ଓଡ଼ିଶାଲାଇଭ୍ ବ୍ୟୁରୋ

୪୮ ଘଣ୍ଟା ଭିତରେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ।

ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତ ଦେବାକୁ ଆଗକୁ ଆସିଲା କଂଗ୍ରେସ। କୋଭିଡ୍ ମହାମାରୀ ସ୍ଥିତିରେ କାମ କରିଥିବା ଏହି କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ବୋଲି ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି। ଆସନ୍ତା ୪୮ ଘଣ୍ଟା ଭିତରେ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ମଧ୍ୟ ଦେଇଛି।

ମଙ୍ଗଳବାର ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲୋୟର ପିଏମଜିରେ ପହଞ୍ଚିଥିଲା। ସେଠାରେ ଦୀର୍ଘ ୫ ଦିନ ଧରି ଶୀତ କାକରରେ ଧାରଣାରେ ବସିଥିବା ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଏହି ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଏହାପରେ ସେମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି।ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି, “ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରିବା ସହ ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରହିଛି। ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଆସୁଛନ୍ତି। ହେଲେ ସେମାନଙ୍କୁ ରାଜ୍ୟ ସରକାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ସେମାନଙ୍କୁ ଚାକିରି ଦେଇ ଏବେ ପ୍ରତାରଣା କରିଛନ୍ତି। ଆସନ୍ତା ୪୮ ଘଣ୍ଟା ଭିତରେ ଏହାର ସମାଧାନ ନହେଲେ ଯୁବ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ।”ଏହାସହ ଦୀର୍ଘ ୫ ଦିନ ହେବ ଏହି ମା’ ଭଉଣୀମାନେ ଘର ଛାଡ଼ି ଧାରଣାରେ ବସିଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ତ ଶୁଣିବା ଦୂରର କଥା ସେମାନଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ଆସୁନାହାନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ଭାବେ ଏହି କରୋନା ଯୋଦ୍ଧାମାନଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସର ଏହି ପ୍ରତିନିଧି ଦଳରେ ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ସଙ୍କୁନା କହଁର, ରଞ୍ଜିତ ପାତ୍ର, ନଳିନୀକାନ୍ତ ନାୟକ, ବିଶ୍ୱରଞ୍ଜନ ଦାସ, ଆଦିତ୍ୟ ପରିଡା, ଆଶୁତୋଷ ଲେଙ୍କା, କାର୍ତିକେଶ୍ୱର କାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ।

Comment