ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମକରି ଆରମ୍ଭ ହେଲା ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶକ୍ତି ପ୍ରକାଶ ମିଶ୍ରଙ୍କ ତତ୍ତ୍ଵାବଧାନରେ ଗୁରୁବାର ନୟାଗଡ଼ ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଛି। ରୋଗୀ ସେବାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ଚିକିତ୍ସା ବିଜ୍ଞାନର ଏହି ଆଧୁନିକ ସେବା ଆରମ୍ଭ କରାଇଥିବାରୁ ସିଡିଏମ୍ଓ ଡାକ୍ତର ଶକ୍ତି ପ୍ରକାଶ ମିଶ୍ରଙ୍କୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି।

ନୟାଗଡ଼ ବ୍ଲକ କୃଷ୍ଣପ୍ରସାଦ ଗାଁର ଜଣେ ୩୧ ବର୍ଷୀୟ ଯୁବକ ଜିତେନ୍ଦ୍ର ପ୍ରଧାନଙ୍କ ହାତରେ ରହିଥିବା ଦୀର୍ଘ ଦିନର ଏକ ଟ୍ୟୁମରକୁ ଡାକ୍ତର ମିଶ୍ର ମାଇକ୍ରୋସ୍କୋପିକ୍ ପଦ୍ଧତିରେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। ସଫଳତାର ସହ ସର୍ଜରୀ ଶେଷ ହୋଇଥିବା ବେଳେ ଏବେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି।ପ୍ଲାଷ୍ଟିକ୍ ସର୍ଜନ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରକାଶ ମିଶ୍ର କିଛିଦିନ ପୂର୍ବେ ନୟାଗଡ଼ ଜିଲ୍ଲା ସିଡିଏମ୍ଓ ରୂପେ କାର୍ଯ୍ୟରେ ଯୋଗ ଦେଇଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁପରିଚାଳନା ସାଙ୍ଗକୁ କୋଭିଡ୍-୧୯ ମୁକାବିଲାରେ ଡାକ୍ତର ମିଶ୍ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି।

ଡାକ୍ତର ମିଶ୍ର ନିଜେ ସପ୍ତାହକୁ ଗୋଟିଏ ଦିନ ରୋଗୀଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ଓଟି ଓ ଆଉଟଡୋର୍ ସେବା ଯୋଗାଇ ଦେବାକୁ ସ୍ଥିର କରିଛନ୍ତି। ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ପ୍ଲାଷ୍ଟିକ୍ ସର୍ଜରୀ ସେବା ପ୍ରଥମ କରି ଉପଲବ୍ଧ ହେବା ସହିତ ସିଡିଏମ୍‌ଓଙ୍କର ଏପରି ରୋଗୀ ସେବା ମାନସିକତା ଜିଲ୍ଲାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଲୋକମାନେ ମତ ଦେଇଛନ୍ତି।

Comment