ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା କାଳରେ ଟିକା ସଙ୍କଟ ଦୂର କରିବା ପାଇଁ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି। ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ଘୋଷଣା ହେବାପରେ ଦେଶରେ ଟିକାର ଅଭାବ ଦେଖା ଦେଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ସବୁ ବାଦ ବିବାଦ ଛାଡ଼ି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା। ଯଦି ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ କରାନଯାଏ, ତେବେ କରୋନା ମୁକାବିଲାରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଚିଠିରେ ଲେଖିଛନ୍ତି।“କେନ୍ଦ୍ର ନିୟମ କୋହଳ କଲାପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି। କିନ୍ତୁ ଟିକା କମ୍ପାନିମାନେ କେନ୍ଦ୍ର ସରକାରଙ୍କଠାରୁ କ୍ଲିଅରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ଭାବରେ ରାଜ୍ୟ ସରକାରମାନଙ୍କ ସହ ଚୁକ୍ତି କରିବାକୁ ଚହୁଁନାହାଁନ୍ତି। ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦେଉ”, ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପକ୍ଷରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଫେଲ୍‌ ମାରିଛି। ଦେଶର ଦୁଇ ଟିକା ଉତ୍ପାଦନକାରୀ କମ୍ପାନି ଶିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍‌ ମଧ୍ୟ ଏଥିରେ ସାମିଲ ହୋଇନାହାଁନ୍ତି। ବିଦେଶି ଟିକା କମ୍ପାନି ଫାଇଜର ଓ ମଡେର୍ଣ୍ଣା ମଧ୍ୟ କେନ୍ଦ୍ର ସରକାରଙ୍କ ସହିତ ସିଧାସଳଖ ଚୁକ୍ତି କରିବାକୁ ଚାହୁଁଛନ୍ତି। ଏ ସମସ୍ତ ତଥ୍ୟ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇବା ସହ ଟିକା ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here