ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଛନ୍ତି ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ। ଦେଶର ୨୧ ରାଜ୍ୟରୁ ମୋଟ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ବେଳେ ଏକମାତ୍ର ଓଡ଼ିଆ ଭାବେ ଅନ୍ୱେଷ ଏହି ସମ୍ମାନ ପାଇଛନ୍ତି। ତେବେ ମେଧାବୀ ଛାତ୍ର ଭାବେ ଅନ୍ୱେଷଙ୍କୁ ଏହି ପୁରସ୍କାର ମିଳିଛି।

ଅନ୍ୱେଷ ଶୁଭମଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ଗତ କିଛି ବର୍ଷ ହେବ ସେ ତାଙ୍କ ବାପା, ମା’ ସହିତ ଭୁବନେଶ୍ୱରରେ ରହୁଛନ୍ତି। ଅନ୍ୱେଷ ଏବେ ଡିଏଭି ଚନ୍ଦ୍ରଶେଖରପୁରରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଜଣେ ମେଧାବୀ ଛାତ୍ର ଭାବେ ଅନ୍ୱେଷ ପୂର୍ବରୁ ୫୭୦ରୁ ଅଧିକ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି। ଆଗକୁ ଆଇଆଇଟିରେ ପାଠ ପଢ଼ିବା ସହିତ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୱେଷଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି।

୨୦୨୧ ବର୍ଷ ପାଇଁ ଦେଶରେ ମୋଟ ୩୨ ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କଳା, ସଂସ୍କୃତି, ନୂତନ ଆବିଷ୍କାର, ଶିକ୍ଷା, କ୍ରୀଡ଼ା, ସାହାସିକତା, ସମାଜସେବା ଆଦି କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପିଲାଙ୍କୁ ଏହି ସମ୍ମାନ ଦିଆଯାଏ। ଏହି ପିଲାମାନେ ରାଷ୍ଟ୍ରପତି ଭବନ ଯାଇ ପୁରସ୍କାର ଗ୍ରହଣ କରିଥାନ୍ତି। ସେମାନଙ୍କୁ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବାର ସୁଯୋଗ ମିଳେ। କିନ୍ତୁ ଏ ବର୍ଷ ସେଭଳି ହୋଇନାହିଁ। କରୋନା ମହମାରୀ ଯୋଗୁଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ପୁରସ୍କାର ବିଜେତା ପିଲାଙ୍କୁ ଭର୍ଚୁଆଲ ମୋଡରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ ବୈଠକରେ ଏହି ପିଲାଙ୍କ ସହିତ କଥା ହୋଇଛନ୍ତି। ପିଲାମାନଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି।

Comment