ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭାକ୍ସିନ ଟିକା ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କେନ୍ଦ୍ର ପକ୍ଷରୁ ଯେଉଁ କୋଭାକ୍ସିନ ଟିକା ଓଡ଼ିଶାକୁ ଦିଆଯାଇଛି ତାହାର ସୁବ୍ୟବହାର ପାଇଁ ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଏଥିସହ ବଳକା ଟିକାକୁ ରାଜ୍ୟର ୧୮ବର୍ଷରୁ ୪୪ବର୍ଷ ବୟସ୍କଙ୍କୁ ଦେବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ଚିଠି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କଠାରୁ ଅନୁମତି ମାଗିଛନ୍ତି।

ରାଜ୍ୟରେ କୋଭାକ୍ସିନ ଟୀକା କେବଳ ଭୁବନେଶ୍ୱରରେ ଦିଆଯାଉଥିବାବେଳେ, ଅନ୍ୟ ଅଞ୍ଚଳ ପାଇଁ କୋଭିସିଲ୍ଡ ଟିକା ଦିଆଯାଉଛି। ଭୁବନେଶ୍ୱରରେ ଥିବା ସ୍ୱାସ୍ଥ୍ୟ କର୍ମୀ, କରୋନା ଚିକିତ୍ସାରେ ନିୟୋଜିତ ଅନ୍ୟାନ୍ୟ କର୍ମଚାରୀ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୪ ଲକ୍ଷ କୋଭାକ୍ସିନ ଡୋଜ୍‌ର ଆବଶ୍ୟକତା ରହିଛି। ଏଥିସହ ଦ୍ଵିତୀୟ ଡୋଜ୍‌ ପାଇଁ ଆଉ ୮ଲକ୍ଷ ଡୋଜ୍‌ ମଧ୍ୟ ଦରକାର ଥିବା ଜଣାପଡ଼ିଛି । ଇତିମଧ୍ୟରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କଠାରୁ ୧୦ଲକ୍ଷ ଡୋଜ୍‌ ପାଇ ସାରିଛନ୍ତି। ଜୁନ୍‌ ମାସରେ ଆଉ ୨ ଲକ୍ଷ ଡୋଜ୍‌ ଆସିବାର ଅଛି।

ସ୍ଵାସ୍ଥ୍ୟ ମନ୍ତ୍ରୀ କେନ୍ଦ୍ରକୁ ସୁପାରିଶ କରିଛନ୍ତି ଯେ, ୧୮ ରୁ ୪୪ ବର୍ଷ ବର୍ଗ ଭିତରେ ଭୁବନେଶ୍ୱରର ୫ଲକ୍ଷ ଲୋକ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଳିତମାସ ଶେଷ ସୁଦ୍ଧା ଏମାନଙ୍କ ମଧ୍ୟରୁ ଦୁଇ ଲକ୍ଷ ଲୋକ କୋଭାକ୍ସିନର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ଏଣୁ ଯେଉଁ ଟିକା ବଳକା ହେବ ସେଗୁଡ଼ିକୁ ନଷ୍ଟ ନକରି, ତାହାକୁ ୧୮ରୁ ୪୪ବର୍ଷର ବୟସ୍କଙ୍କୁ ଦେବା ପାଇଁ ଅନୁମତି ମାଗିଛନ୍ତି ଓଡ଼ିଶା ସରକାର।

LEAVE A REPLY

Please enter your comment!
Please enter your name here