ଭାସ୍କର ପରିଚ୍ଛା
ଅମରେନ୍ଦ୍ର ମାଧବ ଦାଶ ସାମ୍ପ୍ରତିକ ସମୟର ଜଣେ ପରିଚିତ କବି। ପ୍ରତି ତିନି ଚାରି ବର୍ଷରେ ଗୋଟିଏ ଗୋଟିଏ କବିତା ସଙ୍କଳନ ପ୍ରକାଶ କରିବା ଭିତରେ ସେ କବିତା ଲେଖାର ଧାରାବାହିକତାକୁ ବଜାୟ ରଖିପାରିଛନ୍ତି। ବସ୍ତୁତଃ,ଓଡ଼ିଆ କବିତା କ୍ଷେତ୍ରରେ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରିପାରିଛନ୍ତି ସେ। ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ବ୍ୟତୀତ ଅନ୍ୟ ସମ୍ମାନ ପାଇଥିବା ଅମରେନ୍ଦ୍ରଙ୍କର ପୂର୍ବରୁ ‘ତୋ ପାଇଁ,’ ‘ଢ଼େର ରାତି ହେଲାଣି’, ‘କାନ୍ଦକାନ୍ଦ ମଣିଷ’,’ଚିତ୍ର ଆଙ୍କୁଥିବା ପୁଅ’ ଓ ଶବ୍ଦ ସଂକଳନ ପ୍ରକାଶ ପାଇଥିଲା ବେଳେ ଏବେ ପ୍ରକାଶ ପାଇଛି ‘ଅଯୋଧ୍ୟା।’
ଅଯୋଧ୍ୟାକୁ ନେଇ ଭାରତବର୍ଷରେ ବିଗତ କିଛି ବର୍ଷ ଧରି ଯେଉଁ ରାଜନୈତିକ ,ସାମାଜିକ ଓ ଧାର୍ମିକ ଉଦ୍ୱେଳନ ଚାଲି ଆସିଛି ସେହି ପରିପ୍ରେକ୍ଷୀରେ ଏହି କବିତା ସଙ୍କଳନ ଆବଶ୍ୟକତା ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି କରିବ ଏଥିରେ ଦ୍ୱିମତ ନାହିଁ।
ଅଯୋଧ୍ୟା ଶବ୍ଦର କାବ୍ୟିକ ବ୍ୟୁତ୍ପତ୍ତିରୁ ଆଲୋଚନା ଆରମ୍ଭ କରାଯାଉ।
ଅଯୋଧ୍ୟା
ଆଉ କେଉଁଠି ନଥାଏ,
ଯେଉଁଠି
ମନ୍ଦିର ,ମସଜିଦ
ଗୀର୍ଜା, ଗୁରୁଦ୍ୱାର
ମଠ,ମୁକବରା
ନାଁ ରେ ହୁଏ ସଂଘର୍ଷ,
ହୁଏ ରକ୍ତପାତ
ଲାଗେ ସେଇଟା
ଗୋଟେ ଗୋଟେ ଅଯୋଧ୍ୟା। (୧୦ ନମ୍ବର କବିତା)
ମୋଟ ପଂଚାବନଟି କବିତାକୁ ନେଇ ଅମରେନ୍ଦ୍ରଙ୍କ ଏହି ସଂକଳନ। ପଢିବା ବେଳେ ପ୍ରତିଟି କବିତାରେ ଏକ ସ୍ପଷ୍ଟ ଓ ସୂକ୍ଷ୍ମ ଭାବସତ୍ତାର ସନ୍ଧାନ କରିପାରିବ ପାଠକଟି। ଉଦାହରଣ:
ମୋତେ ଭଲପାଇବା ଛଡ଼ା
କିଛି ଜଣାନାହିଁ
କହିବା ପରେ ବି ସେମାନେ
ମୋତେ ବାଣ୍ଟିଦେଲେ
ଜାତି ,ଧର୍ମ,ଗୋତ୍ର
ବର୍ଣ୍ଣ, ସମ୍ପ୍ରଦାୟ ନାଁରେ। (୩୦ନମ୍ବର କବିତା)
ଧାର୍ମିକ ଅନୁଷ୍ଠାନ ଓ ବିଶ୍ଵାସକୁ ନେଇ ସାଧାରଣ ମଣିଷ ଠାରେ ଯେଉଁ ଦ୍ୱନ୍ଦ୍ୱ ଓ ଆଶଙ୍କା, ଅମରେନ୍ଦ୍ରଙ୍କ ପାଖରେ ମଧ୍ୟ ସେହି ଦ୍ୱନ୍ଦ୍ୱ ଓ ଆଶଙ୍କାର ପରିପ୍ରକାଶ ଘଟିଛି। ଦୃଷ୍ଟାନ୍ତ ସ୍ୱରୂପ:
ଯିବି ତ ଯିବି କୁଆଡ଼େ?
ଦ୍ୱନ୍ଦ୍ୱ ଓ ଦୋଛକିରେ
ଛିଡ଼ା ହୋଇଛି ମୁଁ
ଗୋଟେ ପଟେ ସମୁଦ୍ର
ଅନ୍ୟ ପଟେ ନଈ
ଗୋଟିଏ ପଟେ ନିଆଁ ତ ଅନ୍ୟ ପଟେ ଖାଇ।(୪୩ ନମ୍ବର କବିତା)
ଅମରେନ୍ଦ୍ରଙ୍କ କବିତାର ଭାଷା ଓ ଶବ୍ଦ ବିନ୍ୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ:
ମୋ କପାଳରେ
ଅନେକ କଳଙ୍କ
ଅନେକ ଅପନିନ୍ଦା,
ଅନେକ ଅପଯଶର କାହାଣୀ…
ସବୁକିଛି ପୋଛି ଦେବାକୁ ମୋର ଇଚ୍ଛା
ପାସୋରି ଯିବାକୁ ମୋର ଦୁର୍ବାର କାମନା
ହଟେଇ ଦେବାକୁ ବି ମୋର ତୀବ୍ର ଆଗ୍ରହ (୪୯ ନମ୍ବର କବିତା)
ସଂକଳନର ମୁଖବନ୍ଧରେ ବିଶିଷ୍ଟ କବି ହରପ୍ରସାଦ ଦାସ ଲେଖିଛନ୍ତି: ଓଡ଼ିଆ କବିତାର ସମକାଳୀନ ପରିଦୃଶ୍ୟରେ ଏ ଗ୍ରଂଥର ଉଦୟ ଏକ ସ୍ମରଣୀୟ ଘଟଣା।
ସଂକଳନରେ ସ୍ଥାନିତ ଏହି ନିର୍ଦ୍ଦିଷ୍ଟ କବିତା ପଂକ୍ତିଟିରେ ଅମରେନ୍ଦ୍ରଙ୍କ ଜିଜ୍ଞାସାଭାବ ଯେ କୌଣସି ସାଧାରଣ ମଣିଷର ଜିଜ୍ଞାସାଭାବକୁ ପ୍ରତିନିଧିତ୍ୱ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ।
ଅଯୋଧ୍ୟା ,କେଉଁଠି ଅଛି
ସେଇଟା ବଡ଼ କଥା ନୁହେଁ,
ଏବେ ବଡ଼କଥା
କେମିତି ଅଛି ଅଯୋଧ୍ୟା?
ସ୍ୱାଭାବିକ ଭାବେ ପ୍ରବାହିତ
ହେଉଛି କି ନାହିଁ ବାତୁଳ ପବନ?
ଘୁମୁରୁଛନ୍ତି କି ନାହଁ ପାରାମନେ
ମନ୍ଦିର କି ମସଜିଦ ଚୂଡ଼ାରେ?
ସରଜୁରେ ବହିଯାଉଥିବା ପାଣି
ରକ୍ତ କି ଲୁହ ରଙ୍ଗର?(୫ ନମ୍ବର କବିତା)
ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରଖ୍ୟାତ ହିନ୍ଦୀ କବି କୁଁବର ନାରାୟଣ ତାଙ୍କର ଏକ କବିତାରେ ଅଯୋଧ୍ୟାକୁ କହିଥିଲେ ‘କଟୁ ଦୁର୍ଭାଗ୍ୟ।’ ଅମରେନ୍ଦ୍ର ମାଧବ ଦାଶ ଏକ ବିବାଦିତ ପୃଷ୍ଠଭୂମି ଓ ବିଷୟକୁ ନେଇ ଯେଉଁ ପଚାଶ ପାଖାପାଖି କବିତାର କଳ୍ପନା କରିଛନ୍ତି ତାହା ଏକ ସଫଳ ଏବଂ ପ୍ରଶଂସନୀୟ ପ୍ରୟାସ।
ଏକ ରାଜନୈତିକ ପ୍ରସଙ୍ଗକୁ ନେଇ କିଭଳି ସିରିଜ କବିତା ରଚନା କରାଯାଇପାରେ ‘ଅଯୋଧ୍ୟା’ କବିତା ସଙ୍କଳନ ହେଉଛି ତାର ମାର୍ଗଦର୍ଶକ।କବିତା ଗୁଡ଼ିକର ଭାଷା ଅତି ସରଳ ଓ କବି ଅକୁଣ୍ଠ ଭାବରେ ନିଜର ମନୋବେଦନାକୁ ପରିପ୍ରକାଶ କରି ପାରିଛନ୍ତି କବିତା ଗୁଡ଼ିକରେ।ଅଯୋଧ୍ୟା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅମରେନ୍ଦ୍ର ଯେଉଁ କବିତା ଲେଖାଯାଇଛି ତାହାର ଗ୍ରହଣୀୟତା ଓ ପାଠକୀୟ ଆବେଦନ ଅନସ୍ବୀକାର୍ଯ୍ୟ।
ଅଯୋଧ୍ୟା (କବିତା ସଙ୍କଳନ)
ଅମରେନ୍ଦ୍ର ମାଧବ ଦାଶ
ପକ୍ଷୀଘର ପ୍ରକାଶନୀ
ଭୁବନେଶ୍ୱର
୨୦୨୧