ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟିକାକରଣ। ବିଭିନ୍ନ ହସ୍ପିଟାଲରେ ଆଜି ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ନେଇଛନ୍ତି ଟିକା। ତେବେ ଟିକା ନେବା ପରେ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଟିକା କେନ୍ଦ୍ରରେ କ’ଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି?

ଟିକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ସବୁ ଟିକା କେନ୍ଦ୍ରରେ ସ୍ୱତନ୍ତ୍ର ଏଇଏଫ୍‌ଆଇ (Adverse event following immunization) କିଟ୍‌ ରଖାଯାଇଛି। ଏଥିରେ ଆବଶ୍ୟକୀୟ ମେଡିସନ୍‌ ଓ ଇଞ୍ଜେକ୍ସନ ରହିଛି। ଏହାକୁ ପରିଚାଳନା କରିବା ଲାଗି ତାଲିମ ପ୍ରାପ୍ତ ଏଏନଏମ୍‌ ଉପସ୍ଥିତ ରହିଛନ୍ତି।

ଯଦି ମାମଲା ଅଧିକ ଗୁରୁତର ହେଲା ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏଇଏଫ୍‌ଆଇ ସେଣ୍ଟରକୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବ୍ୟକ୍ତିଙ୍କ ଚିକିତ୍ସା କରାଯିବ। ତେବେ ଓଡ଼ିଶାରେ ଏଯାବତ୍‌ ପାର୍ଶ୍ୱ ପ୍ରତିକ୍ରିୟାର ସେଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ।

ଟିକାକରଣ ପରେ ପାର୍ଶ୍ୱ ପ୍ରଭାବ ଉପରେ ନିରୀକ୍ଷଣ ଉପରେ ଗରୁତ୍ୱ ଦେଇ କିଛି ଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ଏକ ନିର୍ଦ୍ଦିଷ୍ଟ ଏଇଏଫ୍‌ଆଇ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଯେଉଁ କେନ୍ଦ୍ରରେ ସ୍ନାୟୁରୋଗ, ହୃଦ୍‌ରୋଗ, ରେସ୍ପିରେଟୋରି ମେଡିସିନ୍, ଶିଶୁରୋଗ ବିଶେଷଜ୍ଞ ରହିବେ।

Comment