ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଶପଥ ଗ୍ରହଣ କରିବେ। ତାଙ୍କ ସହିତ ଭାରତୀୟ ବଂଶୋଦ୍ଭବ ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ପଦର ଶପଥ ନେବେ କମଲା ହ୍ୟାରିସ୍। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଆମେରିକାବାସୀ ଅପେକ୍ଷା କରିଛନ୍ତି।

ତେବେ ବାଇଡେନଙ୍କ ଶପଥ ସମାରୋହ ଉତ୍ସବରେ ବିରୋଧୀ ରପବ୍ଲିକାନ ହିଂସା ସୃଷ୍ଟି କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଓ୍ୱାଶ୍ଂଟନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପ୍ରାୟ ୨୮ ହଜାର କମାଣ୍ଡୋ କ୍ୟାପିଟଲ ବିଲ୍ଡିଂ ପରିସରରେ ନିଯୁକ୍ତ ହୋଇଛନ୍ତି। ଏହାର ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ସେହିପରି ହ୍ୱାଇଟ ହାଉସ୍‌ ଆଗରେ ୫ ଫୁଟ୍‌ ଉଚ୍ଚର ଲୁହାର ବ୍ୟାରିକେଡ ଲଗାଯାଇଛି। ଏହାସହ ପୂରା ସହରରେ ହାଇ ଆଲର୍ଟ ରହିଛି। ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ କୌଣସି ହିଂସାକାଣ୍ଡ ନଘଟୁ ସେଥିଲାଗି ଆମେରିକାରେ ଏଭଳି ସୁରକ୍ଷା ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଛି।

ଜାନୁଆରି ୬ରେ ଓ୍ୱାଶିଂଟନ ଡିସି ସ୍ଥିତ କ୍ୟାପିଟାଲ ହିଲ (ଆମେରିକାର ସଂସଦ)ରେ ଇଲେକ୍ଟୋରାଲ କଲେଜ୍ ପ୍ରକ୍ରିୟା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବଳ ହଙ୍ଗାମା କରିଥିଲେ। ଏହି ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆମେରିକାରେ ୧୫ ଦିନ ଲାଗି ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା। ତେବେ ପୁଣି ଥରେ ବାଇଡେନଙ୍କ ଶପଥ ସମାରୋହ ଉତ୍ସବରେ ଏଭଳି ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

Comment