ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକାକରଣ ପକ୍ରିୟା ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ାଇବା ପାଇଁ ଆମେରିକାର ତିନି ପୂର୍ବତନ ରାଷ୍ଟ୍ରପତି କ୍ୟାମେରା ସାମ୍ନାରେ ଭ୍ୟାକ୍ସିନ ନେବେ। ଆମେରିକାରେ ଯେଉଁ ଭ୍ୟାକ୍ସିନକୁ ଅନୁମତି ମିଳିବ ତାକୁ ବାରାକ୍ ଓବାମା, ଜର୍ଜ ଡବଲ୍ୟୁ ବୁର୍ଶ ଓ ବିଲ୍ କ୍ଲିଣ୍ଟନ ସାର୍ବଜନୀନ ଭାବେ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି।

ଆମେରିକୀୟ ଲୋକଙ୍କ ଭିତରେ କରୋନା ଟିକାକୁ ନେଇ ଏବେ ବି ଭୟ ରହିଛି। ଯେଉଁ କାରଣରୁ ସେଠାକାର ଲୋକମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ଜଣାପଡୁଛି। ଏକ ରିପୋର୍ଟ ମୁତାବକ ଆମେରିକାର ୪୦ ପ୍ରତିଶତ ଲୋକ କରୋନା ଟିକାକୁ ନେଇ ଭୟଭୀତ ଅଛନ୍ତି। ଏହି ଟିକା ନେଲେ ସେମାନଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ହେବ ବୋଲି ସେମାନେ ଭାବୁଛନ୍ତି। ଲୋକଙ୍କ ଏହି ଚିନ୍ତାଧାରା ବଦଳାଇବା ପାଇଁ ଏହି ତିନି ପୂର୍ବତନ ରାଷ୍ଟ୍ରପତି ପ୍ରଥମେ କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ନାଗିରକମାନେ କରୋନା ଟିକା ନେବାକୁ ଆଗଭର ହେବେ ଏବଂ ସେମାନଙ୍କର ଟିକା ପ୍ରତି ବିଶ୍ୱାସ ଜନ୍ମିବ ବୋଲି କୁହାଯାଇଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା କହିଛନ୍ତି ଯେ, ଟିକା ବାହାରିବା ପରେ ଲୋକଙ୍କୁ ସଚେତନ ଓ ସେମାନଙ୍କୁ ବିଶ୍ୱାସ ଦେବା ପାଇଁ ସେ ପ୍ରଥମେ ଟିକା ଗ୍ରହଣ କରିବେ। ଏହାଦ୍ୱାରା ତାଙ୍କର ବିଜ୍ଞାନ ପ୍ରତି ଭରସା ଅଛି ବୋଲି ସେ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଆମେରିକାର ଅନ୍ୟ ଦୁଇ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁର୍ଶ ଓ ବିଲ୍ କ୍ଲିଣ୍ଟନ ମଧ୍ୟ ଟିକା ବାହାରିବା ପରେ ଏହାକୁ ସାର୍ବଜନୀନ ଭାବେ ଗ୍ରହଣ କରିବେ। ଆବଶ୍ୟକ ପଡ଼ିଲେ ଏହି ଟିକାକରଣକୁ ଟିଭି ପରଦାରେ ମଧ୍ୟ ଦେଖାଯିବ ବୋଲି କୁହାଯାଇଛି।

ଆମେରିକାର ତିନି ପୂର୍ବତନ ରାଷ୍ଟ୍ରପତିଙ୍କ ଏଭଳି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ। ସେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାସହ ଆମେରିକୀୟ ଟିକା ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ପ୍ରଭାବଶାଳୀ ହେଉ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ ମଧ୍ୟ ତିନି ରାଷ୍ଟ୍ରପତିଙ୍କ ମତରେ ସାମିଲ ହୋଇ ନିଜେ ଟିକା ଗ୍ରହଣ କରିବେ ବୋଲି କହିଛନ୍ତି। ଏହାସହ ପୂର୍ବ ରାଷ୍ଟ୍ରପତିମାନଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକାରେ ଏପର୍ଯ୍ୟନ୍ତ କୌଣସି ଟିକାକୁ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। କେବଳ ଫାଇଜର-ବାୟୋଟେକ୍ ଟିକାକୁ ବ୍ରିଟେନରେ ବ୍ୟବହାର ପାଇଁ ଅନୁମତି ମିଳିଛି। ତେବେ ଖୁବଶୀଘ୍ର ଆମେରିକା ନିଜର ଟିକା ବାହାର କରିବାରେ ସଫଳ ହେବ ବୋଲି କୁହାଯାଉଛି।

Comment