ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ଚାଲିଥିବା ବେଳେ ଶନିବାର ସକାଳେ ଯଦୁପୁର ଗାଁର ୩ଜଣଙ୍କୁ ତଦନ୍ତକାରୀ ଦଳ ଏସଆଇଟି ପଚରା ଉଚରା ପାଇଁ ନିଜ ହେପାଜତକୁ ନେଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଖବର ମିଳିଛି। ଯଦୁପୁର ଗାଁର ସରୋଜ ସେଠୀ ଏବଂ ତାଙ୍କ ମାଆ, ଭଉଣୀଙ୍କୁ ଏସଆଇଟି ହେପାଜତକୁ ନେଇଥିବା ଶୁଣିବାକୁ ମିଳିଛି। ତେବେ ପୋଲିସ କିମ୍ଵା ଏସଆଇଟି ପକ୍ଷରୁ ଏବାବଦରେ କିଛି ସୂଚନା ମିଳିପାରି ନାହିଁ।

ପରୀ ମାମଲାରେ ତଦନ୍ତକାରୀ ଦଳ ଏସଆଇଟି, ଗତ ୧୬ ତାରିଖରେ ହାଇକୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ଅନୁସାରେ କୁନି ଝିଅ ପରୀକୁ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ଜାଣିବାକୁ ମିଳିଥିଲା। ଏଥିସହ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଏସଆଇଟି ଚିହ୍ନଟ କରିସାରିଥିବା ନେଇ ମଧ୍ୟ ରିପୋର୍ଟରେ କୁହାଯାଇଥିଲା।ପରୀ ନିଖୋଜ ହେବାର ଦିନକ ପୂର୍ବରୁ ତାକୁ ଶେଷଥର ପାଇଁ ପଡୋଶୀ ସରୋଜ ସେଠୀଙ୍କ ଘରେ ଦେଖା ଯାଇଥିଲା। ତେଣୁ ସରୋଜ ହିଁ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ ରହିଥିବା ଶୁଣିବାକୁ ମିଳିଥିଲା।

ଅନ୍ୟପଟେ ସରୋଜ ନିଜ ମୁଣ୍ତକୁ ଦୋଷ ନେଇଯାଆନ୍ତୁ କହି ତାଙ୍କୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ୫ ଲକ୍ଷ ଯାଚିଥିବା ସରୋଜ ଗଣମାଧ୍ୟମ ଆଗରେ କହିଥିଲେ। ଏଥିସହ ଏସଆଇଟି ସରୋଜଙ୍କୁ ପଚରା ଉଚରା କରି ତାଙ୍କର ରକ୍ତ ଏବଂ ଲାଳର ନମୁନା ମଧ୍ୟ ପରୀକ୍ଷା କରାଇଥିବା ସରୋଜ କହିଥଲେ।

Comment