ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର-୨୦୨୦ ପାଇଁ ଆବେଦନ ତାରିଖ ବଢ଼ିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଦେଶର ପ୍ରତିଭାବାନ ଶିଶୁ, ବ୍ୟକ୍ତିବିଶେଷ ଓ ପ୍ରତିଷ୍ଠାନମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ବାଳ ପୁରସ୍କାରରେ ସମ୍ମାନୀତ କରାଯାଏ। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ତରଫରୁ ଏହି ପୁରସ୍କାର ଆରମ୍ଭ କରାଯାଇଛି। ବାଳ ଶକ୍ତି ଓ ବାଳ କଲ୍ୟାଣ ଏହିପରି ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଏ।

ପାଠପଢ଼ା, କଳା, ସଂସ୍କୃତି, ସମାଜସେବା ଓ ସାହାସିକତା ଆଦି କ୍ଷେତ୍ରରେ ସଫଳତା ପାଇଥିବା ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ବାଳଶକ୍ତି ପୁରସ୍କାର ପ୍ରଦାନ କରାଯାଏ। ସେହିପରି ଶିଶୁ ବିକାଶ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ କାମ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ବାଳ କଲ୍ୟାଣ ପୁରସ୍କାର ପ୍ରଦାନ କରାଯାଇଥାଏ।

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବ ସପ୍ତାହରେ ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଅନଲାଇନ୍ ମାଧ୍ୟମରେ ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ www.nca-wcd.nic.in ରେ ଯାଇ ଆବେଦନ କରିପାରିବେ। ପୁରସ୍କାର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ନିର୍ଦ୍ଦେଶାବଳୀ ଏହି ୱେବସାଇଟରେ ଉପଲବ୍ଧ ଅଛି।

Comment