ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଳକାଟିର ପ୍ରସିଦ୍ଧ କଂସାବାସନ ଶିଳ୍ପ ଏବେ ବିଭିନ୍ନ କାରଣରୁ ସଙ୍କଟମୟ ସ୍ଥିତି ଆଡ଼କୁ ଗତି କରୁଛି।

  • କୌଳିକ ବୃତ୍ତି ପ୍ରତି ଯୁବପିଢ଼ିଙ୍କ ଅନାଗ୍ରହ
  • ସରକାରୀ ସହାୟତା ପାଇଁ କାରିଗରଙ୍କ ଦାବି

(ଭୁବନେଶ୍ଵରରୁ ଆରତି ବେହେରା): ଦିନ ଥିଲା ଲୋକେ ନିଜର କୌଳିକ ବୃତ୍ତିକୁ ସମ୍ମାନର ବିଷୟ ଭାବେ ଗ୍ରହଣ କରୁଥିଲେ। ଅନ୍ୟ ପାଖରେ ଖଟି ରୋଜଗାର କରିବା ଅପେକ୍ଷା ନିଜର କୁଳ ବେଉସା କରି ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ସେ ସମୟ ଆଉ ନାହିଁ। କଞ୍ଚମାଲର ଅଭାବ, ଦ୍ରୁତ ଶିଳ୍ପାୟନ, ସ୍ଵଳ୍ପ ରୋଜଗାର ଆଦି ବିଭିନ୍ନ କାରଣ ପାଇଁ ଅନେକ କୌଳିକ ବୃତ୍ତି ଏବେ ଲୋପ ପାଇବାକୁ ବସିଲାଣି। ଏପରି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ବାଳକାଟିର ପ୍ରସିଦ୍ଧ କଂସାବାସନ ଶିଳ୍ପ ସଙ୍କଟମୟ ପରିସ୍ଥିତି ଆଡ଼କୁ ଗତି କରୁଛି। ବିଭିନ୍ନ ସମସ୍ୟାରେ ଘେରି ହୋଇଥିବା ଏହି ଶିଳ୍ପର ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି।

କଂସାବାସନ ପାଇଁ ଦେଶ ବିଦେଶରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଳକାଟି ଗାଁର ସ୍ଵତନ୍ତ୍ର ପରିଚୟ ରହିଛି। ଏଠାକାର ପ୍ରାୟ ସମସ୍ତ କଂସାରୀ ପରିବାର ବହୁ ପୂର୍ବରୁ ଏହି ଶିଳ୍ପ ଉପରେ ନିର୍ଭର କରି ଚଳି ଆସୁଛନ୍ତି। କୌଳିକ ବୃତ୍ତି ଭାବେ ପିଢ଼ି ପରେ ପିଢ଼ି ଏହି ବୃତ୍ତିକୁ ଆପଣେଇ ନେଉଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହାର ଆଦର କମିବାରେ ଲାଗିଛି। ପୁରୁଣା କାରିଗରମାନେ କେବଳ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଭବିଷ୍ୟତ ଗଢ଼ିବାର ଆଶଙ୍କା ଥିବାରୁ ଯୁବପିଢ଼ି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।କଂସାବାସନର ଚାହିଦା କମିଛି

ଆଗରୁ ଘରକରଣାଠାରୁ ବିବାହ ବ୍ରତ ପର୍ଯ୍ୟନ୍ତ ସବୁଥିରେ ଖୋଜା ପଡ଼ୁଥିଲା କଂସାବାସନ। ମାତ୍ର ଏବେ ସମୟ ବଦଳିଛି। କାଳକ୍ରମେ କଂସାବାସନର ସ୍ଥାନ ନେଇଛି ଷ୍ଟିଲ୍, ରସ, ଶଙ୍ଖ ଓ ପ୍ଲାଷ୍ଟିକ ନିର୍ମିତ ଉପକରଣ। କଂସାବାସନ ଅପେକ୍ଷା ଏଗୁଡ଼ିକର ଦର ଯଥେଷ୍ଟ କମ୍ ଓ ବିଭିନ୍ନ ଆକୃତିରେ ରହୁଥିବାରୁ ଲୋକମାନେ ଏଗୁଡ଼ିକୁ ଅଧିକ ବ୍ୟବହାର କରୁଛନ୍ତି। ତେଣୁ କଂସାବାସନର ଚାହିଦା କମିବା ସହ ଆଗପରି ଆଉ ବିକ୍ରି ହେଉନାହିଁ।ଅପରିଷ୍କାର ପରିବେଶ ଓ କଷ୍ଟ କାମ

ଶାଳରେ ବାସନ ତିଆରି ସମୟରେ କୋଇଲା ବ୍ୟବହାର କରାଯାଏ। ଏହି କୋଇଲା ଜାଳିବା ସମୟରେ ସେଥିରୁ ପ୍ରଚୁର ମାତ୍ରାରେ କଳାଧୂଆଁ ନିର୍ଗତ ହୁଏ। ତେଣୁ ଏକ ଅପରିଷ୍କାର ପରିବେଶ ମଧ୍ୟରେ ରହି କାମ କରିବାକୁ ପଡ଼େ। ଏହାଛଡ଼ା ଶାଳରେ କାମ କରିବା ଅତ୍ୟନ୍ତ କଷ୍ଟକର। କାରଣ ଯେକୌଣସି ବାସନ ତିଆରି ସମୟରେ ୫ରୁ ୮ କିଲୋଗ୍ରାମ ଓଜନର ହାତୁଡ଼ିରେ ପିଟି ବାସନକୁ ଆକାର ଦିଆଯାଏ, ଯାହାକି ଆଜିକାର ଯୁବପିଢ଼ିଙ୍କ ପାଇଁ କାଠିକର ପାଠ।

ତେଣୁ ଏକ ଅପରିଷ୍କାର ପରିବେଶ ମଧ୍ୟରେ ରହି ଏଭଳି କଷ୍ଟ କାମ କରିବା ଅପେକ୍ଷା ବାହାରେ ମୂଲ ମଜୁରି ଲାଗି ରୋଜଗାର କରିବାକୁ ସେମାନେ ପସନ୍ଦ କରୁଛନ୍ତି। କେତେକ ସ୍ଵାଭିମାନୀ ଯୁବକ ଅନ୍ୟ ପାଖେ ମୂଲ ଲାଗିବା ଅପେକ୍ଷା ନିଜ ଗାଁ ଶାଳରେ ରହି ନିଜର କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ସତ, ମାତ୍ର ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ ବୋଲି କାରିଗର ସୁରେନ୍ଦ୍ର ସାହୁ କହିଛନ୍ତି।ସ୍ଵଳ୍ପ ମଜୁରି

କଂସାବାସନ ଶାଳରେ କାମ କରୁଥିବା ଲୋକଙ୍କୁ ପରିଶ୍ରମ ତୁଳନାରେ ବହୁତ କମ୍ ପାରିଶ୍ରମିକ ମିଳୁଛି। ତେଣୁ କମ୍ପାନି କିମ୍ବା ଅନ୍ୟ କୌଣସି ସଂସ୍ଥାରେ ରହି କାମ କରିବାକୁ ଚାହୁଁଛନ୍ତି ଯୁବପିଢ଼ି।

ଏନେଇ କାରିଗର ଶ୍ରୀଧର ସାହୁ କହିଛନ୍ତି, “ଶାଳରେ ସବୁଦିନ କାମ ହୁଏନାହିଁ। ତେଣୁ ଦୁଇଦିନ କାମ କଲେ ୪ ଦିନ ଘରେ ବସିବାକୁ ହୁଏ। ଫଳରେ ଯାହା ରୋଜଗାର ହୁଏ ତାହା ଘରର ତେଲ ଲୁଣରେ ଖର୍ଚ୍ଚ ହୋଇଯାଏ। ତେଣୁ ଏହି ଶିଳ୍ପକୁ ବୃତ୍ତି କରି ବର୍ତ୍ତମାନ ସମୟରେ ପରିବାର ପ୍ରତିପୋଷଣ ସହ ଏକ ଉତ୍ତମ ଭବିଷ୍ୟତ ଗଢ଼ିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ୁଛି। ସେଥିପାଇଁ ଏହି ଶିଳ୍ପ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ହେଉନାହିଁ।”କଞ୍ଚାମାଲର ଅଭାବ

କଂସା ନିର୍ମିତ ଭଙ୍ଗା ସାମଗ୍ରୀକୁ ତରଳାଇ ନୂଆ ବାସନ ତିଆରି କରାଯାଇଥାଏ। ଏଣୁ କଂସାବାସନର ବ୍ୟବହାର କମିବା ଫଳରେ କଞ୍ଚାମାଲର ଅଭାବ ଦେଖାଦେଇଛି। ପୁଣି କୋଲକାତାରୁ ଆସୁଥିବା କଞ୍ଚାମାଲର ଆମଦାନୀ ଖର୍ଚ୍ଚ ଅଧିକ ହେଉଥିବାରୁ କାରିଗରଙ୍କୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ କଞ୍ଚାମାଲ ସମସ୍ୟା ରହିଥିବା କାରିଗର ଲକ୍ଷ୍ମୀଧର ସାହୁ କହିଛନ୍ତି।

ଏବେ କେବଳ ପୁରୁଣା କାରିଗରମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି। ସରକାର ଏହି ଶିଳ୍ପର ଉନ୍ନତି ପାଇଁ କୌଣସି ପ୍ରୋତ୍ସାହନ ଦେଉନାହାନ୍ତି। ଉନ୍ନତ ଜ୍ଞାନକୌଶଳ, ପର୍ଯ୍ୟାପ୍ତ କଞ୍ଚାମାଲ ଏବଂ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଆଗାମୀ ପିଢ଼ି ଏହି ଶିଳ୍ପ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି କାରିଗରମାନେ ଆଶା ପ୍ରକଟ କରିଛନ୍ତି।

Comment