ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୋଲିସ ଏଏସ୍‌ଆଇ ଦୁଇ ସାହସୀ ଯୁବକ କଲେ ଉଦ୍ଧାର
  • ପୂଜାସାମଗ୍ରୀ ପାଣିକୁ ଫିଙ୍ଗିବାବେଳେ ଖସିପଡ଼ିଲେଅମ୍ଲାନ
  • ଭୂମିକା ଜାଣିଶୁଣି ପାଣିକୁ ଡେଇଁ ପଡ଼ିଥିଲେ – ପ୍ରତ୍ୟକ୍ଷଦର୍ଶୀ
  • ମୋ ପାଦ ଖସିଯିବାରୁ ପଡ଼ିଗଲି, ମିଥ୍ୟା ଖବର ପ୍ରଚାର କରନ୍ତୁନି – ଭୂମିକା

କଟକ: କଟକ ମଧୁସୂଦନ ସେତୁ ନିକଟ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା ଦାସଙ୍କୁ ଉଦ୍ଧାର କରାଯିବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳୁଛି। ତେବେ ଏସବୁକୁ ଭୂମିକା ଖଣ୍ଡନ କରିଛନ୍ତି। ନଦୀରେ ପୂଜା ସାମଗ୍ରୀ ପକାଇବା ବେଳେ ତାଙ୍କ ଗୋଡ଼ ଖସିଗଲା। ଫଳରେ ସେ ନଦୀରେ ଖସିପଡ଼ିଲେ ବୋଲି ଭୂମିକା କହିଛନ୍ତି। ଏହି ଦୁର୍ଘଟଣାକୁ ନେଇ ମିଥ୍ୟା ଖବର ପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି।

ରବିବାର ଅପରାହ୍ଣରେ ଭୂମିକା ସିଡିଏ-ନୂଆପାଟଣା ମଧୁସୂଦନ ସେତୁ ଉପରୁ ପୂଜା ସାମଗ୍ରୀକୁ ମହାନଦୀରେ ପକାଇବା ବେଳେ ହଠାତ୍ ନଦୀ ଭିତରକୁ ଖସି ପଡ଼ିଥିଲେ। ମାତ୍ର ନିକଟରେ ଥିବା ଧବଳେଶ୍ୱର ଅଞ୍ଚଳର ଦୁଇ ଜଣ ଯୁବକ ଓ ଜଣେ ପୋଲିସ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍କାଳ ସହାୟତା ଯୋଗୁ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା।

ଏହାପରେ ଅମ୍ଲାନ ସିଡିଏ ଫେଜ୍‌-୨ ଥାନାକୁ ଆସି ପୋଲିସ ସହିତ ଆଲୋଚନା କରିବା ପରେ ଭୂମିକାଙ୍କୁ ଘରକୁ ନେଇଯାଇଛନ୍ତି। ଘଟଣାଟି ସହରରେ ଏକରକମ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ କିଛି ଲୋକଙ୍କ କହିବା ମୁତାବକ, ଭୂମିକା ପାଣିରେ ଅଚାନକ ଖସି ପଡ଼ିନଥିଲେ, ବରଂ ସେ ଜାଣିଶୁଣି ପାଣିକୁ ଡେଇଁ ପଡ଼ିଥିଲେ।

ସେମାନଙ୍କ କହିବା କଥା, ଅପରାହ୍ଣ ସମୟରେ କାର୍‌ରୁ ଅମ୍ଲାନ ଓ ଭୂମିକା ବାହାରିଥିଲେ। ହଠାତ୍ ଭୂମିକା ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ନଦୀକୁ ଡେଇଁପଡ଼ିଥିଲେ। ମାତ୍ର ନଦୀରେ ପାଣି କମ୍ ଥିବାରୁ ଭୂମିକା ବୁଡ଼ି ନଯାଇ ଛିଡ଼ା ହୋଇ ରହିଥିଲେ। ପରେ ଏ ବିଷୟରେ ପୋଲିସ ଓ ସ୍ଥାନୀୟ ଲୋକେ ଡେଇଁ ପାଣିକୁ ଡେଇଁ ତାଙ୍କୁ ଉଦ୍ଧାର କରିଛନ୍ତି। ବ୍ରିଜ୍‌ରେ ଥିବା ୪ ଫୁଟ୍ ଉଚ୍ଚର ବାଡ଼କୁ ଟପି କେହି ଭୁଲରେ କେବେ ଖସି ପଡ଼ିବେ ନାହିଁ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ଯୁକ୍ତି ବାଢ଼ିଛନ୍ତି।ଅନ୍ୟପଟେ ଅମ୍ଳାନ କିନ୍ତୁ ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। କେତେଜଣ ପ୍ରତ୍ୟକ୍ଷଦର୍ଶୀ ଓ ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟାହ୍ଣ ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ ଭିତରେ ସିଡିଏ ପଟୁ ଏକ କାର୍‌ରେ ଓଡ଼ିଶାର ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ପୁଅ ଅଭିନେତା ଅମ୍ଳାନ ଓ ତାଙ୍କ ପତ୍ନୀ ଆସି ମଧୁସୂଦନ ସେତୁ ଉପରେ ଅଟକିଥିଲେ। ପରେ ପରେ ଦୁହେଁ କାର୍‌ରୁ ବାହାରିଥିଲେ। ଏହି ସମୟରେ ଅମ୍ଳାନ କାର୍ ଭିତରକୁ ଯାଇ ମୋବାଇଲ୍‌ରେ କିଛି କରୁଥିବା ବେଳେ ପତ୍ନୀ ଭୂମିକା ସାଙ୍ଗରେ ଆଣିଥିବା ପୂଜାଫୁଲ, ପୂଜାସାମଗ୍ରୀକୁ ନଦୀ ଭିତରକୁ ପକାଉଥିଲେ। ହେଲେ ହଠାତ୍ ଘଟିଥିଲା ଅଘଟଣ। ଭୂମିକା ପୋଲ ବାଡ଼ାରେ ନଦୀକୁ ଉହୁଙ୍କି ପୂଜା ସମାଗ୍ରୀ ପକାଇବା ବେଳେ ପାଣି ଭିତରକୁ ଖସିପଡ଼ିଲେ।

ସେ ପାଣିରେ ପଡ଼ିବାର ଶବ୍ଦ ଶୁଣି ଅମ୍ଳାନ ତଳକୁ ଦେଖିଲା ବେଳକୁ ଭୂମିକା ପାଣି ଭିତରେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। ସୌଭାଗ୍ୟବଶତଃ, ସେଠାରେ ପାଣି କମ୍ ଥିବାରୁ ଭୂମିକା ବୁଡ଼ି ନଥିଲେ। କିଛି ସମୟ ମଧ୍ୟରେ ବ୍ରିଜ୍‌ର ସିଡିଏ ପଟେ ଛିଡ଼ା ହୋଇଥିବା ଫେଜ୍‌-୨ ଥାନାର ପିସିଆର୍ ଭ୍ୟାନ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ବ୍ରିଜ୍ ଉପରେ ବହୁ ଲୋକ ରୁଣ୍ଡ ହୋଇଯାଇଥିଲେ।

ତେବେ ପିସିଆର୍‌ରେ ଥିବା ଏଏସ୍‌ଆଇ ତ୍ରୈଲୋକ୍ୟ ନାଥ ପରିଡ଼ା ତୁରନ୍ତ ନଦୀ ଭିତରକୁ ବ୍ରିଜ୍ ଉପରୁ ଡିଆଁ ମାରିଥିଲେ। ଏଥି ସହିତ ବ୍ରିଜ୍ ଉପରେ ଛିଡ଼ା ହୋଇଥିବା ଧବଳେଶ୍ଵର ଅଞ୍ଚଳର ଦୁଇ ସାହସୀ ଯୁବକ ହାଡ଼ିବନ୍ଧୁ ଦଳେଇ ଓ ସୁନିଲ କୁମାର ରାଉତ ମଧ୍ୟ ପାଣିକୁ ଲମ୍ଫ ମାରିଥିଲେ।

ଇତିମଧ୍ୟରେ ଭୂମିକା ପାଣି ସ୍ରୋତରେ ବ୍ରିଜ୍‌ର ଗୋଟିଏ ପଟୁ ଆରପାଖକୁ ଭାସି ଆସିଥିଲେ। ଏଏସ୍‌ଆଇ ପରିଡ଼ା ଓ ଦୁଇ ଯୁବକ ଭୂମିକାଙ୍କ ପାଖରେ ପହଞ୍ଚି ତାଙ୍କୁ ଧରି ନେଇଥିଲେ। ପରେ ବ୍ରିଜ୍ ଉପରୁ ଅନ୍ୟ ପୋଲିସ କର୍ମଚାରୀ ଦଉଡ଼ି ପକାଇ ଭୂମିକାଙ୍କୁ ଉପରକୁ ଉଠାଇ ଆଣିଥିଲେ। ପରେ ଏଏସ୍‌ଆଇ ପରିଡ଼ା ଓ ଦୁଇ ସ୍ଥାନୀୟ ଲୋକ ମଧ୍ୟ ଉପରକୁ ଆସିଥିଲେ।

ଏହା ପରେ ଭୂମିକାଙ୍କୁ ପିସିଆର୍ ଭ୍ୟାନ୍ ଯୋଗେ ସିଡିଏ ଫେଜ୍‌-୨ ଥାନାକୁ ଅଣାଯାଇଥିଲା। ସେଠାରେ ସେ କିଛି ସମୟ ରହିବା ପରେ ଥାନାରେ ଅମ୍ଲାନ ଆସି ପହଞ୍ଚିଥିଲେ। ଘଟଣା ନେଇ ପ୍ରଥମେ ଭୂମିକାଙ୍କୁ ଓ ପରେ ଦୁହିଁଙ୍କୁ ଏକାଠି ବସାଇ ପଚରାଉଚରା କରାଯାଇଥିଲା। ଏହା ଏକ ଦୁର୍ଘଟଣା ବୋଲି ପୋଲିସ ହୃଦ୍‌‌ବୋଧ କରିବା ପରେ ଅମ୍ଲାନଙ୍କ ସାଙ୍ଗରେ ଭୂମିକାଙ୍କୁ ପୋଲିସ ଘରକୁ ଛାଡ଼ିଥିଲା।

ଏନେଇ ଅମ୍ଳାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଏହା ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଥିଲା। ସେ ନିଜେ କାର୍ ଭିତରେ ଥିଲେ, ମୋବାଇଲରେ ବ୍ୟସ୍ତ ଥିଲେ। ପୂଜାସାମଗ୍ରୀ ଫିଙ୍ଗିବା ବେଳେ ଭୂମିକା ହଠାତ୍ ପାଣି ଭିତରକୁ ଖସିପଡ଼ିଥିଲେ। ପତ୍ନୀଙ୍କୁ ଉଦ୍ଧାର କରିବାକୁ ସେ ନିଜେ ଡେଇଁବାକୁ ବାହାରିଥିଲେ ହେଁ ତାଙ୍କୁ ଲୋକେ ଧରିନେଇଥିଲେ। ତେବେ ଭାଗ୍ୟ ଭଲ, ଏଥିରେ ଭୂମିକାଙ୍କୁ କୌଣସି ପ୍ରକାର ଆଘାତ ଲାଗିନି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏପରିକି ନିଜେ ସୁସ୍ଥ ଥିବା କଥା ଭୂମିକା ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ ଥାନାରୁ ଘରକୁ ଯାଇଥିଲେ।

ତେବେ ଏହି ଦୁର୍ଘଟଣାକୁ ନେଇ ମିଥ୍ୟା ଅପପ୍ରଚାର କରାଯାଉଥିବାରୁ ଭୂମିକା ଏହାକୁ ବିରୋଧ କରିଛନ୍ତି। ଏହା କେବଳ ଏକ ଦୁର୍ଘଟଣା ଥିଲା, ଏହା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି।

Comment