ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ପରୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରାଯାଇଛି। ଅନୁଗୁଳର ବାଳସୁଧାର ଗୃହରୁ ତାକୁ ଆଣି ଜୁଭେନାଇଲ ବୋର୍ଡରେ ହାଜର କରିଛି ପୋଲିସ। ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ନେଇ ହୋଇଥିବା ଆବେଦନର ଆଜି କୋର୍ଟ ଶୁଣାଣି କରୁଥିବା ସୂଚନା ମିଳିଛି।

ପରୀ ମୃତ୍ୟୁ ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା ଏସଆଇଟି। ଏହି ଟେଷ୍ଟ ଦେବାପାଇଁ ଅଭିଯୁକ୍ତ ମନା କରିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଏସଆଇଟିର ଆବେଦନକୁ ଖାରଜ କରିଦେଇଥିଲେ।। ଏହା ପରେ ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଜାନୁଆରି ୮ ତାରିଖରେ ଏସ୍‌ଆଇଟି ଜେଜେବିରେ ଆବେଦନ କରିଥିଲା। ଆଜି ଏହି ମାମଲାର ଶୁଣାଣି ଚାଲଥିବା ବେଳେ ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ପାଇଁ ଅନୁମତି ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବ୍ରେନ୍ ମ୍ୟାପିଂ କେମିତି ହୁଏ?

ବ୍ରେନ୍ ମ୍ୟାପିଂ ଟେଷ୍ଟରେ ଅଭିଯୁକ୍ତଙ୍କୁ ଏକ ହେଲମେଟନୁମା ଯନ୍ତ୍ର ପିନ୍ଧିବାକୁ ଦିଆଯାଇଥାଏ। ଏହାପରେ କମ୍ପ୍ୟୁଟର ସାହାଯ୍ୟରେ ମସ୍ତିଷ୍କରେ ଚାଲୁଥିବା ଗତିପଥକୁ ରେକର୍ଡ କରାଯାଏ। ଏଥିରେ ଅନେକ ପ୍ରକାରର ସେନସର୍ ଲାଗିଥାଏ। ଟେଷ୍ଟ ସମୟରେ ଫରେନସିକ୍ ଏକ୍ସପର୍ଟ ଅଭିଯୁକ୍ତଙ୍କୁ ଅପରାଧ ସହିତ ଜଡିତ ଫଟୋ ଏବଂ ବସ୍ତୁ ଦେଖାଇଥାନ୍ତି ଏହାପରେ ତାଙ୍କ ମସ୍ତିଷ୍କରେ ହେଉଥିବା ହଲଚଲକୁ ଡିକୋଡ କରାଯାଇଥାଏ। ଏହା ଦ୍ଵାରା ଅଭିଯୁକ୍ତଠାରୁ ଅନେକ ନୂଆ ତଥ୍ୟ ହାସଲ କରାଯାଇପାରେ। ବ୍ରେନ୍ ମ୍ୟାପିଂକୁ ଇଲେକଟ୍ରୋଏନସଫଲୋଗ୍ରାମ ମଧ୍ୟ କୁହାଯାଇଥାଏ।

Comment