ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ।

୯ ମାସ ପରେ ଆଜି ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ରତ୍ନ ସିଂହାସନରେ ବସି ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ। ଏତେଦିନ ପରେ ଜଗା ଦର୍ଶନ କରି ଭାବ ବିହ୍ୱଳ ହୋଇପଡ଼ିଲେ ଭକ୍ତ। କାଳିଆକୁ ଦେଖି ଭକ୍ତଙ୍କ ଆଖିରୁ ଝରି ପଡ଼ିଲା ଭାବର ଲୁହ।

”ଆଶା କରିନଥିଲୁ କାଳିଆ ଦର୍ଶନ ହେବ। ଦୀର୍ଘ ୯ ମାସ ହେଲା କାଳିଆକୁ ନଦେଖି କେମିତି ଆମର ଦିନ କଟିଥିଲା ସେ କଥା ସେଇ କାଳିଆ ସାଆନ୍ତ ଜାଣିଛନ୍ତି। ଆଜି ଦର୍ଶନ କରି ଆଖିରେ ଆଉ ଲୁହ ରହିଲାନି। ତାରି ମୁହଁକୁ ଚାହିଁ ନିଜ ଅଜାଣତରେ ଆଖିରୁ ଲୁହ ଗଡ଼ି ଆସିଲା’’, କହିଛନ୍ତି ଜଣେ ଭକ୍ତ।

‘‘କରୋନା ଭିତରେ ରଥଯାତ୍ରା ହେଲା, ରାକ୍ଷୀ ପୂର୍ଣ୍ଣିମା ହେଲା, ନାଗାର୍ଜୁନ ବେଶ ହେଲା। କିନ୍ତୁ କାଳିଆକୁ ଦର୍ଶନ କରିପାରିଲୁନି। ଘରେ ରହି ଖାଲି ଛଟପଟ ହେଉଥିଲୁ। ଆଜି ଏତେ ମାସ ପରେ ଦର୍ଶନ ମିଳିବାର ସୁଯୋଗ ମିଳିଲା। ଖୁସି ଲାଗୁଛି’’, କହିଛନ୍ତି ଆଉ ଜଣେ ଭକ୍ତ।

କୋଭିଡ଼୍ ନିୟମ ଭିତରେ ବୁଧବାରଠାରୁ ଶ୍ରୀମନ୍ଦିର ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଆଜି ସେବାୟତ ଓ ତାଙ୍କ ପରିବାର ଲୋକ ମହାବାହୁଙ୍କ ଦର୍ଶନ କରିଛନ୍ତି।  ଏଥିପାଇଁ ଶ୍ରୀମନ୍ଦିରରେ କଡ଼ା ଚେକିଂ ଚାଲିଛି। କାର୍ଡ଼ ଦେଖାଇ ବଡ଼ ଦେଉଳ ଭିତରକୁ ପ୍ରବେଶ କରୁଛନ୍ତି ସେବାୟତ ପରିବାର। ମୁହଁରେ ମାସ୍କ୍ ଲଗାଇ, ହାତ ସାନିଟାଇଜ୍ କରି ଭଗବାନଙ୍କ ଦର୍ଶନ କରିଛନ୍ତି ଭକ୍ତ। ତେବେ ୨୫ ତାରିଖ ଯାଏଁ ସେବାୟତ ପରିବାର କେବଳ ଦର୍ଶନ କରିବେ। ଏହାପରେ ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା, ୩ ତାରିଖରେ ରାଜ୍ୟ ବାହାରର ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ।

୯ ମାସ ପରେ ଚଳଚଞ୍ଚଳ ହେଲା ଶ୍ରୀମନ୍ଦିର

କରୋନା ପାଇଁ ଶୂନଶାନ ହୋଇପଡ଼ିଥିଲା ଶ୍ରୀମନ୍ଦିର ପରିସର। ବିନା ଭକ୍ତରେ,ଅଳ୍ପ କେତେଜଣ ସେବାୟତଙ୍କ ଦ୍ୱାରା ଚାଲିଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ଏତେମାସ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର। ଭକ୍ତଙ୍କ ଗହଣରେ ପୂଜା ପାଇଛନ୍ତି ଠାକୁର।

ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ କରି ଭକ୍ତଙ୍କୁ ସିଂହଦ୍ୱାରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସଂକ୍ରମଣକୁ ଦୂରେଇବା ପାଇଁ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦୁଆ ଓ ଫୁଲରେ ସିଂହଦ୍ୱାର ପାଖ ସଜା ଯାଇଛି।

ମାର୍ଚ୍ଚ ମାସରୁ ବନ୍ଦ ଥିଲା ମନ୍ଦିର

ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ମାର୍ଚ୍ଚ ୨୩ରେ ସାରାଦେଶରେ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ଲକଡାଉନ ସମୟରେ ରାଜ୍ୟରେ ସ୍କୁଲ, କଲେଜ, ମନ୍ଦିର ଆଦି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଗତ କିଛି ଦିନ ତଳେ ଡିସେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମନ୍ଦିର ଖୋଲିବା ନେଇ ଚର୍ଚ୍ଚା ହୋଇଥିଲା।

Comment