ଓଡ଼ିଶାଲାଇଭ୍‌ ବ୍ୟୁରୋanti tank missile

ସୀମାରେ ଦେଶକୁ ସୁରକ୍ଷା ଦେବାକୁ ନିୟୋଜିତ ସୈନିକଙ୍କ ବଳ ବଢ଼ାଇବ ଆଣ୍ଟି ଟ୍ୟାଙ୍କ ମିସାଇଲ ‘ନାଗ’। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲ ଖୁବଶୀଘ୍ର ଭାରତୀୟ ସ୍ଥଳସେନାରେ ସାମିଲ ହେବ। କାରଣ ସେନାରେ ଏହି ମିସାଇଲକୁ ସାମିଲ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

ଗୁରୁବାର ସକାଳେ ଡିଆରଡିଓ ପୋଖରନ୍ ରେଞ୍ଜରେ ଏହି ମିସାଇଲର ଶେଷ ସଫଳ ପରୀକ୍ଷଣ କରିଥିଲା। ଏହାପୂର୍ବରୁ ୧୯ ଅକ୍ଟୋବରରେ ଡିଆରଡିଓ ଓଡିଶାର ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିରେ ଟେଷ୍ଟିଂ ଷ୍ଟାଣ୍ଡ-ଅଫ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ (SANT)ର ପରୀକ୍ଷା କରିଥିଲା।

ରିପୋର୍ଟ ଅନୁସାରେ ନାଗ ଆଣ୍ଟି ଟ୍ୟାଙ୍କ ମିସାଇଲ ୧୦ ଟି ସଫଳ ପରୀକ୍ଷଣ ଶେଷ କରିଛି। ତେଣୁ ଏହି ମିସାଇଲ ବର୍ତ୍ତମାନ ଭାରତୀୟ ସେନାରେ ଯୋଗଦେବାକୁ ପ୍ରସ୍ତୁତ ଅଛି।

ଖାସ୍‌ କଥା ହେଉଛି ଏହା ପରେ ଭାରତକୁ ଆମେରିକା କିମ୍ବା ଇସ୍ରାଏଲ ଉପରେ ଏହି  ଅସ୍ତ୍ର ପାଇଁ ନିର୍ଭର କରିବାକୁ ପଡିବ ନାହିଁ। କାରଣ ପୂର୍ବରୁ ଏହି ଅସ୍ତ୍ର ପାଇଁ ଭାରତ ଆମେରିକା, ଇସ୍ରାଏଲରେ ନିର୍ଭର କରିଥାଏ। ନିକଟରେ ଲଦାଖରେ ଚୀନ୍ ସେନା ସହିତ ତିକ୍ତତା ବୃଦ୍ଧି ପାଇବା ପରେ ଭାରତକୁ ଜରୁରୀକାଳୀନ ପରିସ୍ଥିତିରେ ଇସ୍ରାଏଲରୁ ୨୦୦ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ମିସାଇଲ କିଣିବାକୁ ପଡ଼ିଥିଲା।

ନାଗ ମିସାଇଲ ବିଶେଷତ୍ୱ ହେଉଛି ଏହା ଅତି କମରେ ୫୦୦ ମିଟରରୁ ଆରମ୍ଭ କରି ୪ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିପାରିବ। ଏହା ଯେକୌଣସି ପାଣିପାଗରେ ଓ ରାତିରେ ମଧ୍ୟ ନିଜର ଟାର୍ଗେଟରେ ଭେଦି ପାରିବ।

Comment