ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଭାରତୀୟ ଭାବେ ‘ଗ୍ଲୋବାଲ ଟିଚର ପ୍ରାଇଜ୍’ ଜିତିଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ଅନ୍ତର୍ଗତ ପରିତେଓ୍ୱାଡ଼ି ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲ ଶିକ୍ଷକ ରଣଜୀତ ସିଂହ ଦିସଲେ।

  • ଗ୍ଲୋବାଲ ଟିଚର ପ୍ରାଇଜ୍ ପାଇବାରେ ପ୍ରଥମ ଭାରତୀୟ
  • ପାଠ୍ୟ ପୁସ୍ତକରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରିବାରେ ରହିଛି ପ୍ରମୁଖ ଅବଦାନ
  • ନିଜ ଅଞ୍ଚଳରେ ଝିଅମାନଙ୍କ ଶିକ୍ଷା ସୁନିଶ୍ଚିତ କରିଛନ୍ତି
  • ପୁରସ୍କାର ବାବଦକୁ ଜିତିଲେ ୭ କୋଟି ଟଙ୍କା
  • ୯ ଜଣ ଫାଇନାଲିଷ୍ଟଙ୍କୁ ପୁରସ୍କାର ରାଶିର ଅଧା ଦେବାକୁ ନିଷ୍ପତ୍ତି

ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଛନ୍ତି ଭାରତୀୟ। ଲଣ୍ଡନ ସ୍ଥିତ ବାର୍କି ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ‘ଗ୍ଲୋବାଲ ଟିଚର ପ୍ରାଇଜ୍’ ଜିତିଛନ୍ତି ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ପରିତେଓ୍ୱାଡ଼ି ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲ ଶିକ୍ଷକ ରଣଜୀତ ସିଂହ ଦିସଲେ। ଝିଅମାନଙ୍କୁ ଶିକ୍ଷା ଓ ପାଠ୍ୟ ପୁସ୍ତକରେ କ୍ୟୁଆର୍ କୋଡ୍ (QR Code) ପ୍ରଚଳନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ରଣଜୀତଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। ତେବେ ସବୁଠୁ ଖାସ୍ କଥା ହେଉଛି ବିଶ୍ୱସ୍ତରୀୟ ଏହି ପୁରସ୍କାର ପାଇବାରେ ରଣଜୀତ ହେଉଛନ୍ତି ପ୍ରଥମ ଭାରତୀୟ ଶିକ୍ଷକ।

ଗତ ଡିସେମ୍ବର ୩ ତାରିଖରେ ଲଣ୍ଡନର ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ଭର୍ଚୁଆଲ ମାଧ୍ୟମରେ ଏହି ପୁରସ୍କାର ଘୋଷଣା ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ପ୍ରସିଦ୍ଧ ଫିଲ୍ମ ଅଭିନେତା ଷ୍ଟିଫେନ୍ ଫ୍ରାୟ ‘ଗ୍ଲୋବାଲ ଟିଚର ଆଓ୍ୱାର୍ଡ’ ବିଜେତା ଭାବେ ରଣଜୀତଙ୍କ ନାଁ ଘୋଷଣା କରିଥିଲେ।ବିଶ୍ୱସ୍ତରର ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଦୁନିଆର ୧୪୦ଟି ଦେଶର ୧୨ ହଜାରରୁ ଅଧିକ ଶିକ୍ଷକ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୧୦ ଜଣ ଫାଇନାଲ ରାଉଣ୍ଡକୁ ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ରଣଜୀତଙ୍କୁ ଏହି ପୁରସ୍କାର ମିଳିଛି। ପୁରସ୍କାର ବାବଦକୁ ସେ ୭ କୋଟି ଟଙ୍କା ଜିତିଛନ୍ତି। ଏଥିରେ ମଧ୍ୟ ବଦାନ୍ୟତା ଦେଖାଇଛନ୍ତି ରଣଜୀତ। ତାଙ୍କ ସହ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ପୁରସ୍କାର ରାଶିର ୫୦ ପ୍ରତିଶତ ବାଣ୍ଟିଦେବାକୁ ରଣଜୀତ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ କୌଣସି ବିଜେତା ନିଜ ପୁରସ୍କାର ରାଶିକୁ ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ବାଣ୍ଟି ନଥିଲେ।

ଏନେଇ ରଣଜୀତ କହିଛନ୍ତି, “ଶିକ୍ଷକମାନେ ବାସ୍ତବରେ ଛାତ୍ରଛାତ୍ରୀମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥାନ୍ତି। ସେମାନେ ସବୁବେଳେ ଶିକ୍ଷା ଦାନ ଓ ଜ୍ଞାନ ବାଣ୍ଟିବାରେ ବିଶ୍ୱାସ ରଖନ୍ତି। ତେଣୁ ଏହି ପ୍ରତିଯୋଗିତାରେ ଟପ୍  ୧୦ରେ ସ୍ଥାନ ପାଇଥିବା ୯ ଜଣ ଦକ୍ଷ ଶିକ୍ଷକଙ୍କ ସହିତ ମୋ ପୁରସ୍କାର ରାଶିର ୫୦ ପ୍ରତିଶତ ଭାଗ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମେ ସମସ୍ତେ ମିଶି ଏହି ବିଶ୍ୱକୁ ପରିବର୍ତ୍ତନ କରିପାରିବୁ ବୋଲି ମୋର ବିଶ୍ୱାସ ଅଛି।”ମହାରାଷ୍ଟ୍ରରେ ପଢ଼ା ବହିରେ ପ୍ରଥମେ କ୍ୟୁଆର୍ କୋଡ୍ ପ୍ରଚଳନ କରିଥିଲେ

୨୦୦୯ ମସିହାରେ ରଣଜୀତ ସିଂହ ଦିସାଲେ ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ପିଲାମାନଙ୍କ ପଢ଼ିବାରେ ସୁବିଧା ପାଇଁ ପଢ଼ା ବହିଗୁଡ଼ିକୁ ସେଠାକାର ଆଞ୍ଚଳିକ ଭାଷାରେ ଅନୁବାଦ କଲେ। ଏଥିସହ ବହିରେ ସ୍ୱତନ୍ତ୍ର କ୍ୟୁଆର୍ କୋଡ୍ ବ୍ୟବସ୍ଥା ଆରମ୍ଭ କଲେ। ଏହାଦ୍ୱାରା ପିଲାମାନେ ସହଜରେ ପାଠ ପଢ଼ିପାରିଲେ। ପାଠ୍ୟ ପୁସ୍ତକରେ କ୍ୟୁଆର୍ କୋଡ୍ ପ୍ରଚଳନ କରିବାରେ ରଣଜୀତଙ୍କ ସ୍କୁଲ ପୂରା ମହାରାଷ୍ଟ୍ରରେ ପ୍ରଥମ ସ୍ଥାନ ହାସଲ କରିଛି। ଏପରିକି ରଣଜୀତଙ୍କ ଏହି କାମକୁ ପ୍ରଶଂସା କରିବା ସହ ମହାରାଷ୍ଟ୍ର ସରକାର ୨୦୧୭ ମସିହାରେ ସାରା ରାଜ୍ୟରେ ପାଠ୍ୟ ପୁସ୍ତକରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରିବାକୁ ଘୋଷଣା କରିଥିଲେ।

ଝିଅମାନଙ୍କ ଶିକ୍ଷା ସୁନିଶ୍ଚିତ କରିଛନ୍ତି

ବାଲ୍ୟ ବିବାହ ରୋକିବା ଓ ଝିଅମାନଙ୍କ ଶିକ୍ଷା ସୁନିଶ୍ଚିତ କରିବାରେ ମଧ୍ୟ ରଣଜୀତଙ୍କର ପ୍ରମୁଖ ଅବଦାନ ରହିଛି। ତାଙ୍କରି ପ୍ରଚେଷ୍ଟା ବଳରେ ଏବେ ସେହି ଗ୍ରାମରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ସ୍କୁଲରେ ଝିଅମାନଙ୍କ ଉପସ୍ଥାନ ଶତ ପ୍ରତିଶତ ହୋଇପାରିଛି।ଯୁବପିଢ଼ିଙ୍କୁ ଶାନ୍ତିର ବାର୍ତ୍ତା ଦେଉଛନ୍ତି

ସେହିପରି ବିଭିନ୍ନ ବିବାଦୀୟ ସ୍ଥାନରେ ରହୁଥିବା ଯୁବପିଢ଼ିଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ରଣଜୀତ “Let’s Cross the Borders” ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପରେ ଭାରତ, ପାକିସ୍ତାନ, ପାଲେଷ୍ଟାଇନ୍, ଇସ୍ରାଏଲ, ଇରାକ, ଇରାନ, ଆମେରିକା ଓ ଉତ୍ତର କୋରିଆର ବହୁ ଯୁବପିଢ଼ି ଯୋଡ଼ି ହୋଇଛନ୍ତି।

ରଣଜୀତ ସିଂହ ଦିସଲେ ‘ଗ୍ଲୋବାଲ ଟିଚର ଆଓ୍ୱାର୍ଡ’ ଜିତିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

Comment