ଓଡ଼ିଶାଲାଇଭ୍ ବ୍ୟୁରୋ

‘ଥିଲେ ଦିଅ ନଥିଲେ ନିଅ’ ଅଭିଯାନରେ ସାମିଲ ହୋଇ ଗରିବଙ୍କୁ ବସ୍ତ୍ର ଦାନ କରିବାକୁ ଉଡ୍ର ଓଡ଼ିଶାର ମୁଖ୍ୟ ତଥା ଜଣାଶୁଣା ଅଭିନେତା ଆକାଶ ଦାସନାୟକ ଅନୁରୋଧ କରିଛନ୍ତି।

ଶୀତଦିନେ ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରିବାକୁ ଉଡ୍ର ଓଡ଼ିଶା ପକ୍ଷରୁ ସୋମବାର ‘ଥିଲେ ଦିଅ ନ ଥିଲେ ନିଅ’ ଅଭିଯାନ ଆରମ୍ଭ ହୋଇଛି। ଆଜି ଅପରାହ୍ଣ ୪ଟାରେ ଭୁବନେଶ୍ଵର ବାପୁଜୀ ନଗର ସ୍ଥିତ ପ୍ୟାରିସ୍ ବେକରି ସାମ୍ନାରେ ଉଡ୍ର ଓଡ଼ିଶାର ମୁଖ୍ୟ ତଥା ଜଣାଶୁଣା ଅଭିନେତା ଆକାଶ ଦାସନାୟକ ଏବଂ ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲୀପ ତିର୍କି, ହରି ପ୍ରସାଦ ପଟ୍ଟନାୟକ, ଡକ୍ଟର ସୂର୍ଯ୍ୟପ୍ରକାଶ, ଆଦିତ୍ୟ ପ୍ରସାଦ ଦାଶ, ବିଟି ଭରଦ୍ଵାଜ, ଶୀତଲ ପାତ୍ର, ଦେବସ୍ମିତା ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଯାନର ସଫଳତା କାମନା କରିଛନ୍ତି।

‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଲୋକମାନେ ସାମିଲ ହୋଇଛନ୍ତି। ଦେଶର ୧୨ଟି ସହର ଯଥା – ଭୁବନେଶ୍ଵର, ପାରାଦୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁଣେ ଓ ହାଇଦ୍ରାବାଦରେ ଥିବା ସମସ୍ତ ପ୍ୟାରିସ୍ ବେକରି ଆଉଟ୍‌ଲେଟ୍ ଆଗରେ ଥିବା ଦାନବାକ୍ସରେ ଲୋକମାନେ ପୁରୁଣା ଓ ନୂଆ ବସ୍ତ୍ର ଦାନ କରିଛନ୍ତି। ଏଗୁଡ଼ିକୁ ଓ୍ଵାସେକ୍ସ ହସ୍‌ପିଟାଲିଟି ସଲ୍ୟୁସନ୍ ଦ୍ଵାରା ସଫା କରାଯିବା ପରେ ଗରିବଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଉଡ୍ର ପକ୍ଷରୁ କୁହାଯାଇଛି।୨୦୧୮ ମସିହାରେ ‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ମାୟାଧର ନାୟକଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା। ଏହାପରେ ଉଡ୍ର ଓଡ଼ିଶା ପକ୍ଷରୁ ୨୦୧୯ ମସିହାରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତ ବର୍ଷ ଏହି ଅଭିଯାନ ମାଧ୍ୟମରେ ୧୫ ହଜାରରୁ ଊର୍ଦ୍ଧ୍ଵ ନୂଆ ଓ ପୁରୁଣା ବସ୍ତ୍ର ସଂଗୃହୀତ ହୋଇଥିଲା। ଏଗୁଡ଼ିକୁ ଭଲ ଭାବେ ସଫା କରିବା ପରେ ଅସହାୟ ଲୋକଙ୍କୁ ଦାନ କରାଯାଇଥିଲା।

ଏହି ଅଭିଯାନ ସମ୍ପର୍କରେ ଆକାଶ ଦାସନାୟକ କହିଛନ୍ତି, “ସମାଜର ମୁଖ୍ୟସ୍ରୋତରୁ ଦୂରରେ ଥିବା ଅସହାୟ ଲୋକଙ୍କ ପାଖରେ ପିନ୍ଧିବା ପାଇଁ ଭଲ ପୋଷାକ କିମ୍ବା ଶୀତବସ୍ତ୍ରଟିଏ ନାହିଁ। ସେମାନଙ୍କ ପାଖରେ ଭଲ ବସ୍ତ୍ର ପହଞ୍ଚାଇବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି ଅନୁକ୍ରମରେ ଆଜି ସାରା ଓଡ଼ିଶାରେ ‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ୟାରିସ୍ ବେକରି ଆଉଟ୍‌ଲେଟ୍ ସାମ୍ନାରେ ଉଡ୍ର ବ୍ଲେସିଂ ବକ୍ସ ରହିଛି। ସେଥିରେ ଆପଣମାନେ ନିଜର ପୁରୁଣା ବା ନୂଆ ପୋଷାକ ଦାନ କରିପାରିବେ।”

ଆମର ଏହି ଛୋଟିଆ ପ୍ରୟାସ ସମାଜରେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବ। ଆପଣମାନଙ୍କ ପୁରୁଣା ବସ୍ତ୍ରକୁ ନୂଆ ଜୀବନ ମିଳିବ ଏବଂ କାହା ମୁହଁରେ ଟିକେ ହସ ଫୁଟି ପାରିବ ବୋଲି ଆକାଶ କହିଛନ୍ତି।ସେହିପରି ପ୍ୟାରିସ୍ ବେକରିର ମାଲିକ ବିଟି ଭରଦ୍ଵାଜ କହିଛନ୍ତି ଯେ, ଆମେ ସମାଜ ପାଇଁ କିଛି କରିବାକୁ ଚେଷ୍ଟା କରୁ। ତେଣୁ ଉଡ୍ରର ଏହି ଅଭିଯାନରେ ଆମେ ସାମିଲ ହୋଇଛୁ। ଆମେ ଓଡ଼ିଶା ଓ କୋଲକାତାରେ ଥିବା ପ୍ୟାରିସ୍ ବେକରିର ୩୨ଟି ଆଉଟ୍‌ଲେଟ୍ ସାମ୍ନାରେ ଦାନବାକ୍ସ ରଖିଛୁ। ଏଥିରେ ଆପଣମାନେ ପୋଷାକ ଦାନ କରି ଗରିବ ଲୋକଙ୍କୁ ସାହାଯ୍ୟ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିନେତ୍ରୀ ଶୀତଲ ପାତ୍ର କହିଛନ୍ତି, “ଆମେ ନିଜର ମୌଳିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରୁଛୁ। କିନ୍ତୁ ଆମ ଆଖପାଖରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଶୀତଦିନେ ପିନ୍ଧିବା ପାଇଁ ସେମାନଙ୍କ ପାଖେ ଭଲ ବସ୍ତ୍ର ବି ନାହିଁ। ତେଣୁ ସେଭଳି ଲୋକଙ୍କୁ ବସ୍ତ୍ର ଦାନ କରି ଯଦି ଆମେ କିଛି ସାହାଯ୍ୟ କରିପାରିବା ତେବେ ତାଠାରୁ ବଡ଼ କଥା ଆଉ କିଛି ନାହିଁ।” ଏହି ଅଭିଯାନରେ ସାମିଲ ହୋଇ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ଶୀତଲ ଅନୁରୋଧ କରିଛନ୍ତି।

Comment