ଓଡ଼ିଶାଲାଇଭ୍ ବ୍ୟୁରୋ

ସଫଳ ପଦ୍ମଫୁଲ ଚାଷୀ ପି. ରାଜୁ।

ଦଶ ବର୍ଷ ହେଲା ବିଦେଶରେ ଚାକିରି କରୁଥିଲେ। ତା’ପରେ ଭାରତ ଚାଲିଆସିଲେ, ଭାବିଥିଲେ ନିଜ ଦେଶରେ ଚାକିରି କରି ପରିବାର ପୋଷିବେ। ହେଲେ ଚାକିରି ମିଳିଲାନି। ଶେଷରେ ନିଜ ଛାତ ଉପରେ ହିଁ ଆରମ୍ଭ କଲେ ଫୁଲ ଚାଷ। ଯେଉଁଥିରେ ସେ ଏବେ ମାସିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି।ଏ କାହାଣୀ ହେଉଛି କେରଳର ଏର୍ନାକୁଲମ ଜିଲ୍ଲାରେ ରହୁଥିବା ୩୪ ବର୍ଷୀୟ ପି. ରାଜୁଙ୍କର। ଦୀର୍ଘ ଦିନ ଧରି କାତାରରେ ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଚାକିରି କରୁଥିବା ରାଜୁ କିଛି ବର୍ଷ ତଳେ ଭାରତ ଚାଲିଆସିଥିଲେ। ଭାବିଥିଲେ ତାଙ୍କ ପସନ୍ଦ ମୁତାବକ ଚାକିରି ଏଠାରେ ମିଳିଯିବ; କିନ୍ତୁ ସେପରି ହେଲାନି। ବହୁଦିନ ଅଫିସରୁ ଅଫିସ ବୁଲିବା ପରେ କେଉଁଠି ବି ଚାକିରି ଖଣ୍ଡେ ପାଇଲେନି। ଶେଷରେ ସେ ବାଛିଥିଲେ ନିଜ ପିଲାଦିନର ମନ ପସନ୍ଦିଆ କାମ ଫୁଲ ଚାଷ।ପି. ରାଜୁ କହନ୍ତି, “ପିଲାଦିନୁ ମୋତେ ବଗିଚା କାମ କରିବାକୁ ବହୁତ ଭଲ ଲାଗେ। ତେଣୁ ଚାକିରି ନମିଳିବା ପରେ ମୁଁ ଆମ ଘର ଛାତ ଉପରେ ଚାରା ଗଛ ଲଗାଇବା ଆରମ୍ଭ କରିଦେଲି। ବିଶେଷକରି ପଦ୍ମଫୁଲ ଚାଷ ପାଇଁ ମୁଁ ବାହାରୁ ମଞ୍ଜି ମଗେଇଲି। ଯେତେବେଳେ ଛାତ ଉପରେ ଫୁଲ ଫୁଟିଲା, ମୁଁ ସେ ଫଟୋକୁ ସୋସିଆଲ୍ ମିଡିଆରେ ସେଆର୍ କଲି। ଏହାପରେ ମୋ’ଠୁ ଚାରାନେବାକୁ ଚାରିଆଡୁ ଅର୍ଡର ମିଳିବାକୁ ଲାଗିଲା।”

ରାଜୁଙ୍କ କହିବା ମୁତାବକ, ସେ ୟୁଟ୍ୟୁବରୁ ଭିଡିଓ ଦେଖି ଏହି ଚାଷ ଆରମ୍ଭ କରିଥିଲେ। ଏଥିପାଇଁ ସେ ଥାଇଲାଣ୍ଡ ଏବଂ ଆମେରିକାରୁ ବି ଚାରା ମଗେଇଥିଲେ। ଏହାକୁ ପ୍ଲାଷ୍ଟିକ୍ କୁଣ୍ଡରେ ରଖି ସେ ଚାଷ ଆରମ୍ଭ କରିଥିଲେ। ଯେତେବେଳେ ଏଥିରେ ଫୁଲ ଫୁଟିଲା ସେତେବେଳେ ଅନେକ ଲୋକ ତାଙ୍କୁ ଫୋନ୍ କରିବା ଆରମ୍ଭ କରିଥିଲେ।“ପ୍ରଥମେ ଉତ୍ତର ଭାରତର ଲୋକମାନେ ଚାରା ପାଇଁ ଅର୍ଡର କରିବା ଆରମ୍ଭ କରିଥିଲେ। ପରେ ପରେ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ ଭଳି ସହରରୁ ମୋତେ ଏକାଧିକ କଲ୍ ଆସିଥିଲା। ମୁଁ ମଧ୍ୟ ସେମାନଙ୍କୁ ଚାରା ଦେବା ଆରମ୍ଭ କରିଦେଇଥିଲି। ଯେଉଁଥିରୁ ମୋର ଭଲ ରୋଜଗାର ମଧ୍ୟ ହେବାକୁ ଲାଗିଲା”, କହିଛନ୍ତି ସଫଳ ଫୁଲଚାଷୀ ପି. ରାଜୁ।

ରାଜୁ ତାଙ୍କ ଛାତ ଉପରେ ପ୍ରାୟ ୨୦ ପ୍ରକାରର ପଦ୍ମଫୁଲ ଚାଷ କରିଥାନ୍ତି।  ଗୋଟିଏ ଚାରାକୁ ସେ ୮୫୦ ଟଙ୍କାରୁ ଆରମ୍ଭ କରି ୩୫୦୦ ଟଙ୍କାରେ ବିକ୍ରି କରନ୍ତି। ଏବେ ସେ ମାସକୁ ପାଖାପାଖି ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଛନ୍ତି।  ଶେଷରେ ସେ ତାଙ୍କ ପରିବାର ଓ ପତ୍ନୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ତାଙ୍କ ସହାୟତା ଯୋଗୁଁ ହିଁ ସେ ଆଜି ସଫଳ ହୋଇପାରିଛନ୍ତି। ସେ ଯେଉଁଥିପାଇଁ ପାଠ ପଢ଼ିଥିଲେ ଆଜି ସେ କାମ କରୁନାହାନ୍ତି ତଥାପି ତାଙ୍କ ପରିବାର ସବୁବେଳେ ତାଙ୍କ ସହ ଠିଆ ହୋଇଛି ବୋଲି ରାଜୁ କହିଛନ୍ତି।

Comment