ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ, ସୁନ୍ଦରତା କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। ଏଠି ସୁନ୍ଦରତା କିଛି ଫରକ ପକାଏନି। ଠିକ୍‌ ଏମିତି ଘଟିଛି ଜଗତସିଂହପୁରର ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କ ଜୀବନରେ। ପ୍ରମୋଦିନୀଙ୍କ ପ୍ରେମ ଏବେ ସଫଳ ହେବାକୁ ଯାଉଛି। ସେ ତାଙ୍କ ପ୍ରେମିକ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ। ଦୀର୍ଘ ୫ ବର୍ଷର ସମ୍ପର୍କ ପରେ ସୋମବାର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି।

କେମିତି ଆରମ୍ଭ ହୋଇଥିଲା ପ୍ରେମ?

ଏସିଡ୍‌ ଆକ୍ରମଣର ଶିକାର ହେବା ପରେ ୫ ବର୍ଷ ପାଇଁ କୋମାକୁ ଚାଲିଯାଇଥିଲେ ପ୍ରମୋଦିନୀ। କଟକରେ ଚିକିତ୍ସା ହେବା ସମୟରେ ସରୋଜ ତାଙ୍କ ଦେଖାଶୁଣା କରିଥିଲେ। ଚେହେରା ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ପ୍ରମୋଦିନୀଙ୍କ ପାଇଁ ସରୋଜ ପାଲଟିଥିଲେ ସାହାରା। ଧୀରେ ଧୀରେ ପ୍ରମୋଦିନୀଙ୍କ ସମସ୍ତ ଦାୟିତ୍ୱ ସେ ଉଠାଇଥିଲେ। ଏମିତିକି ପ୍ରମୋଦିନୀଙ୍କ ପାଇଁ ସେ ନିଜେ ଚାକିରି ଛାଡ଼ି ଦେଇଥିଲେ।

୪ ମାସ ପରେ ପ୍ରମୋଦିନୀ ସୁସ୍ଥ ହେବା ପରେ ଉଭୟ ଏକ କାଫେରେ ଚାକିରି କରିଥିଲେ। ଏହାରି ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା ଓ ଉଭୟ ପ୍ରେମରେ ପଡ଼ିଯାଇଥିଲେ। ୨୦୧୮ ମସିହା ଲକ୍ଷ୍ନୌ ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା ।

୨୦୦୯ରେ ହୋଇଥିଲା ଏସିଡ୍ ଆକ୍ରମଣ

ପ୍ରମୋଦିନୀଙ୍କ ଜୀବନ କାହାଣୀ ବେଶ୍‌ ସଂଘର୍ଷପୂର୍ଣ୍ଣ। ୨୦୦୯ରେ ପ୍ରମୋଦିନୀ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ପଢ଼ୁଥିବା ସମୟରେ ତାଙ୍କ ଜୀବନରେ ଘଟିଥିଲା ଏହି ଅଘଟଣ। ସେ ସମୟରେ କଲେଜ ପାଖରେ ପାରାମିଲିଟାରି ଯବାନଙ୍କର ଏକ କ୍ୟାମ୍ପ ପଡ଼ିଥିଲା। ସେ ସମୟରେ ଜଣେ ଯବାନ ପ୍ରମୋଦିନୀଙ୍କ ପ୍ରେମରେ ପଡ଼ିଥିଲେ। ଯବାନଙ୍କର ଏହା ଥିଲା ଏକତରଫା ପ୍ରେମ। ପ୍ରମୋଦିନୀ ତାଙ୍କ ପ୍ରେମ ପ୍ରସ୍ତାବକୁ ଗ୍ରହଣ କରିନଥିବାରୁ ଯୁବକ ଜଣକ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ଆକ୍ରମଣ କରିଥିଲେ, ଯାହା ପ୍ରମୋଦିନୀଙ୍କର ଜୀବନର ମୋଡ଼ ବଦଳାଇ ଦେଇଥିଲା।

Comment