ଓଡ଼ିଶାଲାଇଭ୍ ବ୍ୟୁରୋ

‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାରେ ହାଇକୋର୍ଟ କ୍ଷୁବ୍ଧ।

ନୟାଗଡର ବହୁଚର୍ଚ୍ଚିତ ‘ପରୀ’ ମୃତ୍ୟୁ ଘଟଣାରେ ହାଇକୋର୍ଟ ପୋଲିସର ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଅସନ୍ତୋଷ ନୁହେଁ ତାହା ସହ ପୋଲିସର ଦକ୍ଷତାକୁ ନେଇ ମଧ୍ୟ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ୫ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ତଦନ୍ତରେ ସାମାନ୍ୟ ଅଗ୍ରଗତି ଘଟିନାହିଁ ବୋଲି କହିବା ସହ ହାଇକୋର୍ଟ ନିଜର ଅସନ୍ତୋଷ ଜାହିର୍ କରିଛନ୍ତି।

ଆବେଦନକାରୀ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଗୁରୁବାର ହାଇକୋର୍ଟଙ୍କୁ ପରୀ ହତ୍ୟା ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲେ। ସେ କହିଥିଲେ ଯେ, ଗତ ଜୁଲାଇ ଦ୍ଵିତୀୟ ସପ୍ତାହରେ ଘଟିଥିବା ଏହି ଘଟଣାକୁ ନେଇ ପରୀର ବାପା, ମା’ ନୟାଗଡ ସଦର ଥାନାରେ ଏତଲା ଦେଇଥିଲେ। ଯଦିଓ ପୋଲିସ ଏତଲା ରୁଜୁ କରିଥିଲା କିନ୍ତୁ ପରୀକୁ ଉଦ୍ଧାର କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା।ଝିଅକୁ ଉଦ୍ଧାର କରିବା ପାଇଁ ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସବୁଠାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ସେମାନେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାରର କିଛି ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ନେଇ ଧାରଣା ଦେଇଥିଲେ। ସେହିସମୟରେ ବିରଞ୍ଚି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛରୁ ଏକ ଅଖାରେ ବନ୍ଧା ହୋଇଥିବା ଏକ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପରେ ଉକ୍ତ ଶବଟି ପରୀର ବୋଲି ଚିହ୍ନଟ ହୋଇଥିଲା। ଏହି ପରେ ପରୀର ବାପା ଅଶୋକ ସାହୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ସେପ୍ଟେମ୍ବର ୧୧ ତାରିଖରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କୁ ତଦନ୍ତ ପାଇଁ ଅନୁରୋଧ କରିବାକୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ଅନ୍ତ ଘଟାଇଥିଲେ। ସେବେଠାରୁ ତଦନ୍ତରେ କୌଣସି ଅଗ୍ରଗତି ଘଟିନଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ମଧ୍ୟ ତାଙ୍କ ପକ୍ଷ ରଖିଥିଲେ।

ଏସବୁକୁ ଶୁଣିବା ପରେ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାର ଯେହେତୁ ଏସ୍ଆଇଟି ଗଠନ କରି ସାରିଛନ୍ତି ତେଣୁ ଏହି ତଦନ୍ତକାରୀ ସଂସ୍ଥା ତଦନ୍ତକୁ ତ୍ୱରାନିତ କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ଲାଗି ପଦକ୍ଷେପ ନେବାକୁ ଅଦାଲତ ଅଧ୍ୟାଦେଶରେ ସ୍ପଷ୍ଟ କରିଛନ୍ତି। ନୟାଗଡ ଏସପି ପରବର୍ତ୍ତୀ ଶୁଣାଣି ସୁଦ୍ଧା ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ ଲାଗି ହାଇକୋର୍ଟ ଅଧ୍ୟାଦେଶ ଦେଇଛନ୍ତି।

Comment