ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇ ଆଜି ଇତିହାସ ରଚିବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ। କମଳାଙ୍କୁ ନେଇ ଏବେ ସାରା ଭାରତ ଗୌରାବନ୍ୱିତ ହୋଇଛି। ସେ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ, ପ୍ରଥମ ଭାରତୀୟ ବଂଶଜ ଭାବେ ଆମେରିକାର ଉପରାଷ୍ଟ୍ରପତି ଭାବେ ଆଜିଠୁ କାର୍ଯ୍ୟଭାର ସମ୍ଭାଳିବେ।

ଅକ୍ଟୋବର ୨୦, ୧୯୬୪ରେ କାଲିଫର୍ଣ୍ଣିଆର ଓକଲାଣ୍ଡରେ ଜନ୍ମ  ହୋଇଥିଲେ କମଳା ଦେବୀ ହ୍ୟାରିସ। କମଳାଙ୍କ ମାଆ ଶ୍ୟାମଳା ଗୋପାଳନ, ସେ ଜଣେ କ୍ୟାନସର ବିଶେଷଜ୍ଞ। ତାମିଲନାଡୁର ମୂଳ ବାସିନ୍ଦା ଶ୍ୟାମଳା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଏଣ୍ଡକ୍ରିନୋଲୋଜିରେ ଡକ୍ଟରେଟ୍ କରିବା ପାଇଁ ୧୯୬୦ରେ ଆସିଥିଲେ। କମଳାଙ୍କ  ବାପା ଡୋନାଲ୍ଡ ଜେ ହ୍ୟାରିସ ଜାମାଇକା ବାସିନ୍ଦା।kamala harris United States Senator us

ତେବେ କମଳାଙ୍କୁ ୭ ବର୍ଷ ହୋଇଥିବା ବେଳେ ବାପା ମା’ଙ୍କର ବିବାହ ବିଚ୍ଛେଦ ହୋଇଥିଲା। ବାପା’, ମା’ ଅଲଗା ହୋଇଯିବା ପରେ କମଳା ଓ ତାଙ୍କ ଭଉଣୀ ମାୟା ମା’ଙ୍କ ପାଖରେ ରହୁଥିଲେ। ମା’ଙ୍କୁ ଦେଖି ସେ ଭାରତୀୟ ପରମ୍ପରା ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି କହନ୍ତି।

କମଳା ହାଇସ୍କୁଲ ପଢ଼ା ସାରିବା ପରେ ହାୱାର୍ଡ ୟୁନିଭର୍ସିଟିରେ ପଢିବାକୁ ଯାଇଥିଲେ। ପଲିଟିକାଲ ସାଇନ୍ସ ଓ ଇକୋନମିକ୍ସରେ ବାଚେଲର ଡିଗ୍ରି ପରେ ସେ ୟୁନିଭର୍ସିଟି ଅଫ୍ କାର୍ଲିଫର୍ଣ୍ଣଆରୁ ଲ’ରେ ଡିଗ୍ରି ହାସଲ କରିଥିଲେ। ଏହା ପରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୩ ବେଳକୁ ସେ ଆମେରିକାରେ ଜଣେ ପ୍ରଖ୍ୟାତ ଓକିଲ ଭାବେ ପରିଚିତ ହୋଇଥିଲେ।

କମଳାଙ୍କ ରାଜନୈତିକ ଯାତ୍ରା

୧୯୯୦ରେ କମଳା ଦେବୀ ହ୍ୟାରିସ କାର୍ଲିଫିର୍ଣ୍ଣଆରେ ଡେପୁଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୪ରେ ସେ କାର୍ଲିଫର୍ଣ୍ଣିଆ ମେଡିକାଲ ଆସିଷ୍ଟାନ୍ସ କମିସନକୁ ମନୋନୀତ ହୋଇଥିଲେ। ଫେବ୍ରୁଆରି ୧୯୯୮ରେ ସାନଫ୍ରାନସିସ୍କୋର ଆସିଷ୍ଟାଣ୍ଟ ଆଟର୍ଣ୍ଣି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ରୁ ୨୦୧୧ ଯାଏଁ ସେ ସାନଫ୍ରାନସିସ୍କୋର ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାମ କରିଥିଲେ।

୨୦୧୬ରେ କାର୍ଲିଫର୍ଣ୍ଣଆରୁ ଡେମୋକ୍ରାଟ ସିନେଟର ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଥିଲେ। କମଳା ୨୦୧୭ରେ ଆଇନଜୀବୀ ଡୁଗୁଲ୍‌ସ ଏମ୍‌ହଫ୍‌ଙ୍କୁ ବିବାହ କରିଥିଲେ।

ପ୍ରଥମେ କମଳା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିଲେ, ହେଲେ ଆଶାନୁରୂପ ସମର୍ଥନ ନ ମିଳିବାରୁ, ସେ ଏ ଦୌଡ଼ରୁ  ବାହାରିଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ୮ଜଣ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କମଳା ସର୍ବାଧିକ ସମର୍ଥନ ପାଇ ବି଼ଡେନଙ୍କୁ ପ୍ରଭାବିତ କରିପାରିଥିଲେ।

କମଳା ହ୍ୟାରିସ ତାଙ୍କ ଜୀବନରେ ଅନେକଥର ସାମାଜିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଲୋକଙ୍କ ସାମାଜିକ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିଛନ୍ତି। ସେଥିପାଇଁ ଜୋ ବାଇଡେନ ତାଙ୍କ ନାଁ ଘୋଷଣା କରିବା ସମୟରେ ପ୍ରଶଂସାରେ ପୋତି ପକାଇଥିଲେ।kamala harris

କମଳାଙ୍କୁ କେହି କେହି ‘ମହିଳା ଓବାମା’ କହନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସହ କମଳାଙ୍କର କିଛି ସାମଞ୍ଜସ୍ୟ ଲକ୍ଷ କରାଯାଉଥିବାରୁ ସେ ଅନେକ କମଳାଙ୍କୁ ‘ମହିଳା ଓବାମା’ ବୋଲି କହନ୍ତି।

ଦିନ ଥିଲା ଆମେରିକାରେ ମହିଳାଙ୍କ ଭୋଟ ଦେବାର ଅଧିକାର ନଥିଲା

ପ୍ରଥମ ଥର ଜଣେ ମହିଳା ରାଷ୍ଟ୍ରପତି ଭାବେ କମଳା ହ୍ୟାରିସ ଏବେ ବିଜୟୀ ହୋଇଛନ୍ତି। କିନ୍ତୁ ଏମିତି ବି ଦିନ ଥିଲା ଆମେରିକାରେ ମହିଳାମାନଙ୍କର ନିର୍ବାଚନ ଲଢ଼ିବା ତ ଦୂରର କଥା ଭୋଟ ଦେବାର ଅଧିକାର ମଧ୍ୟ ନଥିଲା। ବହୁ ସଂଘର୍ଷ ଓ ବିଦ୍ରୋହ ପରେ ଆମେରିକାରେ ୧୯୨୦ରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା। ଏହାପୂର୍ବରୁ ମହିଳାମାନଙ୍କ ଜନ ପ୍ରତିନିଧୀ ବାଛିବାରେ କୌଣସି ଭୂମିକା ନଥିଲା।

Comment