ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ଏମାନେ ଜୟପୁରରୁ ସମ୍ଵଲପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ। ପୋଲିସ ସେମାନଙ୍କଠାରୁ ୨୬ କିଲୋ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ହେଉଥିବା ବସକୁ ସିଜ୍ କରିଛି।

ଜୟପୁରରୁ ଏକ ଦମ୍ପତି ବସ୍‌ ଯୋଗେ ସମ୍ଵଲପୁରକୁ ଗଞ୍ଜେଇ ଚାଲାଣ କରୁଥିବା ନେଇ ନବରଙ୍ଗପୁର ଏସ୍‌ପିଙ୍କୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ସେ ପାପଡାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନଙ୍କୁ ଉକ୍ତ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ କହିଥିଲେ। ଶୁକ୍ରବାର ରାତିରେ ମୈଦଲପୁରଠାରେ ପୋଲିସ ଉକ୍ତ ବସ୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା।ଯାଞ୍ଚ ବେଳେ ପୋଲିସକୁ ସେହି ବସ୍‌ର ଆଗ ଡିକିରୁ ଗଞ୍ଜେଇ ଭର୍ତ୍ତି ୩ଟି ବ୍ୟାଗ୍ ମିଳିଥିଲା। ଏହାପରେ ପୋଲିସ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍‌ପରକୁ ପଚରା ଉଚରା କରିବା ପରେ ବସ୍‌ରେ ବସିଥିବା ସୁଷମା ଗୁଣ୍ଠା ଓ ନନ୍ଦ କୁମାରଙ୍କର ସେହି ବ୍ୟାଗ୍‌ଟି ହୋଇଥିବା ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।

ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌କୁ ସ୍ଥାନାନ୍ତର କରି ବସ୍‌କୁ ପୋଲିସ ସିଜ୍ କରିଛି। ଏଥିସହ ଉକ୍ତ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍‌ପରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନଙ୍କ ସୂଚନା ଅନୁସାରେ ଉକ୍ତ ଦମ୍ପତି ଜୟପୁରରୁ ଗଞ୍ଜେଇ ନେଇ ସମ୍ଵଲପୁର ଯାଉଥିଲେ। ଏହାପରେ ସେମାନେ ବିହାରକୁ ଗଞ୍ଜେଇ ଚାଲାଣ କରିବାର ଯୋଜନା କରିଥିଲେ। କିନ୍ତୁ ଠିକ୍‌ ସମୟରେ ଚଢ଼ାଉ କରି ପୋଲିସ ସେମାନଙ୍କ ଯୋଜନାକୁ ଭଣ୍ଡୁର କରିଦେଇଛି।

Comment