ଓଡ଼ିଶାଲାଇଭ୍ ବ୍ୟୁରୋ

  • ଘଟଣା ପଛରେ ର‌୍ୟାକେଟ୍ କାମ କରୁଥିବା ସନ୍ଦେହ
  • ବାଇକ୍ କିଣାରୁ ଘଟଣାର ପର୍ଦ୍ଦାଫାସ
  • ଲୋକଙ୍କ ପ୍ରଶ୍ନ, କିପରି ଜାଣିପାରୁ ନଥିଲା ପୋଲିସ୍ ପ୍ରଶାସନ

ନୟାଗଡ଼ ସହରରେ ଚାଲିଥିଲା ନକଲି ନୋଟ୍ ଛପା କାରବାର। ସହର ଛାତି ଉପର ରାଜବଗିଚା ଅଞ୍ଚଳରେ ନକଲି ନୋଟ୍‌ ଛପା ହେଉଥିବା ଆଜି ପର୍ଦ୍ଦାଫାସ ହୋଇଛି। ଏହି ଅପରାଧ ପଛରେ ଗୋଟିଏ ର‌୍ୟାକେଟ୍ କାମ କରୁଥିବା ଲୋକେ ସନ୍ଦେହ କରୁଛନ୍ତି।

ଟାଉନ ଥାନା ପୋଲିସ୍ ୨ଜଣଙ୍କୁ ଧରି ପଚରାଉଚରା କରୁଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ପୋଲିସ୍ ସୂଚନା ଅନୁଯାୟୀ ୨୫୦ ଖଣ୍ଡ ନକଲି ୫ଶହ ଟଙ୍କିଆ ନୋଟ ଜବତ କରାଯାଇଛି।

ନୟାଗଡ଼ ପରି ଏକ ଛୋଟ ସହରରେ ନକଲି ଟଙ୍କା ଛପା କାରବାର ଚାଲିଆସୁଥିଲା। ତାହାର କୌଣସି ସୁରାକ ପୋଲିସକୁ ନ ଥିଲା। ଏକଥା ସହରବାସୀଙ୍କୁ ହଜମ ହେଉନାହିଁ। କିନ୍ତୁ ବାସ୍ତବରେ ଏପରି ଘଟଣା ଖୋଦ୍ ନୟାଗଡ଼ ସହର ମୁଖ୍ୟ ବଜାରରେ ଚାଲିଥିବା ଲୋକଲୋଚନକୁ ଆସିଛି।

ପୋଲିସ୍ ସୂଚନା ଅନୁଯାୟୀ ଖଣ୍ଡପଡ଼ା ଥାନା ଶରଧାପୁର ଗାଁର ୨୩ ବର୍ଷୀୟ ଯୁବକ ଅଞ୍ଜନ ହୋତା ଜଣେ ସହଯୋଗୀଙ୍କ ସହିତ ନୟାଗଡ଼ ଘଡୁଆଳ ରୋଡ୍‌ର ଏକ ଶୋ’ରୁମ୍‌ରୁ ନୂଆ ବାଇକ କିଣି ୧ଲକ୍ଷ ୨୫ ହଜାର ଟଙ୍କାର ନକଲି ନୋଟ୍ ପେମେଣ୍ଟ କରିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଓ ତାଙ୍କ ସାଥୀରେ ଥିବା ଯୁବକକୁ ପୋଲିସ୍ ଥାନାକୁ ଆଣି ପଚରାଉଚରା କରିଥିଲା।

ଅଭିଯୁକ୍ତ ରହୁଥିବା ନୟାଗଡ଼ ସହର ରାଜବଗିଚା ଅଞ୍ଚଳର ଘର ଉପରେ ଚଢ଼ାଉ ବେଳେ ନକଲି ନୋଟ୍‌ ଛପା କାର୍ଯ୍ୟରେ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ଛପା କାଗଜ, ଅଧାଛପା ନକଲି ନୋଟ୍ ଆଦି ଜବତ କରାଯାଇଥିବା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି। ପୋଲିସ୍ ହାତରେ ଧରାପଡ଼ିଥିବା ଅଭିଯୁକ୍ତର ଅନ୍ୟ କାହା ସହ ସଂପର୍କ ରହିଛି, ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଜିଲ୍ଲା ସଦର ମହକୁମାରେ ନକଲି ନୋଟ୍‌ ଛପା କାରବାର କେବେଠାରୁ ଚାଲିଥିଲା ଏବଂ ଏ ବାବଦରେ କେହି କିପରି କିଛି ଜାଣିପାରି ନ ଥିଲେ, ତାହା ଲୋକଙ୍କୁ ବିସ୍ମିତ କରିଛି। ପୋଲିସ ପ୍ରଶାସନ କାର୍ଯ୍ୟଧାରାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସକୁ ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି କହିଛନ୍ତି।

Comment