବଡ଼ ଡର ହୋଇ ମାଡ଼ି ଆସିଛି ପାର୍ବଣ ଋତୁ। ଭାରତର ଲୋକ ଚରିତ୍ର ଯାହା – ପାର୍ବଣ ସମୟରେ ଦଳଦଳ ହୋଇ ବଜାରକୁ ବାହାରିବାର ମାନସିକତା କରୋନା କାରଣରୁ ରୋକି ହେବା କଷ୍ଟକର। ଏହା ଦ୍ଵାରା ଯଦି ସଂକ୍ରମଣର ହାର ପୁନର୍ବାର ବଢ଼େ, ତେବେ ପରିସ୍ଥିତି ଅଣାୟତ୍ତ ହେବ। ତେଣୁ ସରକାର ପାର୍ବଣ କଟକଣା ଜାରି କରିବା ସହିତ ଗାଇଡ୍‌ଲାଇନ୍ ସୃଷ୍ଟି କରି ଦେଇଛନ୍ତି। ତିନୋଟି କଥା ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ଵ ଦେଇଛନ୍ତି।

ତାହା ହେଉଛି ମାସ୍କ ପରିଧାନ, ଦୋ ଗଜ୍‌ କି ଦୂରୀ (ସାମାଜିକ ଦୂରତ୍ଵ) ଏବଂ ହାତ ସଫା ରଖିବା। ଏହି ଗାଇଡ୍ ଲାଇନ୍ କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ପାଳନ କରାଯାଉଛି। ମାତ୍ର ଅନେକ ଅମାନିଆ ବେପରୁଆ ମନୋଭାବ ପୋଷଣ କରି ଗାଇଡ୍‌ଲାଇନର ଖୋଲା ଉଲ୍ଲଂଘନ କରୁଛନ୍ତି। ନାମକୁ ମାତ୍ର ମାସ୍କ ପରିଧାନ, ବଜାର ହାଟରେ ହାଉଯାଉ ଜନତା ଏହାର ଜ୍ଵଳନ୍ତ ପ୍ରମାଣ। ପାର୍ବଣ ସମୟରେ ଆହୁରି ଅଧିକ ଦେଖାଯିବ କୋଭିଡ୍ ନିୟମ ଉଲ୍ଲଂଘନ। କାହାକୁ ଅଟକାଇବେ ପୋଲିସ୍ ପ୍ରଶାସନ। ବରଂ ସଂକ୍ରମଣ ଯଦି ପୁଣି ଉପରମୁହାଁ ହୁଏ, ତେବେ ସମାଲୋଚିତ ହେବେ ସରକାର। ସେହି ଦୃଷ୍ଟିରୁ ପାର୍ବଣ ଋତୁକୁ ନେଇ ଚିନ୍ତିତ ସରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment