ଓଡ଼ିଶାଲାଇଭ୍ ବ୍ୟୁରୋ

“ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇପାରିନଥିବା ବେଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି। ଏଥିପାଇଁ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍”, କହିଛନ୍ତି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଏ ଏସ୍‌ ନାଇଡୁ।

ଶୁକ୍ରବାର ସୋଆ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌ର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଭର୍ଚୁଆଲ୍ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଷ୍ଟିସ୍ ନାଇଡୁ। ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଜଷ୍ଟିସ ନାଇଡୁ ଭାରତରେ ନ୍ୟାୟପାଳିକା ବ୍ୟବସ୍ଥାର ଉତ୍କର୍ଷତାକୁ ପ୍ରମାଣ କରିବାକୁ ଯାଇ ଦୁଇ ଜଣ ବିଖ୍ୟାତ ଓକିଲ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଓ ଡକ୍ଟର ରାଧା ବିନୋଦ ପାଲଙ୍କ ନାମ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ, ତତ୍କାଳୀନ ବ୍ରିଟିଶ୍ ସରକାର ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ୩୫ ଜଣ ଭାରତୀୟଙ୍କ ସପକ୍ଷରେ ମକଦ୍ଦମା ଲୁଢୁଥିଲେ ସର୍ଦ୍ଦାର ପଟେଲ। ହେଲେ ଏହି ସମୟରେ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ସମ୍ବାଦ ପାଇଥିଲେ। ଏହାପରେ ବିଚାରପତି କୋର୍ଟର କାର୍ଯ୍ୟ ସ୍ଥଗିତ ରଖିବା ପାଇଁ କହିବାରୁ ପଟେଲ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିସହ ତାଙ୍କ ପାଇଁ ୩୫ ଜଣ ଭାରତୀୟଙ୍କ ଜୀବନ ଅଧିକ ମୂଲ୍ୟବାନ ବୋଲି କହିଥିଲେ। ଏହି ମକଦ୍ଦମାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା।

ସେହିପରି ଡକ୍ଟର ପାଲ୍ ଜାପାନରେ ୨ୟ ବିଶ୍ୱଯୁଦ୍ଧ ସମୟରେ ଅପରାଧ କରିଥିବା ଅଭିଯୁକ୍ତମାନଙ୍କ ବିଚାର କରିବାକୁ ଗଠିତ ଦୂରପ୍ରାଚ୍ୟ ନିମନ୍ତେ ଆନ୍ତର୍ଜାତିକ ମିଲିଟାରୀ ଟ୍ରିବ୍ୟୁନାଲ୍‌ରେ ୩ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ଥିଲେ। ଏହି ବିଚାର ସମୟରେ ସେ ଭିନ୍ନ ମତ ରଖି ଅଭିଯୁକ୍ତମାନଙ୍କ ସପକ୍ଷରେ ରାୟ ଦେଇଥିଲେ। ସେଥିପାଇଁ ଡକ୍ଟର ପାଲ୍‌ଙ୍କ ସ୍ମୃତିରେ ଜାପାନରେ ତାଙ୍କର ପ୍ରତିମୂର୍ତୀ ସ୍ଥାପନ କରାଯାଇଛି ବୋଲି ଜଷ୍ଟିସ୍ ନାଇଡୁ କହିଥିଲେ।

ସେ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରିବା ସହ ନୂତନ ଛାତ୍ରଛାତ୍ରୀମାନେ ଆଇନ୍ ଶିକ୍ଷା ନିମନ୍ତେ ଏକ ଉତ୍ତମ ଅନୁଷ୍ଠାନ ବାଛିଛନ୍ତି ବୋଲି କହିଥିଲେ। ଏହି ବିଶ୍ୱବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ଓ ଉତ୍ତମ ବ୍ୟବସ୍ଥା ସେମାନଙ୍କର ସହାୟକ ହେବ। ଏହି ଶିକ୍ଷାନୁଷ୍ଠାନରୁ ପାସ କରି ଯାଉଥିବା ଛାତ୍ରଛାତ୍ରୀମାନେ ବିଚାରାଳୟ ତଥା ଅନ୍ୟ ସ୍ଥାନରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଥିଲେ।

କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ରାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକାରେ ସ୍ଥାନିତ ହୋଇପାରିଛି। ଏହାଛଡ଼ା ନିକଟରେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କି୍ଙ୍ଗରେ ସୋଆ କୃତିତ୍ୱ ହାସଲ କରିପାରିଛି। ଆଇନ୍ ଶିକ୍ଷା ପ୍ରତି ଅନେକ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀମାନେ ଆକୃଷ୍ଟ ହୋଇଥିବାରୁ ସେ ଖୁସି ଜାହିର କରିଥିଲେ।

ଶିକ୍ଷାନୁଷ୍ଠାର ବରିଷ୍ଠ ପ୍ରଫେସର ଜୟଦେବ ପତି ଓ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ତଥା ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ୍ ମଧ୍ୟ ଉଦ୍‌ବୋଧନ ଦେଇଥିଲେ।

Comment