ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି ଶ୍ରୀମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିସାରିଥିଲା ବେଳେ ଶନିବାରଠାରୁ ପୁରୀ ସହରବାସୀ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି।  ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀ ଏସପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଏଥିସହ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି ଓ ୯ ଜଣ ଇନ୍ସପେକ୍ଟର ମୁତୟନ ଅଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ କରାଯାଇଛି। କିଓସ୍କରେ ଲୋକଙ୍କ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଯାଞ୍ଚ୍ କରାଯାଉଛି।

ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଥିଲା ବେଳେ ଏବଂ ଉତ୍ତର ଦ୍ୱାର ଦେଇ ବାହାରକୁ ବାହାରୁଛନ୍ତି। ଦର୍ଶନ ସମୟରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ସାମାଜିକ ଦୂରତା ସହ ମାସ୍କ ପରିଧାନ ପ୍ରତି ଗୁରୁତ୍ୱ ଦିଆଯାଉଛି।ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି ହୋଇଛି। ଏହାକୁ ପୁରୀ ସହରବାସୀ ପାଳନ କରିବା ସହ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ଏସପି କନଓ୍ୱର ବିଶାଲ ସିଂ ଆଶାବ୍ୟକ୍ତ କରିଛନ୍ତି। ଜାନୁଆରୀ ୩ ତାରିଖରୁ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ।

Comment