ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପୂର୍ବତନ କ୍ରିକେଟର କପିଲ ଦେବ ହୃଦଘାତର ଶିକାର ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଓଖାଲ ରୋଡ୍ ସ୍ଥିତ ଫରଟିସ୍ ଏସକର୍ଟ୍‌ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଛି। ବର୍ତ୍ତମାନ କପିଲଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ କ୍ରିକେଟ ଜଗତ ସହ ଜଡ଼ିତ ଅନେକ ବ୍ୟକ୍ତି କପିଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ କପିଲଙ୍କ ଆରୋଗ୍ୟ କାମନା କରି ଟୁଇଟ୍ କରିଛନ୍ତି।

୬୧ ବର୍ଷୀୟ କପିଲ ଦେବ କ୍ରିକେଟରୁ ଅବସର ନେବା ପରଠାରୁ କ୍ରିକେଟର ଧାରା ବିବରଣୀ ପ୍ରଦାନ କରି ଆସୁଛନ୍ତି। ଏଥିସହ ସେ ଅନେକ ଟିଭି ସୋ’ରେ ମଧ୍ୟ ନଜର ଆସିଛନ୍ତି।ଭାରତରେ କ୍ରିକେଟକୁ ଲୋକପ୍ରିୟ କରାଇବାରେ କପିଲ ଦେବଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଅଧିନାୟକତ୍ଵରେ ୧୯୮୩ ମସିହାରେ ଟିମ୍‌ ଇଣ୍ଡିଆ ପ୍ରଥମ କରି ବିଶ୍ଵକପ୍ ଜିତିଥିଲା। ଜଣେ ସଫଳ ଅଲ୍‌ରାଉଣ୍ଡର ଓ ସଫଳ କ୍ୟାପ୍‌ଟେନ୍ ତାଲିକାରେ କପିଲ ହେଉଛନ୍ତି ଅନ୍ୟତମ।

ସେ ୧୯୭୮ରୁ ୧୯୯୪ ପର୍ଯ୍ୟନ୍ତ ଭାରତୀୟ ଟିମ୍ ପାଇଁ କ୍ରିକେଟ୍ ଖେଳିଛନ୍ତି। ନିଜ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଭିତରେ କପିଲ ୧୩୧ଟି ଟେଷ୍ଟ ମ୍ୟାଚ୍ ଖେଳି ୫,୦୦୦ରୁ ଅଧିକ ରନ୍ ଓ ୪୩୪ ଓ୍ଵିକେଟ୍ ହାସଲ କରିଛନ୍ତି। ସେହିପରି ୨୫୦ଟି ଓ୍ଵାନ୍‌ ଡେ ମ୍ୟାଚ୍ ଖେଳି ୩,୭୮୩ ରନ୍ ଓ ୨୫୩ ରନ୍ ହାସଲ କରିଛନ୍ତି।

Comment