ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଡ୍ରୋପୋନିକ୍ ଚାଷ କରି ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଆଇଆଇଟିର ଦୁଇ ପୂର୍ବତନ ଛାତ୍ର ମୟଙ୍କ ଗୁପ୍ତା ଓ ଲଳିତ ଝାଓ୍ୱର।
ଦିନ ଥିଲା ଯେତେବେଳେ ଯୁବଗୋଷ୍ଠୀ ଚାକିରି ପଛରେ ପଡ଼ି ଚାଷ ପ୍ରତି ବିମୁଖ ହେଉଥିଲେ। କିନ୍ତୁ ଏବେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଅନେକ ଶିକ୍ଷିତ ଯୁବକ ଯୁବତୀ ଚାକିରି ନ କରି ଚାଷ କରିବାକୁ ଆଗ୍ରହୀ ହେଉଛନ୍ତି। ଏଥିପାଇଁ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି ଆଉ ସଫଳତା ମଧ୍ୟ ହାସଲ କରୁଛନ୍ତି। ଏମିତି ଦୁଇ ଜଣ ସଫଳ ଯୁବ ଚାଷୀ ହେଲେ ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ମୟଙ୍କ ଗୁପ୍ତା ଓ ଲଳିତ ଝାଓ୍ୱର। ଏ ଦୁହେଁ ଇଞ୍ଜିନିୟରିଂ ଛାଡ଼ି ଏବେ ହାଇଡ୍ରୋପୋନିକ୍ ପ୍ରଣାଳୀରେ ଚାଷ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ହାଇଡ୍ରୋପୋନିକ୍ ଚାଷରେ ମାଟି ବ୍ୟବହାର ହୋଇନଥାଏ। କେବଳ ପାଣି ଦ୍ୱାରା ଏହି ଚାଷ କରାଯାଏ। ମୟଙ୍କ ଓ ଲଳିତ ଏବେ ମହାରାଷ୍ଟ୍ରର କୋହ୍ଲାପୁରରେ ହାଇଡ୍ରୋପୋନିକ୍ ଚାଷ କରୁଛନ୍ତି। ସେମାନେ ନିଜ ଫାର୍ମରେ ଲେଟ୍ୟୁସ, ପାକ୍ଚୋଇ, ବେସିଲ, ବ୍ରୋକଲି, ଚେରି ଟମାଟୋ ଭଳି ପାଖାପାଖି ୪୦ ପ୍ରକାରର ପନିପରିବା ଚାଷ କରିଥାନ୍ତି ଏବଂ ଭାରତର ବିଭିନ୍ନ ସହରକୁ ବିକ୍ରି ପାଇଁ ପଠାଇଥାନ୍ତି।ଆଇଆଇଟି ବମ୍ବେରେ ପାଠ ପଢ଼ିବା ବେଳେ ମୟଙ୍କ ଓ ଲଳିତ ପରସ୍ପରକୁ ଭେଟିଥିଲେ। ସେବେଠାରୁ ତାଙ୍କ ଭିତରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପଢ଼ା ସରିବା ପରେ ଉଭୟ ଚାକିରି ମଧ୍ୟ କରିଥିଲେ। ତେବେ ୨୦୧୮ରେ ମୟଙ୍କ ଚାକିରି ଛାଡ଼ି କିଛି ନୂଆ କରିବା ପାଇଁ ଚିନ୍ତା କଲେ। ଏହା ପରେ ସେ ନିଜ ସାଙ୍ଗ ଲଳିତଙ୍କ ସହ ମିଶି ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବା ବିକ୍ରି କରିବାକୁ ଏକ ଇ-କମର୍ସ ପ୍ଲାଟଫର୍ମ ତିଆରି କରିବାକୁ ନିଷ୍ପତ୍ତି ନେଲେ। ଏନେଇ ସେମାନେ କିଛି ଚାଷୀଙ୍କ ସହ ଆଲୋଚନା କଲେ। କିନ୍ତୁ ଜୈବିକ ପନିପରିବା ମିଳିବା ସମ୍ଭବ ହେଲାନାହିଁ। ତେଣୁ ଏହି ଉଦ୍ୟୋଗ ସଫଳ ହେବନି ବୋଲି ଅନୁଭବ କରି ନିଜ ନିଷ୍ପତ୍ତିରୁ ସେମାନେ ଓହରିଗଲେ।
ଏହାପରେ ସେମାନେ ନିଜେ ଜୈବିକ ଉପାୟରେ ପନିପରିବା ଉତ୍ପାଦନ କରି ବିକ୍ରି କରିବାକୁ ଚିନ୍ତା କଲେ। ଏନେଇ ଲଳିତ କୁହନ୍ତି, “ଆମେ ଜୈବିକ ପଦ୍ଧତିରେ ଉତ୍ପାଦିତ ତାଜା ପନିପରିବା ଆଣି ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଏକ ଯୋଜନା କରିଥିଲୁ। କିନ୍ତୁ ଏବେ ସେତେ ବେଶୀ ଲୋକ ଜୈବିକ ପଦ୍ଧତିରେ ଚାଷ କରୁନଥିବା ଜାଣିବାକୁ ପାଇଲୁ। ତେଣୁ ଆମେ ନିଜେ ଚାଷ କରି ଲୋକଙ୍କ ପାଖରେ ତଟକା ପନିପରିବା ପହଞ୍ଚାଇବାକୁ ଚିନ୍ତା କଲୁ।”ନିଜର ନୂଆ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ମୟଙ୍କ ଓ ଲଳିତ ବିଭିନ୍ନ ଜାଗା ବୁଲିଲେ। ହାଇଡ୍ରୋପୋନିକ୍ ଚାଷ କରୁଥିବା ଚାଷୀଙ୍କୁ ଭେଟିଲେ। ବହୁ ଗବେଷଣା ପରେ ସେମାନେ ୨୦୧୯ ମସିହା ଏପ୍ରିଲ ମାସରେ କୋହ୍ଲାପୁର ସହରରୁ ୩୦ କିଲୋମିଟର ଦୂରରେ ଥିବା ଇଚଲକରଞ୍ଜିଠାରେ ନିଜର ହାଇଡ୍ରୋପୋନିକ୍ ଫାର୍ମ୍ ‘ଲ୍ୟାଣ୍ଡକ୍ରାପ୍ଟ ଏଗ୍ରୋ’ ସ୍ଥାପନ କଲେ।
ଏବେ ୪୦ ଏକର ଜମିରେ ମୟଙ୍କ ଓ ଲଳିତ ହାଇଡ୍ରୋପୋନିକ୍ ଚାଷ କରୁଛନ୍ତି। ଏହାଛଡ଼ା ୩ ଏକର ଜାଗାରେ ୪୦ ପ୍ରକାର ପନିପରିବା ମଧ୍ୟ ଲଗାଇଛନ୍ତି। ସେମାନେ ନିଜ ଉତ୍ପାଦିତ ପନିପରିବାକୁ ମହାରାଷ୍ଟ୍ର ବ୍ୟତୀତ ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ ଆଦି ସହରକୁ ମଧ୍ୟ ବିକ୍ରି ପାଇଁ ପଠାଉଛନ୍ତି। ମାତ୍ର ୧୮ ମାସ ତଳେ ଆରମ୍ଭ ହୋଇଥିବା ଏହି ବ୍ୟବସାୟରୁ ଏହି ଦୁଇ ଯୁବକ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।ନିଜର ଏହି ବ୍ୟବସାୟକୁ ନେଇ ମୟଙ୍କ କୁହନ୍ତି, “ଆମକୁ ପୂର୍ବରୁ ଚାଷ ବିଷୟରେ କିଛି ଜଣାନଥିଲା। ଏହି ଚାଷ ପୂର୍ବରୁ ଆମେ କେବେ ଗଛଟିଏ ସୁଦ୍ଧା ଲଗାଇନଥିଲୁ। ତେଣୁ ହାଇଡ୍ରୋପୋନିକ୍ ଚାଷ ଆରମ୍ଭ କଲାବେଳେ ଆମେ କିଛିଟା ଭୁଲ କରିଥିଲୁ। କିନ୍ତୁ ଏବେ ସବୁକିଛି ଶିଖିଯାଇଛୁ ଏବଂ ବିନା କୌଣସି ଭୁଲରେ ଚାଷ କରିପାରୁଛୁ।”
ଏହି ସଫଳତା ପାଇବା ପାଇଁ ମୟଙ୍କ ଓ ଲଳିତଙ୍କୁ ଅନେକ ଚାଲେଞ୍ଜର ମଧ୍ୟ ସାମ୍ନା କରିବାକୁ ପଡ଼ିଛି। ପ୍ରଥମେ ଜୈବିକ ପନିପରିବାର ଗୁଣବତ୍ତା ବିଷୟରେ ଲୋକଙ୍କୁ ବୁଝାଇବା ଏବଂ କିଣିବା ପାଇଁ ରାଜି କରାଇବା ଏକ ବଡ଼ ଆହ୍ୱାନ ଥିଲା। ତେବେ ଏହି ଦୁଇ ଉଦ୍ୟୋଗୀ ସେସବୁକୁ ସଫଳତାର ସହ ସାମ୍ନା କରିବା ସହ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଗକୁ ସେମାନେ ନିଜର ଏହି ବ୍ୟବସାୟକୁ ଆଗକୁ ବଢ଼ାଇବା ସହ ଚାଷୀମାନଙ୍କୁ ହାଇଡ୍ରୋପୋନିକ୍ ଚାଷ ବିଷୟରେ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି।