ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଶରଣକୁଳରେ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ନିଶାଶକ୍ତ ଅବସ୍ଥାରେ ଡ୍ରାଇଭର ଜଣକ ଏହି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି।ମଙ୍ଗଳବାର ଅପରାହ୍ନ ସମୟ ପ୍ରାୟ ୩ଟା ହେବ। ନୟାଗଡ଼-ଓଡ଼ଗାଁ ରାସ୍ତାପଟୁ ଓଡି୦୨ଇ- ୬୧୬୫ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଦ୍ରୁତ ବେଗରେ ଆସିଲା। ଚାହୁଁ ଚାହୁଁ ନରେନ୍ଦ୍ରପୁର ଛକରେ ଟ୍ରକ୍‌ଟି ଦୁଇ ମହିଳାଙ୍କ ଉପରେ ଚଢ଼ିକରି ଚାଲିଗଲା। ଏହାପରେ ଟ୍ରକ୍‌ଟି ଶରଣକୁଳ ବଜାରରେ ପୁଣି ଦୁଇ ଯୁବକଙ୍କୁ ଚକଡ଼ି ଦେଇ ଆଗକୁ ମାଡିଗଲା। ତେବେ ଏତିକିରେ ଶେଷ ହୋଇନଥିଲା ଏହି ଦୁର୍ଘଟଣାର କରାଳ ରୂପ। ପୁଣି ଟିକେ ଆଗକୁ ଯାଇ ଜଣେ ବୃଦ୍ଧ ଏବଂ ତାଙ୍କର ନାତୁଣୀ ଉପରେ ମାଡ଼ିଯାଇଥିଲା ଟ୍ରକ୍‌ଟି। କେହି କିଛି ବୁଝିବା ପୂର୍ବରୁ ୬ ଜଣଙ୍କ କ୍ଷତ ବିକ୍ଷତ ମୃତ ଶରୀର ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଲା।

ଏହି ଦୁର୍ଘଟଣାରେ ନରେନ୍ଦ୍ରପୁର ଗାଁ ଜଣେ ୫୫ବର୍ଷିୟା ମହିଳା, ଜଣେ ୩୫ ବର୍ଷିୟା ମହିଳା ଓ ଅନ୍ୟ ଜଣେ ୨୭ ବର୍ଷିୟ ଯୁବ ରହିଛନ୍ତି। ସେହିପରି ଶରଣକୁଳର ଜଣେ ୮୦ ବର୍ଷିୟ ବୃଦ୍ଧ, ଜଣେ ୧୫ ବର୍ଷର ସ୍କୁଲ ଛାତ୍ରୀ ଏବଂ ଜଣେ ୧୮ ବର୍ଷର କଲେଜ ଛାତ୍ରଙ୍କର ଅକାଳ ମୃତ୍ୟୁ ହୋଇଛି। ଟ୍ରାଫିକ୍ ଫାଙ୍କା ଥିବା ସତ୍ତ୍ଵେ ଟ୍ରକ ଡ୍ରାଇଭର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇବା ପଛରେ ମଦନିଶା ମୁଖ୍ୟ କାରଣ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।ଏକ ସାଙ୍ଗରେ ଏହି ସିରିଜ ଦୁର୍ଘଟଣା ପଛର କାରଣ ମଦ୍ୟପାନ ବୋଲି ସନ୍ଦେହ କରାଯାଉଛି। କାରଣ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଟ୍ରକ୍‌ଟି କଟରାଝରି ଛକ ନିକଟରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ସେଠାରେ ଡ୍ରାଇଭର ଜଣକ ମଦ ପିଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଡ୍ରାଇଭରଜଣକ ଏପରି ନାରକୀୟ କାଣ୍ଡ ଘଟାଇ ଥିବା ଲୋକେ ଆଶଙ୍କା କରିଛନ୍ତି।

ନିଶାସକ୍ତ ଓ ବେପରୁଆ ଗାଡି ଚାଳନା ରୋକିବାରେ ପରିବହନ ବିଭାଗ ବିଶେଷ ଗୁରୁତ୍ଵ ଦେଉନାହିଁ। ଯାହାଫଳରେ ଗୋଟିକ ପରେ ଗୋଟିଏ ଦୁର୍ଘଟଣା ବଢ଼ିଚାଲିଛି ଏବଂ ଏଥିରେ ଅନେକ ଧନ ଜୀବନ ହାନି ଘଟୁଛି। ତେଣୁ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Comment