ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୃଦ୍ଧ। ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବୃଦ୍ଧ ନଟବର ଦାସ ମଙ୍ଗଳବାର କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କଟକ ଜିଲ୍ଲା କିଶୋରନଗର ଅଞ୍ଚଳର ୯୭ ବର୍ଷୀୟ ନଟବର ଦାସ ଗତ ୧୮ ତାରିଖରେ  କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ରହିଥିଲା। ତା’ସହ କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହାପରେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି।

ସମ୍ ହସ୍ପିଟାଲର ଆପ୍ରାଣ ଉଦ୍ୟମ, ଉତ୍ତମ ଚିକିତ୍ସା ଓ ଯତ୍ନ ଫଳରେ ଜଣେ ବୃଦ୍ଧ ବ୍ୟକ୍ତି ଆଜି କରୋନାରୁ ସୁସ୍ଥ ହୋଇପାରିଛନ୍ତି। ଘରକୁ ଫେରିବା ସମୟରେ ନଟବର ଏବଂ ତାଙ୍କ ପୁଅ କିଶୋର ସମ୍ କୋଭିଡ୍ ଟିମ୍‌କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସେଥିରୁ ସୁସ୍ଥ ହେବାର ନଜିର ରହିଛି।

Comment