ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ସାହିତ୍ୟିକ ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆନଯିବା ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ରାଜ୍ୟର ଜଣେ ଯଶସ୍ୱୀ ରାଜନେତାଙ୍କୁ ସମ୍ମାନ ଦେବାରେ କିଭଳି ଅବହେଳା କରାଗଲା? ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଶ୍ୱଭୂଷଣ।
ଶରତ କରଙ୍କ ଉଦ୍ଦେଶ୍ୟରେ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅନଲାଇନରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା। ଏହି ରାଜ୍ୟସ୍ତରୀୟ ସ୍ମୃତିସଭାରେ ବିଶ୍ୱଭୂଷଣ ଯୋଗ ଦେଇ ଏଭଳି କହିଛନ୍ତି।
ଅକ୍ଟୋବର ୧୨ ସୋମବାର ଦିନ ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ସାହିତ୍ୟିକ ଶରତ କରଙ୍କର ପରଲୋକ ହୋଇଥିଲା। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ନଥିଲା।
ଅନ୍ୟପଟେ ଗାର୍ଡ ଅଫ୍ ଅନର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମାତ୍ର ସନ୍ଧ୍ୟା ହୋଇଯିବାରୁ ଗାର୍ଡ ଅଫ୍ ଅନର ଦିଆଯାଇପାରିଲା ନାହିଁ। ତାଙ୍କ ପରିବାରର କହିବା ଅନୁସାରେ କୋଭିଡ କଟକଣା ମାନି ଅନ୍ତିମ ସଂସ୍କାର କରାଗଲା ବୋଲି କହିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା।


















