ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସରକାରୀ କର୍ମଚାରୀମାନେ ଜିନ୍‌ସ ପ୍ୟାଣ୍ଟ, ଟିସାର୍ଟ ଆଉ ସ୍ଲିପର୍‌ ପିନ୍ଧି ଅଫିସ ଆସିପାରିବେନି। ଅଫିସ ପାଇଁ ଏହିସବୁ ପାଶ୍ଚାତ୍ୟ ପୋଷାକକୁ ନିଶିଦ୍ଧ କରିଛନ୍ତି ମହାରାଷ୍ଟ୍ର ସରକାର। ଏହିସବୁ ପୋଷାକର ବିକଳ୍ପରେ କର୍ମଚାରୀମାନେ କେଉଁ ୟୁନିଫର୍ମ ପିନ୍ଧିବେ ସେନେଇ ମଧ୍ୟ ସରକାର ନିର୍ଦ୍ଧିଷ୍ଟ ଡ୍ରେସକୋଡ ବନାଇଛନ୍ତି।

ମହାରାଷ୍ଟ୍ରର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଡିସେମ୍ଵର ୮ ତାରିଖରେ ଏବାବଦରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଗାଢ଼ ରଙ୍ଗ ଏବଂ ଭିନ୍ନ ଧରଣର ଚିତ୍ର କିମ୍ଵା ଏମ୍ବ୍ରୋଡୋରୀ ହୋଇଥିବା ପୋଷାକ ପିନ୍ଧି ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟ ଆସିପାରିବେ ନାହିଁ। ମହିଳାମାନେ ଆବଶ୍ୟକ ହେଲେ ଶାଢ଼ୀ, ସାଲୱାର, ଚୁଡ଼ିଦାର-କୁର୍ତ୍ତା କିମ୍ବା ଟ୍ରାଉଜର ପିନ୍ଧିପାରିବେ। ସେହିପରି ପୁରୁଷମାନେ ଟ୍ରାଉଜର ଏବଂ ସାର୍ଟ ପିନ୍ଧି କାର୍ଯ୍ୟାଳୟ ଆସିବେ।

ଏଥିସହ କର୍ମଚାରୀମାନଙ୍କୁ ସପ୍ତାହରେ ଥରେ ଖଦି ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ସ୍ଲିପର୍‌ ବଦଳରେ ମହିଳାମାନେ ଜୋତା, ଚପଲ କିମ୍ଵା ସ୍ୟାଣ୍ଡେଲ ପିନ୍ଧି ପାରିବେ। ସେହିପରି ପୁରୁଷମାନେ ଜୋତା କିମ୍ଵା ସ୍ୟାଣ୍ଡେଲ ପିନ୍ଧି ଅଫିସ ଆସିପାରିବେ ବୋଲି ସରକାର ନିର୍ଦ୍ଦେଶାନାମାରେ କହିଛନ୍ତି।

ତେବେ ଏହି ନିୟମ କିଛି ନୂଆ ନୁହେଁ। ପୂର୍ବରୁ ୨୦୧୯ରେ ବିହାର ସରକାର ମଧ୍ୟ ଏପରି ନିୟମ ଆଣିଥିଲେ। ଏହି ନିୟମରେ କୁହାଯାଇଥିଲା ଯେ, କର୍ମଚାରୀମାନେ ସଚିବାଳୟକୁ ଜିନ୍‌ସ ଏବଂ ଟିସାର୍ଟ ପିନ୍ଧି ଆସିପାରିବେନି। ହାଲ୍‌କା ରଙ୍ଗର ଫର୍ମାଲ ପୋଷାକ ପନ୍ଧି ସଚିବାଳୟ ଆସିବାକୁ ସରକାର ପରାମର୍ଶ ଦେଇଥିଲେ।

ସେହିପରି ୨୦୧୮ ମସିହାରେ ରାଜସ୍ଥାନ ସରକାର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଡ୍ରେସକୋଡ ଆଣିଥିଲେ। ଏଥିରେ କୁହାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କେବଳ ସାଲଓ୍ଵାର କମିଜ କିମ୍ଵା ଶାଢ଼ୀ ପିନ୍ଧି କଲେଜ ଆସିପାରିବେ। ପାଶ୍ଚାତ୍ୟ ଡ୍ରେସ୍ ପିନ୍ଧି କେଲାଜ ଆସିବା ଉପରେ ବାରଣ କରାଯାଇଥିଲା। ପରେ ଛାତ୍ରଚାତ୍ରୀମାନେ ଏହି ବ୍ୟବସ୍ଥାକୁ ନେଇ ବାରମ୍ଵାର ଅଭିଯୋଗ କରିବା ପରେ ସରକାର ଏହି ନିୟମକୁ ବଦଳାଇଥିଲେ।

Comment