ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : କରୋନା ଯୋଦ୍ଧାଙ୍କ ଅହରହ ଉଦ୍ୟମ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କିଛି ମାସ ହେବ କରୋନା ସଂକ୍ରମଣ କମିଛି। ଏଭଳି ସମୟ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଟିକା ଆସି ପହଞ୍ଚିଥିବାରୁ ଜିଲ୍ଲାବାସୀ ବେଶ୍‌ ଉତ୍ସାହ ପ୍ରକାଶ କରିଛନ୍ତି।

ବୁଧବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଜଧାନୀ ଭୁବନେଶ୍ୱର ଟିକା ଆସି ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଏହାକୁ ନବରଙ୍ଗପୁର ଜିଲ୍ଲା ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭ୍ୟାନ ପଠାଯାଇଥିଲା।

ତେବେ ଜିଲ୍ଲାରେ ଏବେ ସୁଦ୍ଧା ମୋଟ ୯୩୨୦ ଜଣ ଟିକାକରଣ ପାଇଁ ପଞ୍ଜିକୃତ କରିଥିବା ବେଳେ ନବରଙ୍ଗପୁରକୁ ୧୪ଟି ବକ୍ସ ଟିକା ଆସିଛି । ଗୋଟେ ଗୋଟେ ବକ୍ସରେ ୫୦ ଟି ଭାୟେଲ ଟିକା ରହୁଥିବା ବେଳେ ଗୋଟେ ଗୋଟେ ଭାୟେଲରୁ ୧୦ ଜଣଙ୍କୁ ଟିକା ଦେଇ ହେବ ବୋଲି ଜଣାପଡ଼ିଛି।

ସେହିପରି ପ୍ରଥମ ପର୍ଯ୍ୟାୟରେ ମୋଟ ୭୦୦୦ ଜଣଙ୍କୁ ଟିକା ଦିଆଯିବ। ଜିଲ୍ଲାରେ ୪ଟି ବୁଥରେ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ , ସଫେଇ କର୍ମଚାରୀ , ଏଏନଏମ, ଷ୍ଟାଫ ନର୍ସ, ଡାକ୍ତରଙ୍କୁ ଟିକା ଦିଆଯିବ।

ଆଜି ଏହି କୋରନା ଟିକା ପହଞ୍ଚିବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶୋଭରାଣୀ ମିଶ୍ରଙ୍କ ସମେତ ଡିଭିଏଲଏମ ମନୋରଞ୍ଜନ ଜୈସିଂ, ହସ୍ପିଟାଲ ମ୍ୟାନେଜର ରୂପଶ୍ରୀ ମଧୁମିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment