ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁୁଳସ୍ଥିତ କମ୍ପାନିର ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତାକୁ ବଢ଼ାଇ ଓଡ଼ିଶାର ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଲକ୍ଷ୍ୟ ରଖିଛି ଜେଏସ୍‌ପିଏଲ୍।

ଭାରତର ଅଗ୍ରଣୀ ଇସ୍ପାତ କମ୍ପାନି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସ୍‌ପିଏଲ୍‌) ଓଡ଼ିଶାର ଖଣି ଓ ଇସ୍ପାତ କ୍ଷେତ୍ରରେ ସର୍ବାଧିକ ନିବେଶ କରୁଥିବା କମ୍ପାନିମାନଙ୍କ ମଧ୍ୟରୁ ଅନ୍ୟତମ। ପୂର୍ବରୁ ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିଥିବା ଏହି କମ୍ପାନି ଏବେ ଏହାର ସଂପ୍ରସାରଣ କରିବା ପାଇଁ ଯୋଜନା କରୁଛି। ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୬ରୁ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ଓଡ଼ିଶା ଦିବସ ଅବସରରେ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌କୁ ଏକ ସାକ୍ଷାତ୍‌କାର ଦେଇ ଜେଏସ୍‌ପିଏଲ କମ୍ପାନିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡ଼ିଶାକୁ ବ୍ୟବସାୟ ଓ ପୁଞ୍ଜି ନିବେଶର ପ୍ରକୃଷ୍ଟ ସ୍ଥାନ ବୋଲି ମତ ଦେଇଛନ୍ତି।

“ଓଡ଼ିଶାର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାର ସାମଗ୍ରିକ ବିକାଶ ଯାତ୍ରା ଏକ ନୂଆ ସୋପାନରେ ପହଞ୍ଚିବ ବୋଲି ମୋର ଆଶା। ନବେ ଦଶକରେ ମୋ’ ବାପା ଓମ୍‌ପ୍ରକାଶ ଜିନ୍ଦଲ ଓ ଓଡ଼ିଶାର ମହାନ ଜନନେତା ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ନେଇ ଓଡ଼ିଶାରେ ଆମର ଯାତ୍ରା ଆରମ୍ଭ ହୋଇଥିଲା।”- ଓଡ଼ିଶା ସହ ନିଜ ପରିବାର ଓ କମ୍ପାନିର ସମ୍ପର୍କକୁ ଏମିତି ବଖାଣିଛନ୍ତି ନବୀନ ଜିନ୍ଦଲ।ସେ ଆହୁରି କହିଛନ୍ତି, “ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ଜେଏସ୍‌ପିଏଲ୍ ଅନୁଗୁଳରେ ଓଡ଼ିଶାର ସର୍ବବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିଲା। କେନ୍ଦୁଝର ଜିଲ୍ଲା ବଡ଼ବିଲରେ ମଧ୍ୟ ଆମର ବାର୍ଷିକ ୯ ନିୟୁତ ଟନ୍ କ୍ଷମତାବିଶିଷ୍ଟ ପେଲେଟ୍ କାରଖାନା ରହିଛି। ଆନନ୍ଦର ସହ ଜଣାଉଛି ଯେ ଓଡ଼ିଶାର ଅନ୍ୟତମ ବୃହତ ନିବେଶକ ଭାବେ ଆମେ ୪୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଛୁ । ଓଡ଼ିଶାର ଶାସନ ଅନ୍ୟ ରାଜ୍ୟ ପାଇଁ ଏ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶାବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଦେବି।”

ଅନୁଗୁଳ ସ୍ଥିତ ପ୍ଲାଣ୍ଟ ହେଉଛି ଓଡ଼ିଶାର ସର୍ବବୃହତ ତଥା ଅତ୍ୟାଧୁନିକ ଇସ୍ପାତ କାରଖାନା। ଇସ୍ପାତ ଉତ୍ପାଦନ ପାଇଁ କୋଇଲା ଗ୍ୟାସ୍‌ର ବ୍ୟବହାର କ୍ଷେତ୍ରରେ ଜେଏସ୍‌ପିଏଲ୍ ପ୍ରଥମ। ସବୁଠୁ ବଡ଼ କଥା ହେଉଛି ଏହି ଇସ୍ପାତ କମ୍ପେ୍ଲକ୍ସକୁ ଏକ ପ୍ରଦୂଷଣମୁକ୍ତ ୟୁନିଟ୍ ଭାବେ ପ୍ରତିଷ୍ଠା କରିବା ପାଇଁ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଓ କାର୍ଯ୍ୟଶୈଳୀ ଆପଣାଇଛି ଜେଏସ୍‌ପିଏଲ୍।

“ଚାହିଦା ମୁତାବକ ଦରରେ କଞ୍ଚାମାଲ ଆବଶ୍ୟକ ପରିମାଣରେ ମିଳିପାରିବା ଏକ ବଡ଼ ଆହ୍ୱାନ ହୋଇ ରହିଛି। କାରଣ ଗତ କିଛି ବର୍ଷ ଭିତରେ କଞ୍ଚାମାଲର ମୂଲ୍ୟ ବଢ଼ିଛି। ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି ସୁଲଭ ଦରରେ ଲୁହାପଥର ଯୋଗାଇବା ଓ ଏଭଳି ବୃହତ୍ କାରଖାନାକୁ ପୂର୍ଣ୍ଣ ଉତ୍ପାଦନ କ୍ଷମତା ଭିତରେ ଚଳାଇବା ଏକ ଆହ୍ୱାନ ନିଶ୍ଚୟ। ସଡ଼କ, ବନ୍ଦର ଓ ଏବେକାର ରେଲୱେ ନେଟୱର୍କରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି”, ଓଡ଼ିଶାରେ ଜେଏସପିଏଲ୍ ପାଇଁ ଥିବା ଆହ୍ୱାନ ସମ୍ପର୍କରେ ଏଭଳି କହିଛନ୍ତି ନବୀନ ଜିନ୍ଦଲ।୨୦୩୦-୩୧ ବେଳକୁ ବାର୍ଷିକ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ଏହି କ୍ରମରେ ଦେଶର ଅନ୍ୟତମ ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ କମ୍ପାନି ଭାବେ ଜେଏସପିଏଲ ୨୦୩୦ ବେଳକୁ ବାର୍ଷିକ ୫୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାର ଅର୍ଦ୍ଧେକ ଭାଗ ଓଡ଼ିଶାରୁ ହିଁ ଆସିବ।

ଅନୁଗୁଳ ସ୍ଥିତ ପ୍ଲାଣ୍ଟକୁ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନାରେ ପରିଣତ କରିବା ପାଇଁ ଏହାର କ୍ଷମତାକୁ ୨୫.୨ ନିୟୁତ ଟନ୍‌କୁ ସଂପ୍ରସାରଣ କରିବ ଜେଏସପିଏଲ। ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ୬୦ ହଜାର ନିଯୁକ୍ତି ସୃଷ୍ଟି ହେବା ସହ ପରୋକ୍ଷ ଭାବରେ ୩ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ଦେବ। ବାର୍ଷିକ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ କାରବାର କରିବ କମ୍ପାନି। ଜେଏସ୍‌ପିଏଲ୍‌ର କାରଖାନା ପାଇଁ ପ୍ରତି ବର୍ଷ ୭,୫୦୦ କୋଟି ଟଙ୍କାର ରାଜସ୍ୱ ପାଇବେ ଓଡ଼ିଶା ସରକାର। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ କମ୍ପାନିର ନିଜସ୍ୱ ଜମିରେ ହିଁ ଏହି ସଂପ୍ରସାରଣ କାର୍ଯ୍ୟ ହେବ। ଏଥିପାଇଁ କୌଣସି ଅତିରିକ୍ତ ଜମି ଅଧିଗ୍ରହଣ କିମ୍ବା କେହି ବିସ୍ଥାପନ ହେବାର ଆଶଙ୍କା ନାହିଁ ବୋଲି ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ କହିଛନ୍ତି।

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଏକ ଶିଳ୍ପ ଅନୁକୂଳ ପରିବେଶ ରହିଛି, ଯାହା ବୃହତ୍ ଶିଳ୍ପକୁ ସୁହାଇବ। ରାଜ୍ୟବାସୀଙ୍କ ପାଖରୁ ଆମେ ଉଚିତ୍ ସହଯୋଗ ପାଇଛୁ। ୨୦୩୦ ବେଳକୁ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଓଡ଼ିଶା ସରକାରଙ୍କ ଯେଉଁ ମିଶନ ରହିଛି, ଜେଏସପିଏଲ୍ ଅନୁଗୁଳସ୍ଥିତ ପ୍ଲାଣ୍ଟକୁ ପରିବର୍ଦ୍ଧିତ କରି ସେହି ମିଶନରେ ନିଜର ଯୋଗଦାନ ଦେବ।”- ଓଡ଼ିଶା ଉପରେ ଏଭଳି ସକାରାତ୍ମକ ଆଭିମୁଖ୍ୟ ରଖିଛନ୍ତି ଜିନ୍ଦଲ।ଓଡ଼ିଶା ପ୍ରତି ନିବେଶକମାନଙ୍କ ଭଲ ଦୃଷ୍ଟିକୋଣ ରହିଛି। ଏଠାରେ ଯଥେଷ୍ଟ ପରିମାଣର କଞ୍ଚାମାଲ‌, ବନ୍ଦର ସୁବିଧା, ଦକ୍ଷ ମାନବ ସମ୍ବଳ ଓ ସର୍ବୋପରି ରାଜ୍ୟରେ ସ୍ଥିର ସରକାର ରହିଥିବାରୁ ଓଡ଼ିଶା ପ୍ରତି ନିବେଶକମାନେ ଆଗ୍ରହୀ ହେଉଛନ୍ତି। ରାଜ୍ୟରେ ଥିବା କାରଖାନାଗୁଡ଼ିକ ଯଦି କଞ୍ଚାମାଲ ପାଇଁ ସଂଘର୍ଷ କରିବେ, ତେବେ ତାହା ବାହାର ନିବେଶକମାନଙ୍କ ପାଇଁ ନକାରାତ୍ମକ ବାର୍ତ୍ତା ଦେବ। ତେଣୁ ରାଜ୍ୟର କାରଖାନାଗୁଡ଼ିକୁ କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିପାରିଲେ ଏହା ଆହୁରି ଅଧିକ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବ ବୋଲି ଜିନ୍ଦଲଙ୍କ ମତ।

“ଜେଏସ୍‌ପିଏଲ୍‌ ଆରମ୍ଭରୁ ହିଁ ରାଷ୍ଟ୍ର ନିର୍ମାଣକୁ ନିଜର ନୀତି ଭାବେ ମାନିଆସିଛି। ଆମର ବ୍ୟବସାୟିକ କ୍ଷେତ୍ର ସବୁବେଳେ ଜାତୀୟ ଓ ଆଞ୍ଚଳିକ ସ୍ତରର ଅର୍ଥନୈତିକ, ସାମାଜିକ ଓ ପରିବେଶଗତ ବିକାଶ ଉପରେ ଗୁରୁତ୍ୱ ଦେଉଛି। କମ୍ପାନି ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) ଅଧୀନରେ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ୧୫୦ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି। ଜେଏସ୍‌ପିଏଲ୍ ଫାଉଣ୍ଡେସନ ଜରିଆରେ ଗ୍ରାମୀଣ ଭିତ୍ତିଭୂମି, ଶିକ୍ଷା, ମହିଳା ସଶକ୍ତିକରଣ, ଦକ୍ଷତା ତାଲିମ ଭଳି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛି। ବର୍ତ୍ତମାନ କମ୍ପାନିର ସଂପ୍ରସାରଣ ଜରିଆରେ ଆମେ ଓଡ଼ିଶାର ବୃହତ୍ତର କଲ୍ୟାଣ ପାଇଁ ଯୋଗଦାନ ଦେଇପାରିବୁ”, ଏଭଳି ଆଶା ରଖିଛନ୍ତି ଜେଏସ୍‌ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ।

Comment