ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ପରୀ ହତ୍ୟାକାଣ୍ଡକୁ ନେଇ ପୋଲିସ ଡିଜି ଅଭୟ ଗୁରୁବାର ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏଥିସହ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳକୁ ବଦଳି କରାଯାଇଛି। ମାମଲାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ନେଇ ଅଭିଯୋଗ ହେବା ପରେ ଏପରି ଆକସ୍ମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।

ପୂର୍ବରୁ ଘଟଣାର ତଦନ୍ତକାରୀ ଅଧିକାରୀ ଥିବା ଇନ୍ସପେକ୍ଟର ରୀନାରାଣୀ ସାହୁ ଏବଂ ମାମଲାର ତଦାରଖ (ସୁପରଭିଜନ୍‌) କରୁଥିବା ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କଳ୍ପନା ଜଳ୍ପନା ଲାଗି ରହିଥିଲା। ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷ ବୟସର ନାବାଳିକା ପରୀ ଗତ ଜୁଲାଇ ୧୪ ତାରିଖରେ ଘର ନିକଟରେ ଖେଳୁଥିବା ସମୟରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକେ ନୟାଗଡ଼ ସଦର ଥାନାରେ ଏତଲା ଦେଇଥିଲେ।

ତେବେ ଏହି ଅଭିଯୋଗକୁ ଆଧାର କରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲେ ହେଁ ପରୀର ସନ୍ଧାନ ଲାଗି କୌଣସି ପଦକ୍ଷେପ ନେଇନଥିଲା। ନିଖୋଜ ହେବାର ପ୍ରାୟ ୯ ଦିନ ପରେ ଜୁଲାଇ ୨୩ ତାରିଖ ଦିନ ଘର ବାରି ପଛ ପଟେ ଏକ ବସ୍ତା ଭିତରେ ପରୀର ଶବ ଭର୍ତ୍ତି ହୋଇ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ବସ୍ତା ଭିତରେ ଥିବା ଶବରେ ମାଂସ ନଥିବା ବେଳେ କେବଳ ଖପୁରୀ ଓ ହାଡ଼ ରହିଥିଲା। ପରୀକୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ଏପରି କରିଥାଇପାରେ ବୋଲି ସେତେବେଳେ ସନ୍ଦେହ ସୃଷ୍ଟି ହୋଇଥିଲା।

ତେବେ ନୟାଗଡ଼ ସଦର ଥାନା ପୋଲିସ ଏକ ହତ୍ୟାକାଣ୍ଡ ମାମଲାରେ ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଇନଥିବା ଓ କେବଳ ଏକ ମାମଲା ରୁଜୁ କରି ନିଜ ଦାୟିତ୍ୱ ସାରି ବସିଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ନୟାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Comment