ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟାକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପ୍ରକଳ୍ପରେ ନୂଆ ସଂସଦ ଭବନର ନିର୍ମାଣ ପାଇଁ ସର୍ବୋଚ୍ଚ ଅଦାଲତ ସର୍ତ୍ତମୂଳକ ମଞ୍ଜୁରି ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏଏମ୍ ଖାନଓ୍ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।

ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣ ସମ୍ପର୍କିତ କେତେକ ସର୍ତ୍ତ ରଖି ସୁପ୍ରିମକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ପାଇଁ ଅନୁମତି ଦେଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଦିଆଯାଇଥିବା ପରିବେଶ ମଞ୍ଜୁରି ଓ ଅନ୍ୟାନ୍ୟ ଅନୁମତିରେ କୌଣସି ସମସ୍ୟା ନାହିଁ। ତେଣୁ ସରକାର ଏହି ପ୍ରକଳ୍ପ କାମ ଆଗକୁ ବଢ଼ାଇପାରିବେ। ତେବେ ଏଥିପାଇଁ ଐତିହ୍ୟ ସଂରକ୍ଷଣ କମିଟି ପାଖରୁ ଅନୁମତି ଆଣିବାକୁ ସୁପ୍ରିମକୋର୍ଟ କହିଛନ୍ତି।ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ୍ ମଧ୍ୟରେ ଥିବା ସରକାରୀ କୋଠାଗୁଡ଼ିକୁ ପୁନଃନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଆରମ୍ଭ କରିଥିଲେ। କିନ୍ତୁ ଏହି ପ୍ରକଳ୍ପକୁ ଅନେକଗୁଡ଼ିଏ ଆବେଦନ ଜରିଆରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, କେନ୍ଦ୍ର ସରକାର ବିନା କୌଣସି ଆଇନରେ ଏହି ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଥିପାଇଁ ପରିବେଶ ମନ୍ତ୍ରାଳୟର ଅନୁମତି ମଧ୍ୟ ନିଆଯାଇନାହିଁ। ହଜାରେ କୋଟିର ଏହି ପ୍ରକଳ୍ପ କେବଳ ସରକାରୀ ଅର୍ଥକୁ ବରବାଦ କରିବା ଭଳି। ଏହି ପ୍ରକଳ୍ପ ଦ୍ୱାରା ସଂସଦ ଓ ଏହାର ଆଖପାଖରେ ଥିବା ଐତିହାସିକ ସ୍ମାରକୀକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି।

ଏହି ସବୁ ଆବେଦନର ଶୁଣାଣି କରି ପୂର୍ବରୁ ସୁପ୍ରିମକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇଥିଲେ। ସରକାର ଏହି ପ୍ରକଳ୍ପରେ କୌଣସି ନିର୍ମାଣ କିମ୍ବା ଉଚ୍ଛେଦ କରିପାରିବେ ନାହିଁ ବୋଲି ଅଦାଲତ କହିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ମାନିବେ ବୋଲି କେନ୍ଦ୍ର ସରକାର କହିବା ପରେ ଗତବର୍ଷ ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ଭବନର ଶିଳାନ୍ୟାସ ପାଇଁ ଅନୁମତି ମିଳିଥିଲା। କିନ୍ତୁ ଏହାର ନିର୍ମାଣ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ।

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଅନୁମତି ଦେଇଛନ୍ତି। ଏହାସହିତ ନୂଆ ସଂସଦ ଭବନ ନିର୍ମାଣ ନେଇ ରାସ୍ତା ପରିଷ୍କାର ହୋଇଛି।

Comment