ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି। ସବୁଠୁ ଖାସ କଥା କରୋନା ସତ୍ତ୍ୱେ ବିହାରବାସୀଙ୍କ ମଧ୍ୟରେ ଭୋଟ୍ ପାଇଁ ଉତ୍ସାହ ଥିବା ଦେଖାଯାଇଛି।

କରୋନା ଭାଇରସ୍ ପାଇଁ ଭୋଟ୍ ଦେବାର ଧାରାକୁ ସାମାନ୍ୟ ବଦଳାଇ ଦିଆଯାଇଛି ସତ କିନ୍ତୁ ଲୋକେ ମୁହଁରେ ମାସ୍କ, ହାତରେ ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରି ଭୋଟ୍‌ ଦେବାକୁ ପହଞ୍ଚିଥିବା ଦେଖାଯାଇଛି।

ଭୋଟର କିଭଳି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ଓ ସଂକ୍ରମଣକୁ ଆଡ଼େଇ ପାରିବେ ସେନେଇ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି।  ଏଥିସହିତ ଯେଉଁମାନେ ନିର୍ବାଚନ ଡ୍ୟୁଟିରେ ଅଛନ୍ତି ସେମାନଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତର ଭାବେ ନିଆଯାଇଛି। ସଂକ୍ରମଣରୁ ରକ୍ଷା କରିବା ପାଇଁ ନିର୍ବାଚନ ଆୟୋଗ ସେମାନଙ୍କ ପାଇଁ ପିପିଇ କିଟ୍ ବ୍ୟବସ୍ଥା କରିଛନ୍ତି। ନିର୍ବାଚନ କର୍ମୀମାନେ ପିପିଇ କିଟ୍ ପିନ୍ଧି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ମାପ କରାଯାଉଛି। ଭୋଟ୍ ଦେବା ପୂର୍ବରୁ ଓ ପରେ ଭୋଟରଙ୍କ ହାତକୁ ସାନିଟାଇଜ କରାଯାଉଛି।

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ନଭେମ୍ବର ୩ ଓ ୭ରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟ ହେବ। ଏହାପରେ ନଭେମ୍ବର ୧୦ ତାରିଖରେ ବିହାର ନିର୍ବାଚନର ଫଳାଫଳ ଘୋଷଣା ହେବ।

Comment