ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନଙ୍କଠାରୁ ଆରମ୍ଭ କରି ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ମଧ୍ୟ କରୋନା ଟିକା ନେଇଛନ୍ତି।

ବିଭିନ୍ନ ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏଯାଏଁ ବହୁ ବଡ଼ ବଡ଼ ରାଷ୍ଟ୍ରର ନେତାମାନେ ପ୍ରଥମ ଟିକା ନେଇଛନ୍ତି। ତେବେ ଲୋକମାନଙ୍କ ମନରେ ଟିକା ପ୍ରତି ବିଶ୍ୱାସ ବଢ଼ାଇବା ଲାଗି ଏହି ନେତାମାନେ ପ୍ରଥମେ ଟିକା ନେଇଥିବା କୁହାଯାଉଛି।

ଜୋ ବାଇଡେନ

ଏହି ତାଲିକାରେ ପ୍ରଥମ ନାମ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇେଡେନଙ୍କର ରହିଛି। ଡିସେମ୍ବରରେ ବାଇଡେନ ପଫାଇଜରର ଟିକା ନେଇଥିଲେ।  ପ୍ରଥମ ଟିକା ନେବା ପଛରେ କାରଣ ଦେଶବାସୀଙ୍କୁ  ଟିକା ନେବା ପାଇଁ ମନାଇବା ବୋଲି ସେ କହିଥିଲେ। ବାଇଡେନଙ୍କ ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଟିକା ନେଇଛନ୍ତି। ବାଇଡେନ ଟିକା ନେବାର ଗୋଟିଏ ସପ୍ତାହରେ ହାରିସ ମଡର୍ଣ୍ଣା ଟିକା ନେଇଥିଲେ।

ଜୋକୋ ୱିଡୋଡୋ

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ମଧ୍ୟ ବିଶ୍ୱ ନେତାଙ୍କ ତାଲିକାରେ ଅଛନ୍ତି ଯେଉଁମାନେ ନିଜ ଦେଶବାସୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଟିକା ନେଇଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ଚାଇନାର ସିନୋଭାକ୍ ଟିକା ନେଇଥିଲେ।

ବେଞ୍ଜାମିନ୍ ନେତାନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଡିସେମ୍ବର ୨୦ରେ କରୋନା ଟିକା ନେଇଥିଲେ। ନେତାନ୍ୟାହୁ ଟିକା ନେବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ସେ ମଧ୍ୟ ଫାଇଜର ଟିକା ନେଇଥିଲେ। ପ୍ରଧାନମନ୍ତ୍ରୀ ଟିକା ନେବା ପରେ ପୂରା ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ, ଦ୍ରୁତତମ ଟୀକାକରଣ ଦେଶ ତାଲିକାରେ ଇସ୍ରାଏଲ୍ ଏପର୍ଯ୍ୟନ୍ତ ଶୀର୍ଷରେ ରହିଛି।

ଏଲିଜାବେଥ୍

ବ୍ରିଟେନରେ ରାଣୀ ଏଲିଜାବେଥ ଏବଂ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ ମଧ୍ୟ ଡିସେମ୍ବରରେ କରୋନା ଟିକା ନେଇଥିଲେ। ଏଲିଜାବେଥଙ୍କ ବୟସ ଏବେ ପ୍ରାୟ ୯୪ ବର୍ଷ ହୋଇଥିବାବେଳେ ତାଙ୍କ ସ୍ୱାମୀଙ୍କ ବୟସ ୯୯। ବୟସ ଅଧିକ ହୋଇଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମାନଙ୍କୁ ଟିକା ଦିଆଯାଇଥିଲା।

ସେହିପରି ସାଉଦି ଆରବର ରାଜା ସଲମାନ ମଧ୍ୟ କରୋନା ଟିକା ନେଇଛନ୍ତି। ତେବେ ସାଉଦିରେ ଟିକାକରଣ ଆରମ୍ଭ ହେବାର ତିନି ସପ୍ତାହ ପରେ ସେ ଟିକାକରଣ କରିଥିଲେ। ନେତାଙ୍କ ବ୍ୟତୀତ ଧର୍ମଗୁରୁମାନେ ବି ଟିକା ନେବାକୁ ଆଗକୁ ଆସିଛନ୍ତି। ଖ୍ରୀଷ୍ଟ ଧର୍ମ ଗୁରୁ ପୋପ ଫ୍ରାନ୍ସିସ୍‌ ବି ଟିକା ନେଇଛନ୍ତି। ଏହାଛଡ଼ା ଟିକା ନେବା ପାଇଁ ଆଗେଇ ଆସିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଟିକାକୁ ଭୟ କରୁଥିବା ଲୋକଙ୍କ ମନରୁ ଭୟକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ନେତାମାନେ ଟିକା ନେଇଛନ୍ତି। କାରଣ ଏବେ ସୁଦ୍ଧା ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଟିକା ନେବାକୁ ଡରୁଛନ୍ତି।

Comment