ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କରୋନା ପରୀକ୍ଷା ପାଖାପାଖି ୫୦ ଲକ୍ଷରେ ପହଞ୍ଚିଲାଣି। ମୋଟ ଜନସଂଖ୍ୟାର ଏହା ହେଉଛି ପ୍ରାୟ ୧୩ ପ୍ରତିଶତ। ତେବେ ସରକାର ଚିନ୍ତା କରୁଛନ୍ତି କୋଭିଡ ଟେଷ୍ଟିଂ ଗ୍ରାମାଞ୍ଚଳରେ ହ୍ରାସ କରି ସହରାଞ୍ଚଳରେ ତାହା ବଢାଇବେ। ବିଶେଷ କରି ଯେଉଁ ସବୁ ସହରରେ ଓ ଅଞ୍ଚଳରେ ଲୋକସଂଖ୍ୟା ଖୁବ ବେଶୀ ସେହି ସବୁ ଇଲାକାରେ ଟେଷ୍ଟିଂକୁ ଜୋରଦାର କରାଯିବ।

ସରକାରଙ୍କ ଯୁକ୍ତି ହେଉଛି ଯେ ଏ ପର୍ଯ୍ୟନ୍ତ ଜନସଂଖ୍ୟାର ସାନ୍ଧ୍ରତା ବା ଡେନ୍ସିଟିକୁ ଭିତ୍ତି କରି କୋଭିଡ ପରୀକ୍ଷା ହୋଇ ଆସିଛି ଓ ଆଗାମୀ ଦିନରେ ମଧ୍ୟ ସେହି ଭିତ୍ତିରେ ହିଁ ଟେଷ୍ଟିଂ ଜାରି ରହିବ। ତା ଅନୁଯାୟୀ ଭୁବନେଶ୍ୱର, ପୁରୀ ଓ କଟକରେ ଟେଷ୍ଟିଂର ତୀବ୍ରତାକୁ ବୃଦ୍ଧି କରାଯିବ। ଆଉ କିଛି ବଡ଼ ସହରରେ ମଧ୍ୟ ଏହିଭଳି କରାଯିବ। ଯେହେତୁ ଶୀତ ଅନୁଭୂତ ହେବା ଆରମ୍ଭ ହେଲାଣି ଲୋକ ହାଉଜାଉ ଅଞ୍ଚଳରେ ପରୀକ୍ଷା ଜରୁରୀ ହୋଇପଡ଼ିଛି।COVID19 new guideline

ଏବେ ଯାଏଁ ରାଜ୍ୟରେ ୪୯ ଲକ୍ଷ ୩୯ ହଜାର ୩୯୦ଟି କୋଭିଡ ସାମ୍ପୁଲ ନିଆଯାଇ ପରୀକ୍ଷା କରାଯାଇ ସାରିଛି। ଦଶ ତାରିଖ ସୁଦ୍ଧା ଏହା ୫୦ ଲକ୍ଷ ଟପିବ। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ଏଣିକି ସହରାଞ୍ଚଳ ଉପରେ ଦୃଷ୍ଟି ଦିଆଯିବ।

ବର୍ତ୍ତମାନ ରାଜ୍ୟରେ ପଜିଟିଭ ହାର ହେଉଛି ୬ ପ୍ରତିଶତରୁ ଟିକିଏ ବେଶୀ। ଓଡ଼ିଶାରେ ପ୍ରତି ଦଶ ଲକ୍ଷ ଲୋକଙ୍କ ଭିତରୁ ଲକ୍ଷେ ତିନି ହଜାର ଲୋକଙ୍କ କରୋନା ପରୀକ୍ଷା କରାଯାଉଛି। ଅନ୍ୟ ରାଜ୍ୟ ତୁଳନାରେ ଏଠି ଅଧିକ ଟେଷ୍ଟିଂ ହେଉଛି। ବାହାର ରାଜ୍ୟରେ ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୮୫ ହଜାର ଲୋକଙ୍କ ଟେଷ୍ଟିଂ ହୋଇଥାଏ।covid testing centers-2

ସରକାରୀ ସୂତ୍ର ଅନୁସାରେ ଶୀତ ଋତୁରେ ଯେପରି କରୋନା ସଂକ୍ରମଣ ବୃଦ୍ଧି ନପାଏ ସେଥିପାଇଁ ସହର ଇଲାକାରେ ଟେଷ୍ଟିଂ ଉପରେ ସରକାର ଜୋର ଦେବା ଆରମ୍ଭ କରିଛନ୍ତି।ତେଣେ କିଛି ଜିଲ୍ଲାରେ କରୋନା ସଂକ୍ରମଣ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି। ଯଦିଓ ଦୈନିକ ଏକ ହଜାର ଟେଷ୍ଟିଂ ହେଉଛି ଏଥିରୁ ଖୁବ କମ ପଜିଟିଭ ବାହରୁଛନ୍ତି। ଆଲୋଚ୍ୟ  ଜିଲ୍ଲା ଗ୍ରାମାଞ୍ଚଳରେ ଯାଉଛି। ଏହି ସବୁ  ଜିଲ୍ଲାର ସଦର ମହକୁମାରେ କେବଳ ଯାହା ଲୋକସଂଖ୍ୟା ବେଶୀ।

ଯେହେତୁ ଗ୍ରାମାଞ୍ଚଳରେ ବିଶେଷ ପଜିଟିଭ କେସ ସାମ୍ନାକୁ ଆସୁନାହିଁ ଟେଷ୍ଟିଂ କିଟକୁ ନଷ୍ଟ କରିବା ପାଇଁ ସରକାର ଚାହୁଁ ନାହାଁନ୍ତି। ବରଂ ସହରରେ ଏହା କଲେ କିଛି ଫାଇଦା ହେବ ବୋଲି ସରକାର ଚିନ୍ତା କରି ଦେଖିଛନ୍ତି। ଏଣୁ କିଛି ପଛୁଆ  ଜିଲ୍ଲାରେ ଦୈନିକ ପରୀକ୍ଷା କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ବୌଦ୍ଧ, ଗଜପତି,ନୟାଗଡ଼, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ସୁବର୍ଣ୍ଣପୁର।

ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡ଼ା ମଧ୍ୟ  କହିଛନ୍ତି ଯେ ସହର ଅଞ୍ଚଳରେ କୋଭିଡ ଟେଷ୍ଟିଂ କରାଗଲେ ମୋଟ  ସଂକ୍ରମଣକୁ  ରୋକା ଯାଇପାରିବ।

ଭୁବନେଶ୍ୱର ମହାନଗର ନିଗମ ଅଧ୍ୟକ୍ଷ ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି ଯେ ବିଏମସି ଅଞ୍ଚଳରେ ଦୈନିକ ୩ ହଜାର କୋଭିଡ ଟେଷ୍ଟିଂ କରାଯାଉଛି। ଯଦି ସରକାର ଅଧିକ କିଟ ଦିଅନ୍ତି ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଯାଇ ପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

Comment