ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ, କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନ ପାଇଲେ ଲୋକେ ସିବିଆଇ ତଦନ୍ତ ପାଇଁ ଦାବି କରନ୍ତି। ଏବେ କିନ୍ତୁ ଖୋଦ୍ ସିବିଆଇ ବିରୋଧରେ ଏକ ମାମଲାର ତଦନ୍ତ କରିବ ତାମିଲନାଡୁ ପୋଲିସ।

ସିବିଆଇ ହେପାଜତରୁ ୧୦୩ କେଜି ସୁନା (ପ୍ରାୟ ୪୩ କୋଟି ଟଙ୍କା) ଗାଏବ ହେବା ଘଟଣାର ତଦନ୍ତ ପାଇଁ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ୍ ହାଇକୋର୍ଟ। ଏହାଦ୍ୱାରା ସିବିଆଇର ପ୍ରତିଷ୍ଠା ଉପରେ ଆଞ୍ଚ୍ ଆସିବ ବୋଲି କୋର୍ଟରେ ଆବେଦନ କରାଯାଇଥିଲେ ମଧ୍ୟ ମାଡ୍ରାସ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଏମିତି କି ଏହି ତଦନ୍ତକୁ ହାଇକୋର୍ଟ ଅଗ୍ନିପରୀକ୍ଷା ବୋଲି କହିବା ସହ, ସିବିଆଇକୁ ଏଥିରୁ ମୁକ୍ତ କରାଯାଇ ପାରିବନାହିଁ ବରଂ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସିବିଆଇର ଚେହେରା ଆହୁରି ଉଜ୍ଜଳ ହେବ ବୋଲି ହାଇକୋର୍ଟ କହିଛନ୍ତି।୨୦୧୨ ମସିହାରେ ସିବିଆଇ ଚେନ୍ନାଇର ସୁରନା କର୍ପୋରେସନ ଲିମିଟେଡ୍ ଉପରେ ଚଢ଼ଉ କରି ୪୦୦ କେଜି ସୁନା ଜବତ କରିଥିଲା। ଏହାକୁ ସେହି ଫାର୍ମର ଏକ ସୁରକ୍ଷିତ ଗମ୍ବୁଜବାଲା ଘରେ ତାଲା ପକାଇ ରଖାଯାଇଥିଲା। ସିବିଆଇର ଦାବି ଅନୁସାରେ ଏହି ଗମ୍ବୁଜର ତାଲା ସିବିଆଇ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ତାଲା ସିବିଆଇ କୋର୍ଟକୁ ପ୍ରଦାନ କରାଯାଇଥିବା ନେଇ କୌଣସି ରେକର୍ଡ ନାହିଁ।

ସୁରନା କମ୍ପାନି ବିଭିନ୍ନ ବ୍ୟାଙ୍କକୁ ଅର୍ଥ ପ୍ରଦାନ କରିବାର ଥିବାରୁ ସମ୍ପୃକ୍ତ ସୁନାକୁ ବିକ୍ରି କରି ବ୍ୟାଙ୍କକୁ ଅର୍ଥ ପଇଠ କରିବା ପାଇଁ ଆବେଦନ କରିଥିଲା। ଏହାକୁ ସିବିଆଇ ବିରୋଧ କରିଥିଲେ ମଧ୍ୟ ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ ସୁରନା କମ୍ପାନିକୁ ସୁନା ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ଅଧିକାରୀମାନଙ୍କ ସମ୍ମୁଖରେ ଯେତେବେଳେ ସୁନା ଖୋଲାଯାଇଥିଲା ସେତେବେଳେ ପାଖାପାଖି ଗୋଟେ କ୍ୱିଣ୍ଟାଲ ସୁନା ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାର ତଦନ୍ତ ପାଇଁ ଏବେ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here