ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକ୍ତ ହେଲେ ଜଣେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ। ଏହି ବୃଦ୍ଧ ହେଉଛନ୍ତି ମୁରଲୀଧର ଶତପଥୀ। ସମ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନାକୁ ପରାସ୍ତ କରିଛନ୍ତି।

ମୁରଲୀଧର ଗତ ମାର୍ଚ୍ଚ ମାସରୁ ଗଳା କ୍ୟାନସରରେ ପୀଡ଼ିତ ଅଛନ୍ତି। କ୍ୟାନ୍ସର ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍‌ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍। ଏବେ ସେ କରୋନା ମୁକ୍ତ ହୋଇଥିବାରୁ ଏନେଇ ତାଙ୍କ ପରିବାର ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ଜଣେ କ୍ୟାନ୍ସର ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ମୁରଲୀଧର କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନା ରୋଗୀଙ୍କ କ୍ଷେତ୍ରରେ ଆଶାଜନକ ବାର୍ତ୍ତା ପ୍ରଦାନ କରୁଛି।

କୋଭିଡକୁ ଯେ ପରିଣତ ବୟସରେ ଓ ଭୟଙ୍କର ରୋଗ ଆକ୍ରାନ୍ତ ହୋଇଥିବା ସତ୍ତ୍ୱେ ପରାସ୍ତ କରିହେବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସମ୍ କୋଭିଡ ଟିମ୍‌ର ଉଦ୍ୟମ, ସେବା ଓ ଯତ୍ନ ଫଳରେ ଏଭଳି ଅନେକ ବୟୋଜ୍ୟେଷ୍ଠ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତ ସୁସ୍ଥ ହେଉଥିବାର ଦେଖିବାକୁ ମିଳୁଛି।

Comment