ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀ ପାଇଁ ବିଜେପି କରୁଥିବା ପଦଯାତ୍ରା ଆଜି ଯଦୁପୁରରେ ପହଞ୍ଚିଛି। ଗାଁରେ ପହଞ୍ଚି ପରୀ ପରିବାରକୁ ଭେଟିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ଓ କର୍ମୀ।

‘‘ପରୀର ବାପା ମା’ ଯେଉଁମାନଙ୍କ ନାଁ ନେଉଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି। ବରଂ ଏସଆଇଟି ସେହିମାନଙ୍କୁ ନେଇ ତଦନ୍ତ କରୁଛି। ଏସଆଇଟିର ଏମିତି ତଦନ୍ତରେ ଅସଲ ଅପରାଧୀ ଖସିଯାଉଛି’’ କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଅସଲ ଅପରାଧୀ ଧରାନପଡ଼ିବା ଯାଏଁ ବିଜେପି ଲଢ଼େଇ ଜାରି ରଖିବ। ଗାଁ ଗାଁରେ ଏହି ଆନ୍ଦୋଳନ ବିଜେପି କରିବ ଓ ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଅନ୍ୟପଟେ ଏସଆଇଟିର ତଦନ୍ତରେ ଏବେ ବି ରାଜି ନାହାନ୍ତି ପରୀର ପରିବାର। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସେ ପରୀର ହତ୍ୟାକାରୀ ବୋଲି ସ୍ୱୀକାର କରିନାହାନ୍ତି। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ପରୀର ମା’ କହିଛନ୍ତି।

ଏହାସହିତ ଝିଅର ସବୁ ହାଡ଼ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଥାଏ, କିନ୍ତୁ ପରୀର ଶବ ମିଳିଥିଲା ବେଳେ ମାତ୍ର ୧୨ ଖଣ୍ଡ ହାଡ଼ ମିଳିଥିଲା। ଏସଆଇଟି ଏ ଦିଗରେ ତଦନ୍ତ କରୁନି ବୋଲି ପରୀର ମା’ କହିଛନ୍ତି।

ଡେମୋ ଦେଖାଇଲା ଅଭିଯୁକ୍ତ

ଗୁରୁବାର ଅଭିଯୁକ୍ତକୁ ଯଦୁପୁର ନେଇଥିଲା ଏସଆଇଟି। ଗୁରୁବାର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଯଦୁପୁରରେ ଘଟଣାସ୍ଥଳକୁ ଯାଇ ପୂରା ହତ୍ୟାର ଡେମୋ ଦେଖାଇଛି। ଅଭିଯୁକ୍ତ ଡେମୋ ଦେଖାଇବା ପରେ ବି ପରୀର ପରିବାର ତାକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।

୨୦ରୁ ପଦଯାତ୍ରା ଆରମ୍ଭ କରିଥିଲା ବିଜେପି

ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦେବା ଡିସେମ୍ବର ୨୦ରୁ ପଦଯାତ୍ରା ଆରମ୍ଭ କରିଥିଲା ବିଜେପି। ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ ଯାଆଁଳା ପର୍ଯ୍ୟନ୍ତ ପହଞ୍ଚିଥିଲେ ବିଜେପି ନେତା କର୍ମୀ। ଦ୍ୱିତୀୟ ଦିନରେ ଯାଆଁଳରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ପିଚୁକୁଳି ଏବଂ ଚତୁର୍ଥ ଦିନରେ ପିଚୁକୁଳିରୁ ନୟାଗଡ଼ ଇଟାମାଟି ଆଜି ଇଟାମାଟିରୁ ଯଦୁପୁରରେ ପହଞ୍ଚିଛି ବିଜେପିର ପଦଯାତ୍ରା।

Comment