ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ନିଖୋଜ ଶିଶୁକନ୍ୟା ସ୍ୱାତୀର ମୃତଦେହ ମଙ୍ଗଳବାର ଜବତ ହୋଇଛି। ନିଖୋଜ ହେବାର ପ୍ରାୟ ୯୦ ଘଣ୍ଟା ପରେ ଗାଁର ଏକ ପରିତ୍ୟକ୍ତ ପୋଖରୀରୁ ତାର ମୃତଦେହ ମିଳିଛି। ତେବେ ସ୍ୱାତୀ ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ତାକୁ କେହି ଦୁର୍ବୃତ୍ତ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

ଡିସେମ୍ବର ୧୧ ତାରିଖ ଅପରାହ୍ନ ସାଢ଼େ ୨ଟାରେ ସ୍ୱାତୀ ଖେଳୁଥିବା ବେଳେ ନିଜ ଘର ଦୁଆର ମୁଁହରୁ ନିଖୋଜ ହୋଇ ଯାଇଥିଲା। ତାକୁ କେହି ଅପହରଣ କରି ନେଇଥିବା ସ୍ୱାତୀର ବାପା ସଞ୍ଜୟ ସାହୁ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ପରୀ ହତ୍ୟା ମାମଲାରେ ବିଫଳ ନୟାଗଡ଼ ପୋଲିସ ପାଇଁ ନିଖୋଜ ସ୍ୱାତୀକୁ ଠାବ କରିବା କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା।

ଏଭଳି ସ୍ଥିତିରେ ସ୍ୱାତୀକୁ ଖୋଜି ବାହାର କରିବା ପାଇଁ ପୋଲିସ ଦିନ ରାତି ଏକ କରି ଦେଇଥିଲା। ବଧିପାଟଣା ଗାଁରେ ଥିବା ପୋଖରୀ, କୂଅ, ନିକଟସ୍ଥ ଚାଷ ଜମି ଓ ଜଙ୍ଗଲିଆ ଅଞ୍ଚଳରେ ପୋଲିସ ଛାନଭିନ୍ କରିଥିଲା। ହେଲେ କିଛି ମିଳି ନଥିଲା। ତେବେ ମଙ୍ଗଳବାର ଗାଁର ଏକ ପରିତ୍ୟକ୍ତ ପୋଖରୀରେ ସ୍ୱାତୀର ମୃତଦେହ ଭାସୁଥିବା ଜଣା ପଡ଼ିଥିଲା। ଖବର ପାଇ ପୋଲିସର ସାଇଣ୍ଟିଫିକ୍ ଟିମ୍ ଗାଁରେ ପହଞ୍ଚି ବିଭିନ୍ନ ଦିଗରୁ ଅନୁସନ୍ଧାନ ଆରମ୍ଭ କରିଛି। ଗତକାଲି ସନ୍ଧ୍ୟ।ରେ ମୃତଦେହ ବ୍ୟବଚ୍ଛେଦ୍ଦ କରାଯାଇଛି।

ବ୍ୟବଚ୍ଛେଦ୍ଦ ରିପୋର୍ଟକୁ ପୋଲିସ ଗୁରୁତ୍ୱ ଦେଉଥିବା ବେଳେ କେହି ସ୍ୱାତୀକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି। ସ୍ୱାତୀର ବାପା ଓ ମାଙ୍କର ସେମିତି କାହାରି ସହ ଶତ୍ରୁତା ନଥିବା କୁହାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସପି ପ୍ରତ୍ୟୁଷ ଦିବାକର କହିଛନ୍ତି।

Comment