ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ଦେଖିବାକୁ ମିଳିଛି କରୋନାର ନୂଆ ରୂପ।

ମହାମାରୀ କରୋନା ଭାଇରସକୁ ନେଇ ଏବେ ବି ଚିନ୍ତାରେ ବିଶ୍ୱବାସୀ। ଟିକାକରଣ ସବୁ ଦେଶରେ ଆରମ୍ଭ ହୋଇନଥିବାବେଳେ, ବ୍ରିଟେନରେ ଏବେ କରୋନାର ନୂଆ ରୂପ ଦେଖିବାକୁ ମିଳିଛି। ପୂର୍ବ ଭାଇରସ ତୁଳନାରେ ଏହା ଅଧିକ ସଂକ୍ରମିତ ହେଉଥିବାରୁ ବୈଜ୍ଞାନିକମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ପଡ଼ିଲେଣି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଭାଇରସ କେତେ ଭୟାନକ ଏବଂ କୋଭିଡ୍ ଭାକ୍ସିନ ଏହାକୁ ମାତ୍ ଦେଇପାରିବ କି ନାହିଁ ତାକୁ ନେଇ ଏବେ ଚିନ୍ତା ଦେଖାଦେଇଛି।

ଗତ କିଛି ଦିନ ହେଲା ବ୍ରିଟେନରୁ କରୋନାର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ପୂର୍ବ ତୁଳନାରେ ଏହି ନୂଆ ଭାଇରସ ଲୋକମାନଙ୍କୁ ଅଧିକ ସଂକ୍ରମିତ କରୁଥିବାବେଳେ ଏହାକୁ ରୋକିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଦେଶରେ ପୁଣି ଲକଡାଉନ୍ ଜାରି କରିଛନ୍ତି। ଭାରତ ସରକାର ମଧ୍ୟ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବ୍ରିଟେନରୁ ଭାରତକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି।

କେତେ ଭୟାନକ ନୂଆ ଭାଇରସ୍?

ପୂର୍ବ ତୁଳନାରେ ଏହି ନୂଆ ପ୍ରକାରର କରୋନା ଭାଇରସ କେତେ ଭୟାନକ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ହେଲେ ଏହା ପୂର୍ବ ତୁଳନାରେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ବୋଲି କୁହାଯାଇଛି। ସେପ୍ଟେମ୍ବର ମାସରେ ଏହି ନୂଆ ଭାଇରସ ବ୍ରିଟେନରେ ଅଳ୍ପ ପରିମାଣରେ ଦେଖିବାକୁ ମିଳିଥିଲା। ହେଲେ ନଭେମ୍ବର ମାସରୁ ଡିସେମ୍ବର ମାସ ଭିତରେ ଏହି ଭାଇରସ ସେଠାରେ ବହୁଳ ପରିମାଣରେ ଦେଖିବାକୁ ମିଳିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କହିବା ମୁତାବିକ, ଏହା ଭାଇରସ ପୂର୍ବାପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରମିତ ହେଉଛି।

ସେହିପରି ଲଣ୍ଡନର ଇମ୍ପେରିୟାଲ କଲେଜର ଡାକ୍ତର ଏରିକ୍ ବୋଲ୍ଜ କହିଛନ୍ତି ଯେ, ଏବେ ହଠାତ୍ ଏହି ଭୂତାଣୁର ଭୟାବହତା ବିଷୟରେ କହିହେବନି। ପୂର୍ବତୁଳନାରେ କିନ୍ତୁ ଏହି ଭାଇରସ୍ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି। ସଠିକ୍ ଯାଞ୍ଚ କରିବା ପରେ ଏହାର ଭୟାବହତା ବିଷୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି।କେଉଁଠି ବ୍ୟାପିଛି ନୂଆ ଭାଇରସ୍?

ସୂଚନା ମୁତାବକ, ଏହି ଭାଇରସ୍ ବ୍ରିଟେନର କେଉଁ ଜଣେ ରୋଗୀଙ୍କ ଶରୀରରେ ପ୍ରଥମେ ଦେଖିବାକୁ ମିଳିଥିଲା। ଏହାପରେ ଏବେ ଏହା ବହୁତ ଲୋକଙ୍କ ଶରୀରରେ ଦେଖିବାକୁ ମିଳୁଛି। ବିଶେଷକରି ଲଣ୍ଡନ, ଦକ୍ଷିଣ-ପୂର୍ବ ଇଂଲଣ୍ଡ ଓ ପୂର୍ବ ଇଂଲଣ୍ଡରେ ଏହି ସଂକ୍ରମଣ ସୀମା ଟପିଛି।

କେବଳ ଇଂଲଣ୍ଡ ନୁହେଁ ବରଂ ଡେନମାର୍କ ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହି ପ୍ରକାର ଭାଇରସ୍ କିଛି ପରିମାଣରେ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକାର କିଛି ଅଞ୍ଚଳରେ ବି ଏହି ଭାଇରସ ଦେଖାଯାଇଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ଏହିପରି ନୂଆ ଭାଇରସ୍ ବହୁତ ଥର ଦେଖିବାକୁ ମିଳିଛି। ଫେବ୍ରୁଆରି ମାସରେ ୟୁରୋପରେ D614G ଏବଂ A222V ନାମକ ନୂଆ ପ୍ରକାରର କରୋନା ଭାଇରସ୍ ଦେଖିବାକୁ ମିଳିଥିଲା।

ଫଳପ୍ରଦ ହେବ ତ କରୋନା ଟିକା?

ବ୍ରିଟେନରେ ନଭେମ୍ବର ମାସରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ବାୟୋଟେକ-ଫାଇଜର ଟିକାକୁ ସେଠାରେ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଛି। ତେବେ ପ୍ରଶ୍ନ ଏହାଯେ, ଏହି ନୂଆ ଭାଇରସ୍ କ୍ଷେତ୍ରରେ କରୋନା ଟିକା କାମ ଦେବ କି ନାହିଁ।

ବୈଜ୍ଞାନିକଙ୍କ ମତ ଅନୁସାରେ, କରୋନା ଟିକା ଏହି ନୂଆ ଭାଇରସକୁ ପ୍ରତିରୋଧ କରିବାରେ ସକ୍ଷମ ହେବ। ତେଣୁ ଖୁବଶୀଘ୍ର ବ୍ରିଟେନରେ କରୋନା ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ଆଗାମୀ ଦୁଇ ସପ୍ତାହ ଭିତରେ ୩୫ ହଜାର ବ୍ରିଟେନ ବାସୀଙ୍କୁ ଟିକା ଦିଆଯିବ। ସମୂହ ଟିକାକରଣ ହେଲେ ହିଁ ନୂଆ ଭାଇରସକୁ ରୋକାଯାଇପାରିବ ବୋଲି କୁହାଯାଉଛି।ବ୍ରିଟେନକୁ ଫେରିଲା ଲକଡାଉନ୍

ବ୍ରିଟେନରେ କରୋନାର ଏହି ନୂଆ ରୂପ ଦେଖାଯିବା ପରେ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛ। ଏପଟେ ସଂକ୍ରମଣ କମାଇବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଦେଶରେ ପୁଣିଥରେ ଲକଡାଉନ୍ ଜାରି କରିଛନ୍ତି। ରବିବାରଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡ ସମତେ ଅନ୍ୟ କିଛି ଅଞ୍ଚଳରେ ଲକଡାଉନ୍ କଟକଣା ଜାରି କରାଯାଇଛି। ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଗକୁ ବଡ଼ ଦିନ ଆସିବାକୁ ଥିବାରୁ ଲୋକମାନେ ବାହାରକୁ ନବାହାରି ଘରେ ରହିବାକୁ ବୋରିସ ଜନସନ ପରାମର୍ଶ ଦେଇଛନ୍ତି। ଏଥିସହ ଖୁବଶୀଘ୍ର ବ୍ରିଟେନ ଏହି ଭାଇରସକୁ ପରାସ୍ତ କରିବାକୁ ସକ୍ଷମ ହେବ ବୋଲ କୁହାଯାଇଛି।

Comment