ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ଓ ଭକ୍ତଙ୍କ ମିଳନ ହେବ। ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ବିଦ୍ୟାର୍ଥୀ ବହୁ ଧୁମ୍‌ଧାମରେ ପୂଜା ଅର୍ଚ୍ଚନା କରିଥାନ୍ତି। କିନ୍ତୁ ଚଳିତ ବର୍ଷ ପିଲାମାନେ ସ୍କୁଲ, କଲେଜ ଯାଇ ମା’ଙ୍କ ପୂଜା ଅର୍ଚ୍ଚନା କରିପାରିବେନି। କରୋନା ପାଇଁ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିବର୍ଷ  ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ବିଶେଷ ଭାବେ ପାଳନ କରାଯାଇଥାଏ। ବଦ୍ୟାର୍ଥୀମାନେ ପୂଜା ମଣ୍ଡପକୁ ଅତି ମନୋରମ କରି ସାଜସଜା କରିଥାନ୍ତି ଓ ମା’ଙ୍କୁ ଆରାଧନା କରିଥାନ୍ତି।  ମା’ ସରସ୍ୱତୀଙ୍କ  ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଅର୍ପଣ କରାଯାଏ ।

ମା’ଙ୍କ ପୂଜା ଅର୍ଚ୍ଚନା ଓ ପଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି। ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ୱେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି।

ମା’ଙ୍କ ଆର୍ଶୀବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖି ପୂଜା କରିଥାନ୍ତି।

Comment