ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହରଠାରୁ ଏଯାଏଁ ଭାରତବାସୀ ମୁକୁଳି ନାହାନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାବେଳେ ଏବେଠୁ ତୃତୀୟ ଲହରର ଆଶଙ୍କାକୁ ନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଏଥିସହ ଦୀପାବଳି, ଇଦ ଓ ଗଣେଶ ପୂଜା ଭଳି ପର୍ବରେ ବାହାରକୁ ନ ଯାଇ ନିଜ ଘରେ ସୁରକ୍ଷିତ ଭାବରେ ପାଳନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆୟୋଜକମାନେ କୋଭିଡ୍ ଗାଇଡଲାଇନ ଅନୁସରଣ କରି ପୂଜା କରିବେ। ନିହାତି ବାହାରକୁ ଯିବାକୁ ଥିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ପୂଜାରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତି ଟିକା ନେଇଥିବା ଜରୁରୀ ବୋଲି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସରକାରୀ ତଥ୍ୟ ଅନୁସାରେ ବହୁ ଦିନର ବ୍ୟବଧାନ ପରେ ବୁଧବାର ଦିନ ୪୮ହଜାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ କେନ୍ଦ୍ର ସରକାର।କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପଲଙ୍କ କହିବା ଅନୁଯାୟୀ, ଆଗକୁ ପାର୍ବଣ ଋତୁ ଆସୁଛି। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଲୋକମାନେ କଟକଣା ମଧ୍ୟରେ ସବୁ ପର୍ବପର୍ବାଣୀ ପାଳନ କରନ୍ତୁ। ପର୍ବପର୍ବାଣୀ ପାଇଁ ସର୍ବସାଧାରଣରେ କୌଣସି କାର୍ଯ୍ୟକ୍ରମ କରାନଯାଉ। ନିହାତି ଘରୁ ବାହାରକୁ ଯିବାକୁ ପଡ଼ିଲେ ମୁହଁରେ ମାସ୍କ ପିନ୍ଧି ଯିବେ। ଯଥାସମ୍ଭବ ଭିଡ଼ କମ୍ କରି ପର୍ବପର୍ବାଣୀ ପାଳନ କରିବାକୁ ଅନୁରୋଧ।

ଅନ୍ୟପଟେ ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, ଦେଶ ଏବେ ବି ଦ୍ୱିତୀୟ ଲହର ମଧ୍ୟରେ ରହିଛି। ତେଣୁ ପାର୍ବଣ ଋତୁ ପୂର୍ବରୁ ସମସ୍ତେ ସତର୍କ ହୋଇଯିବା ଦରକାର। ଏଥିପାଇଁ ନିଜ ନିଜ ରାଜ୍ୟରେ କରୋନା କଟକଣା ପୂର୍ବଭଳି ବଳବତ୍ତର ରଖିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନା ଥାଉକି, ଦେଶର ୫୪ ପ୍ରତିଶତ ଲୋକ ଗୋଟିଏ ଡୋଜ ଟିକା ନେଇଥିବାବେଳେ ୧୬ ପ୍ରତିଶତ ଲୋକ ଦୁଇଟି ଡୋଜ ଟିକା ନେଇଛନ୍ତି। ଏହି ସଂଖ୍ୟା ନିରାଶଜନକ ନହେଲେ ମଧ୍ୟ ଟିକାକରଣ ଆହୁରି ଜୋରଦାର ହେବା ଦରକାର। ସମ୍ପ୍ରତି କରୋନାକୁ ପ୍ରତିହତ କରିବା ଦିଗରେ ଟିକାକୁ ଏକମାତ୍ର ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି।

LEAVE A REPLY

Please enter your comment!
Please enter your name here