ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୂଆ କ୍ୟାବିନେଟ ଗଠନ କରିବେ ବାଇଡେନ୍‌
  • ଭାରତୀୟ ବଂଶଜଙ୍କୁ ମିଳିପାରେ ସ୍ଥାନ
  • ଚର୍ଚ୍ଚାରେ ଡାକ୍ତର ବିବେକ ମୂର୍ତ୍ତି, ପ୍ରଫେସର ଅରୁଣ ମଜୁମଦାର

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଖୁବଶୀଘ୍ର ଶପଥ ନେବେ। ଏହାପରେ ବାଇଡେନ ତାଙ୍କ କ୍ୟାବିନେଟ ଗଠନ କରିବେ। ତେଣୁ କେଉଁମାନେ ବାଇଡେନଙ୍କ କ୍ୟାବିନେଟରେ ରହିବେ ସେନେଇ ଏବେ ତାଲିକା ପ୍ରସ୍ତୁତ ହେଉଛି। ତେବେ ତାଙ୍କ କ୍ୟାବିନେଟରେ ଦୁଇ ଜଣ ଭାରତୀୟ ବଂଶଜ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ ବ୍ୟକ୍ତି ହେଲେ ଡାକ୍ତର ବିବେକ ମୂର୍ତ୍ତି ଓ ପ୍ରଫେସର ଅରୁଣ ମଜୁମଦାର। ତେବେ ଏହି ଦୁଇ ବ୍ୟକ୍ତିଙ୍କର ବିଶ୍ୱର ସବଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କ’ଣ ଭୂମିକା ରହିଛି ଓ କାହିଁକି ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି?

ଡାକ୍ତର ବିବେକ ମୂର୍ତ୍ତି

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଶାସନ ସମୟରେ ସର୍ଜନ ଜେନେରାଲ ଥିଲେ ଡାକ୍ତର ବିବେକ ମୂର୍ତ୍ତି। ଏବେ ସେ ବାଇଡେନଙ୍କ କୋଭିଡ ୧୯ ଟିମ୍‌ର ମୁଖ୍ୟ ପରାମର୍ଶଦାତା ଅଛନ୍ତି। ତାଙ୍କୁ ଏବେ ବାଇଡେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାୟିତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବିବେକ ମୂର୍ତ୍ତି ଭାରତର କର୍ଣ୍ଣାଟକ ସହିତ ଜଡ଼ିତ। ସେ ଦୀର୍ଘ ବର୍ଷ ହେବ ଆମେରିକାରେ ରହି ଆସୁଛନ୍ତି। ଡାକ୍ତର ମୂର୍ତ୍ତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ୟେଲ ସ୍କୁଲ ଅଫ୍ ମେଡିସିନ୍ ଏବଂ ୟେଲ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରେ ଅଧ୍ୟୟନ କରିଛନ୍ତି। ବିବେକ ମୂର୍ତ୍ତିଙ୍କ ବାପା, ମା’ ମଧ୍ୟ ଡାକ୍ତର ଥିଲେ। ଆମେରିକାର ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ସେ ଅଧିକାଂଶ ସମୟରେ ବିଭିନ୍ନ ଟିଭି ସୋ’ରେ ଚର୍ଚ୍ଚା କରନ୍ତି।

ଅରୁଣ ମଜୁମଦାର

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଂଜିନିୟରିଂ ପ୍ରଫେସର ଅଛନ୍ତି ଅରୁଣ ମଜୁମଦାର। ସେ ମଧ୍ୟ ବାଇଡେନଙ୍କ କ୍ୟାବନେଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଆଡଭାନ୍ସଡ୍‌ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି- ଏନର୍ଜି (ARPA-E)ର ପ୍ରଥମ ର ପ୍ରଥମ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ବାଇଡେନ ତାଙ୍କୁ ଶକ୍ତି ମନ୍ତ୍ରାଳୟ  ଦାୟିତ୍ୱ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅରୁଣ ମଜୁମଦାର ପୂର୍ବରୁ ଗୁଗଲରେ କାମ କରିଛନ୍ତି।

ଅନ୍ୟପଟେ ଭାରତୀୟ ବଂଶଜ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଏଥର ବାଇଡେନଙ୍କ କ୍ୟାବିନେଟରେ ଏହି ଦୁଇ ଜଣଙ୍କ ବ୍ୟତୀତ ଆଉ କିଛି ଭାରତୀୟ ବଂଶଜଙ୍କୁ ସ୍ଥାନ ମିଳିପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ ତେବେ ଭାରତ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇପାରେ।

Comment